ଭୁବନେଶ୍ୱର, ୩/୭ : ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ତଥା ବର୍ଷାଜଳ ପରିଚାଳନା ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଉନ୍ନତ ବୈଷୟିକ କାର୍ଯ୍ୟ ପ୍ରଣାଳୀ ଏବଂ ସମୁଦାୟଭିତ୍ତିକ ସଚେତନତା ମାଧ୍ୟମରେ ବିପର୍ଯ୍ୟୟ ପ୍ରଶମନ କ୍ଷମତା ବୃଦ୍ଧି ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି l

ବୈଠକରେ ସହରାଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତିର ପରିଚାଳନା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଏବଂ ଆଇଆଇଟି ରୁର୍କୀ ମଧ୍ୟରେ ସ୍ଵାକ୍ଷର ହୋଇଥିବା ଏମଓୟୁ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଏ ସଂକ୍ରାନ୍ତରେ ଆଇଆଇଟି ରୁର୍କୀ ପକ୍ଷରୁ ପ୍ରସ୍ତୁତ ଡିପିଆର୍ ପ୍ରଦର୍ଶିତ ହୋଇଥିଲା l ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗ ସହ ସମନ୍ଵୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ସହରାଞ୍ଚଳର ତାଲିକା କରି ସହରାଞ୍ଚଳ ବନ୍ୟା ପରିଚାଳନା ଏବଂ ବର୍ଷା ଜଳ ନିଷ୍କାସନ ଦିଗରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବା ନେଇ ଆଲୋଚନା ହୋଇଥିଲା l ଭୁବନେଶ୍ବର ଏବଂ ଅନ୍ୟ ସହର ମାନଙ୍କରେ ବର୍ଷା ଜଳ ଡ୍ରେନେଜ୍ ବ୍ୟବସ୍ଥାର ସୁପରିଚାଳନା ଦ୍ଵାରା ବର୍ଷା ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ l

ସେହିପରି ବର୍ତ୍ତମାନ ସୁଦ୍ଧା ସମୁଦ୍ରତଟବର୍ତ୍ତୀ ୩୮୧ଟି ସୁନାମିପ୍ରବଣ ଗ୍ରାମ ଚିହ୍ନଟ କରି ବିବିଧ ସମୁଚିତ ପରିଚାଳନା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ଗୁଡ଼ିକୁ ସୁନାମି-ପ୍ରସ୍ତୁତ ଗ୍ରାମ (Tsunami-Ready Village) ଭାବେ ବିକାଶ କରାଯାଇଛି l ବର୍ତ୍ତମାନ ପର୍ଯ୍ୟନ୍ତ ଆଇଓସି -ୟୁନେସ୍କୋ ଦ୍ଵାରା ଓଡ଼ିଶାର ୨୬ଟି ଗ୍ରାମକୁ ସୁନାମି-ପ୍ରସ୍ତୁତ ଗ୍ରାମ ଭାବେ Tsunami Ready Recognition Programme ଅଧୀନରେ ଘୋଷଣା କରାଯାଇଛି l ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ସୁନାମି ପରିଚାଳନା ଏବଂ ପୂର୍ବ ସତର୍କ ସୂଚନା ବ୍ୟବସ୍ଥାର ଆଧୁନିକୀକରଣ ନିମନ୍ତେ ହାଇଦ୍ରାବାଦସ୍ଥିତ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ଦେବା କେନ୍ଦ୍ର (INCOIS) ସହିତ ଅନୁବନ୍ଧିତ ହୋଇଛନ୍ତି l ବୈଠକରେ INCOIS କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପୂର୍ବାନୁମାନ ବ୍ୟବସ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ବିଶଦ ସମୀକ୍ଷା କରିବା ସହ ଆଗାମୀ ଦିନରେ ଏହି ତ୍ଵରିତ ସତର୍କ ସୂଚନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଗୁରୁତ୍ଵାରୋପ କରିଥିଲେ l

ବର୍ତ୍ତମାନ ବିପର୍ଯ୍ୟୟର ନୂଆ ସ୍ଵରୂପ ସାଜିଛି ଭୂସ୍ଖଳନ l ନିକଟ ଅତୀତରେ ଗଜପତି ଜିଲ୍ଲାରେ ହୋଇଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଭେ କାର୍ଯ୍ୟ କରାଯାଉଛି l ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ କରି ସେଠିକାର ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ବିଶେଷଜ୍ଞ ସଂସ୍ଥାମାନଙ୍କ ସହ ଆଲୋଚନା ମଧ୍ଯ ଚାଲୁ ରହିଛି l ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସମୁଦ୍ର କୂଳ ଲଙ୍ଘନକୁ ନଜରରେ ରଖି ଆଗାମୀ ଦିନରେ ଏଥିପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ସେହିଭଳି ବାତ୍ୟାପ୍ରବଣ ଅଂଚଳରେ ସରକାରୀ ଆବାସ ଯୋଜନାରେ ଦିଆଯାଉଥିବା ଘର ଗୁଡି଼କୁ ବିପର୍ଯ୍ୟୟ ପ୍ରତିରୋଧୀ ବାସସ୍ଥାନ ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l

ବୈଠକରେ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଭୁବନେଶ୍ୱର ମହାନଗର ନିଗମର କମିଶନର୍ ଚଞ୍ଚଳ ରଣା ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ଆଇଆଇଟି ରୁର୍କୀ ଏବଂ INCOIS ହାଇଦ୍ରାବାଦର କର୍ତ୍ତୃପକ୍ଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l