ରାଉରକେଲା, ୧୧/୦୫: ଇସ୍ପାତ ସହର ରାଉରକେଲା ଦେଶରେ ମିନି ଇଣ୍ଡିଆ ଭାବେ ଜଣାଶୁଣା । ସହରର ବଢୁଥିବା ବିକାଶ ଯୋଗୁଁ ଏଠାରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ରାସ୍ତାଘାଟଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିମାନବନ୍ଦର ଓ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି । ସେହି ଅନୁପାତରେ ସହରର କୋଣ ଅନୁକୋଣରେ ଗୃହ ସଂଖ୍ୟା ବଢ଼ିଚାଲିଛି । ହେଲେ ଏଠାରେ ଇସ୍ପାତ ଯେଉଁଭଳି ଶସ୍ତାରେ ମିଳିଯାଏ, ମୁଣ୍ଡ ଗୁଞ୍ଜିବା ଲାଗି ଖଣ୍ଡେ ଛାତ ଯୋଗାଡ଼ କରିବା ଫୁଲ ଭଳି ମହଙ୍ଗା ସାବ୍ୟସ୍ତ ହୋଇଯାଇଛି । ଧନୀକ ଶ୍ରେଣୀର ଲୋକଙ୍କ ପାଇଁ କିଛି ଅସୁବିଧା ନାହିଁ । ହେଲେ ଜଣେ ମଧ୍ୟବିତ୍ତ ପରିବାର ଇସ୍ପାତ ସହରରେ ଖଣ୍ଡେ ବାସଗୃହ ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଛି । କିନ୍ତୁ ସେଥିରେ ବାସ୍ତବିକତା ନାହିଁ ।
ରାଉରକେଲା ସହରବାସୀଙ୍କୁ ସୁବିଧାରେ ତଥା ସରକାରୀ ମୂଲ୍ୟ ବାସଗୃହ ଯୋଗାଇ ଦେବା ସମେତ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ଲାଗି ‘ରାଉରକେଲା ଉନ୍ନୟନ ସଂସ୍ଥା’ (ଆରଡିଏ) ରହିଛି । ଏହି ସଂସ୍ଥା ପକ୍ଷରୁ ସରକାରୀ ଜମିରେ ବାସଗୃହ ନିର୍ମାଣ କରାଯାଇ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକଙ୍କୁ ଯୋଗାଇ ଦେବାର ନିୟମ ରହିଛି । ମାତ୍ର ଆଜିକୁ ଦୀର୍ଘ ବର୍ଷ ହେଲା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ସହରରେ ବାସ କରୁଥିବା ମଧ୍ୟବିତ୍ତ ପରିବାର ନିଜସ୍ୱ ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁନି । କାରଣ ସହରରେ ଘର ଖଣ୍ଡେ କିଣିବାକୁ ହେଲେ ବହୁ ଅର୍ଥର ଆବଶ୍ୟକତା ପଡୁଛି । ଯାହାକି ମଧ୍ୟବିତ୍ତ ପରିବାର ପାଇଁ ଅସମ୍ଭବ । ସେଥିପାଇଁ ବର୍ଷାଧିକ କାଳ ସେହି ପରିବାର ଭଡ଼ାରେ ରହିବାକୁ ବାଧ୍ୟ ହେଉଛି । ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ ଆରଡିଏ ପକ୍ଷରୁ କଳିଙ୍ଗ ବିହାରସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ ଚାଲିଛି । ପିପି ମୋଡ୍ରେ ଏହି ବାସଗୃହ ନିର୍ମାଣ କରାଯାଉଛି ।
ସେହିପରି ସହରବାସୀଙ୍କୁ ସରକାରୀ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ପାଇଁ ଆଉ ଏକ ସେବା ଯୋଗାଣକାରୀ ସଂସ୍ଥା ‘ହାଉସିଂ ବୋର୍ଡ’ରହିଛି । ସେହି ସଂସ୍ଥାର ଏକ କାର୍ଯ୍ୟାଳୟ ବାସନ୍ତୀ କଲୋନୀରେ ରହିଛି । ଏହି ସଂସ୍ଥା ଏକ ପ୍ରକାର ସ୍ଥାଣୁ ପାଲଟିଛି । ଏହି ସଂସ୍ଥା ପକ୍ଷରୁ ମଧ୍ୟ ବର୍ଷାଧିକ ହେଲା ସହରବାସୀଙ୍କୁ ବାସଗୃହ ଯୋଗାଇ ଦେବା ନେଇ କୌଣସି ଯୋଜନା କରାଯାଉନି । ସହରର ବିଭିନ୍ନ ଅଞ୍ଚଳରେ ରହିଥିବା ସରକାରୀ ଜମି ଏବେ ଜମି ମାଫିଆଙ୍କ କବ୍ଜାରେ । ଛେଣ୍ଡ କଲୋନୀରେ ପ୍ରାୟ ୩୦ ଏକର ଜମି ଜବରଦଖଲରେ ରହିଛି । ବାସନ୍ତୀ କଲୋନୀର ଡିଏଭି ବସ୍ତି ଓ ହମିରପୁର ବସ୍ତିରେ ପ୍ରାୟ୧ ୫ ଏକରରୁ ଅଧିକ ସରକାରୀ ଜମି ମଧ୍ୟ ଜବରଦଖଲରେ ରହିଛି । ପ୍ରଶାସନିକ ସ୍ତରରେ ଜବରଦଖଲ ଉଚ୍ଛେଦ କରାଯାଉ ନଥିବାରୁ ଜମିର ମୂଲ୍ୟ ଆକାଶଛୁଆଁ ହୋଇଛି । ସହରର ବିଭିନ୍ନ ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରି ଜମି ମାଫିଆ ମୋଟା ଅଙ୍କରେ ବିକ୍ରି କରୁଛନ୍ତି । ସେଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ଭୂମିହୀନଙ୍କୁ ବାସଗୃହ ଯୋଗାଇ ଦେବାକୁ ଦୁଇଟି ସଂସ୍ଥା ରହିଛି । ମାତ୍ର ପ୍ରଶାସନିକ ସ୍ତରରେ ଉଦାସନୀତା ଯୋଗୁଁ ମଧ୍ୟବିତ୍ତ ପରିବାର ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି ।
ସହରର କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ରାଉରକେଲାରେ ଥିବା ଅଧିକାଂଶ ସରକାରୀ ଜମିକୁ ଜବରଦଖଲକାରୀଙ୍କ କବ୍ଜା ରହିଛି । ମାତ୍ର ରାଉରକେଲା ପ୍ରଶାସନ ସେଥିପ୍ରତି ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି । ଯେଉଁଥି ପାଇଁ ଯେତିକି ଜମି ରହିଛି ତାହାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧିପାଇଛି । ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ଆବଣ୍ଟନ କରାଯାଇଛି । ଫଳରେ ମଧ୍ୟବିତ୍ତ ପରିବାର ପାଇଁ ଘର ଖଣ୍ଡେ କରିବା ଆଶା ରହିଯାଉଛି । ସରକାର ରାଉରକେଲାର ମଧ୍ୟବିତ୍ତ ପରିବାରକୁ ସୁଲଭ ମୂଲ୍ୟରେ ବାସଗୃହ କିମ୍ବା ବାସଗୃହ ଉପଯୋଗୀ ଜମି ପ୍ରଦାନ କରିବା ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ସଦୃଶ ହୋଇଯାଇଛି । ତତ୍କାଳୀନ ଆରଡିଏ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସହରବାସୀଙ୍କୁ ୧୦୦୦ ବାସଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଖଣ୍ଡେ ଘର ହେଲାନି । ଭୂମିହୀନଙ୍କୁ ଘର ଯୋଗାଇ ଦେବାକୁ ସରକାରଙ୍କ ବିଭିନ୍ନ ସଂସ୍ଥା ରହିଛି । ମାତ୍ର ସମ୍ପୃକ୍ତ ବିଭାଗ ନିଦାବିଷ୍ଣୁ ପାଲଟିଛି । ଆରଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ଯେଉଁ ଘରଗୁଡ଼ିକ ପ୍ରଦାନ କରାଯାଇଥିଲା ସେଥିରୁ ଅନେକ ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ସରକାର ଚାହିଁଥିଲେ ପୁନର୍ବାର ଆବଣ୍ଟିତ କରିପାରିଥାନ୍ତେ । କିନ୍ତୁ ତାହା ବି କଲେନି । ଏବେ ରାଉରକେଲାରେ ବସବାସ କରୁଥିବା ମଧ୍ୟବିତ୍ତ ପରିବାର ଘର ଖଣ୍ଡେ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ରିଂରୋଡର ବାଗବୁଡ଼ି ବସ୍ତି ନିକଟରେ ରହିଥିବା ଆରଡିଏର ପ୍ରାୟ ୩୦ରୁ ୪୦ ଏକର ଜମିରେ ଆପାର୍ଟମେଣ୍ଟ କରାଯାଇ ମଧ୍ୟବିତ୍ତ ପରିବାରଙ୍କୁ ଲଟେରି ମାଧ୍ୟମରେ ଯୋଗାଇ ଦେବାକୁ ସ୍ଥିର ହୋଇଥିବା ତତ୍କାଳୀନ ଆରଡିଏ ସଚିବ କହିଥିଲେ । ମାତ୍ର ଆଜି ଯାଏ ସେହି ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନିଆଯାଇନି ।