ନୂଆଦିଲ୍ଲୀ, ୨।୪: ଘରୋଇ ଷ୍ଟକ୍ ମାର୍କେଟରେ ଆଜି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ଚେତାବନୀ ପରେ ଭାରତୀୟ ସେୟାର ବଜାରରେ ରକ୍ତପାତ ହୋଇଛି । କାରବାର ଆରମ୍ଭରୁ ହିଁ ନିବେଶକମାନେ ଆତଙ୍କିତ ହୋଇ ସେୟାର ବିକ୍ରି କରିବା ଫଳରେ ସେନସେକ୍ସ ଓ ନିପ୍ଟିରେ ବଡ଼ ହ୍ରାସ ଘଟିଛି । ବିଏସ୍‌ଇ (BSE) ର ସେନସେକ୍ସ ୧,୪୦୩ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୧,୭୩୧ ପଏଣ୍ଟ ସ୍ତରକୁ ଖସି ଆସିଛି । ସେହିପରି ଏନଏସ୍‌ଇ (NSE) ର ବେଞ୍ଚମାର୍କ ସୂଚନାଙ୍କ ନିପ୍ଟି ୪୩୧ ପଏଣ୍ଟ ହ୍ରାସ ସହ ୨୨,୨୪୮ ପଏଣ୍ଟରେ କାରବାର କରୁଛି । ଆଜି ବଜାର ଖୋଲିବା ମାତ୍ରେ ସେନସେକ୍ସ ୮୭୨ ପଏଣ୍ଟ ତଳକୁ ଖସିଥିବା ବେଳେ ଗିପ୍ଟ ନିପ୍ଟିରୁ ହିଁ ବଜାରର ଦୁର୍ବଳ ସଙ୍କେତ ମିଳିସାରିଥିଲା ।

ଏହା ବି ପଢ଼ନ୍ତୁ... ​​​​​​​୧୩ ହଜାର ଶସ୍ତା ହେଲା ରୁପା, ସୁନା ଦରରେ ବଡ଼ ହ୍ରାସ... ୩ କାରଣରୁ ଦୋହଲିଲା ବଜାର

ଟ୍ରମ୍ପଙ୍କ ବୟାନରେ କାହିଁକି ଥରିଲା ବଜାର ?   

ଷ୍ଟକ୍ ମାର୍କେଟରେ ଏହି ଅସ୍ଥିରତାର ମୁଖ୍ୟ କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଦ୍ୟତମ ବୟାନ । ଟ୍ରମ୍ପ କହିଛନ୍ତି ଯେ, "ଆଗାମୀ ସପ୍ତାହଗୁଡ଼ିକରେ ଆମେରିକା ଇରାନ ବିରୁଦ୍ଧରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।" ଏହି ବୟାନ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବାର ଆଶା ଦୁର୍ବଳ ହୋଇଯାଇଛି । ଭୂ-ରାଜନୈତିକ ଉତ୍ତେଜନା ବଢ଼ିବା ଆଶଙ୍କାରେ ବିଶ୍ୱବ୍ୟାପୀ ନିବେଶକମାନେ ସତର୍କ ହୋଇଯାଇଛନ୍ତି ।

୧୦୦ ଡଲାର ପାର୍ କଲା ଅଶୋଧିତ ତୈଳ:

ଯୁଦ୍ଧର ବାଦଲ ଘନେଇବା ସହ ଅଶୋଧିତ ତୈଳ ଦର ପୁଣି ଥରେ ନିଆଁ ଧରିଛି । ସକାଳ ପ୍ରାୟ ୮ଟା ସୁଦ୍ଧା ବ୍ରେଣ୍ଟ କ୍ରୁଡ୍ ୫ ଡଲାର ବଢ଼ି ୧୦୬ ଡଲାରରେ ପହଞ୍ଚିଛି । ସେହିପରି WTI ଅଶୋଧିତ ତୈଳ ମଧ୍ୟ ୧୦୪ ଡଲାର ଅତିକ୍ରମ କରିଛି । ଭାରତ ଭଳି ଦେଶ ପାଇଁ ତେଲ ଦର ବୃଦ୍ଧି ଅର୍ଥନୀତି ଉପରେ ଚାପ ପକାଇବାର ଆଶଙ୍କା ରହିଛି ।

ଏସୀୟ ବଜାରର ଶୋଚନୀୟ ସ୍ଥିତି:

କେବଳ ଭାରତ ନୁହେଁ, ସାରା ଏସିଆର ବଜାରରେ ହ୍ରାସ ଜାରି ରହିଛି:

ଜାପାନର ନିକ୍କେଇ ୨୨୫ ୧.୬୬% ହ୍ରାସ ପାଇ ୫୨,୮୪୫ ସ୍ତରକୁ ଖସିଛି ।

ଦକ୍ଷିଣ କୋରିଆର କୋସ୍ପିରେ ୩.୫୨% ର ବଡ଼ ହ୍ରାସ ଦେଖାଦେଇଛି ।

ଟପିକ୍ସ ସୂଚନାଙ୍କ ମଧ୍ୟ ୧.୧୨% ତଳକୁ ଖସିଛି ।

ଯଦିଓ ଗତକାଲି ଆମେରିକାର ୱାଲ୍ ଷ୍ଟ୍ରିଟ୍ (ଡାଉ ଜୋନ୍ସ, S&P 500 ଏବଂ ନାସଡାକ୍) ବୃଦ୍ଧି ସହ ବନ୍ଦ ହୋଇଥିଲା, କିନ୍ତୁ ଆଜି ସକାଳର ନୂଆ ଘଟଣାକ୍ରମ ପୂରା ଦୃଶ୍ୟପଟ୍ଟ ବଦଳାଇ ଦେଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ, ଯେ ପର୍ଯ୍ୟନ୍ତ ଭୂ-ରାଜନୈତିକ ସ୍ଥିତି ସ୍ପଷ୍ଟ ହୋଇନାହିଁ, ସେ ପର୍ଯ୍ୟନ୍ତ ବଜାରରେ ଏଭଳି ଅସ୍ଥିରତା ଜାରି ରହିପାରେ ।