ଭୁବନେଶ୍ୱର, ୩୧।୫: ତମାଖୁ ମୁକ୍ତ ସମାଜ ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଧ୍ୟ । ସେଥିପାଇଁ ଆମେ କାମ କରୁଛୁ । ହେଲେ ଲୋକମାନେ ପ୍ରଥମେ ସଚେତନ ହୁଅନ୍ତୁ । ଧୁମ୍ରପାନ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଭାବୁ ଯେ ତା’ ଘରେ ସ୍ତ୍ରୀ ଓ ଛୋଟପିଲା ଅଛନ୍ତି । ଧୁମ୍ରପାନ ସେବନ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି । ତମାଖୁ ଖାଇବା ଦ୍ୱାରା ପ୍ରତିବର୍ଷ ଅନେକ ଜୀବନ ଚାଲିଯାଉଛି । ତେଣୁ ତମାଖୁ ବର୍ଜନ କରିବା ଜରୁରୀ ହୋଇପଡ଼ିଛି ବୋଲି ଅତିଥିମାନେ ରାଜ୍ୟ ସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଶନିବାର ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନଠାରେ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ୱଥି ଏସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତମାଖୁ ନ ଖାଇବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ସହଯୋଗରେ ତମାଖୁ ମୁକ୍ତ ସମାଜ ଗଠନ ହେବ । ଚଳିତବର୍ଷ ସାରା ରାଜ୍ୟରେ ଆଇନ ଉଲ୍ଲଘଂନ କାରୀଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜିଲ୍ଲା ସ୍ତରରେ ଆଣ୍ଟି ତମାଖୁ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା । ତେବେ କୋଟପା ଆଇନର କାର୍ଯ୍ୟକାରୀ ହୋଇ ରାଜ୍ୟର ୧୦୮ ଗ୍ରାମ ହୋଇଛି ତମାଖୁ ମୁକ୍ତ ବୋଲି ଅତିଥିମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ, ଏନଜିଓ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।