ଭୁବନେଶ୍ବର,୨୩\୭ : ଆଜିକାଲି ପ୍ରାୟ ଗୃହିଣୀ ଘରକାମ ବ୍ୟତୀତ ସର୍ବାଧିକ ସମୟ ମୋବାଇଲ୍ ସ୍କ୍ରିନ୍ ରେ ବିତାଉଛନ୍ତି । ଯଦି ଆପଣ ମଧ୍ୟ ଡିଜିଟାଲ୍ ନିଶାରେ ବିଭୋର, ତେବେ ନିୟମିତ ଜୀବନରେ ପରିବର୍ତ୍ତନ ଆଣନ୍ତୁ । ଆମେ ପ୍ରାୟତଃ ସକାଳୁ ଆଖି ଖୋଲିବା ମାତ୍ରେ ମୋବାଇଲ୍ ଖୋଲି ବସୁ । ଦିନର ପ୍ରାୟ ସମୟ ମୋବାଇଲ୍ ସ୍କ୍ରୋଲିଂରେ ହିଁ ବିତିଥାଏ । ଘରର ବିଭିନ୍ନ କାମ ସହ ମୋବାଇଲ୍ ରେ ସମୟ ବିତାଇବା ଦ୍ୱାରା ଆମେ ନିଜ ପାଇଁ ସମୟ ବାହାର କରିବା କଷ୍ଟ ହୋଇପଡୁଛି । ସୋସିଆଲ୍ ମିଡିଆ ଓ ରିଲ୍ସର ସ୍କ୍ରୋଲ୍ ସହ ମେସେଜ୍ ର ଉତ୍ତର ଦେଉ ଦେଉ ଦିନର ସମସ୍ତ ସମୟ ଚାଲିଯାଉଛି ।
ଲଗାତାର ସ୍କ୍ରିନ୍ ରେ ସମୟ ବିତାଇବା ଦ୍ୱାରା କେବଳ ଆଖି ପ୍ରଭାବିତ ହୋଇ ନଥାଏ ବରଂ ମାନସିକ ଚିନ୍ତା ସହ ଏକଲାପଣ ମଧ୍ୟ ବଢିଥାଏ । ତେଣୁ ଯଥାସମ୍ଭବ ଅନାବଶ୍ୟକ ସମୟରେ ମୋବାଇଲ୍ ରେ ଲାଗି ରହିବା ପରିବର୍ତ୍ତେ ନିଜ ହବି ଓ ସ୍ୱପ୍ନକୁ ପୂରଣ କରିବାର ପ୍ରୟାସ କରିପାରିବେ । ଯଦି କିଛି ସ୍ୱପ୍ନ ନଥାଏ, ତେବେ କିଛି ସହଜ ଓ ମଜାଦାର ଅଭ୍ୟାସ ଆପଣାଇପାରିବେ ।
ଗାଡେର୍ନିଂ ଆରମ୍ଭ କରନ୍ତୁ: ମୋବାଇଲ୍ ରେ ସ୍କ୍ରୋଲିଂ କରିବା ଅପେକ୍ଷା ଗଛଲତା ଲଗାଇବାରେ ସମୟ ବିତାନ୍ତୁ । ମାଟି ଓ ଗଛ ଲଗାଇବାରେ ସମୟ ବିତାଇବା ଏକ ଥେରାପୀ ପରି କାମ କରିଥାଏ । ଘରର ବାଲ୍କୋନୀ ଓ ଝରକା ଆଦିରେ ଛୋଟ ଛୋଟ ଗଛ ଲଗାଇପାରିବେ । ନିୟମିତ ଗଛରେ ପାଣି ଦେବା ଓ ଗଛକୁ ସଫା କରିବା ଦ୍ୱାରା ମନ ପ୍ରଫୁଲିତ ରହିବ ।
ବହି ପଢିବା: ମୋବାଇଲ୍ ସ୍କ୍ରିନ୍ ରେ ସମୟ ବିତାଇବା ଅପେକ୍ଷା ବହି ପଢିବା ଶ୍ରେଷ୍ଠ ବିକଳ୍ପ । କୌଣସି ମନୋରଞ୍ଜନ ବହି ପଢିବା ଦ୍ୱାରା ମନ ହାଲ୍କା ହେବା ସହ ଖୁସି ରହିଥାଏ । ନିଜ ପସନ୍ଦର କାହାଣୀ, ଆତ୍ମଜୀବନୀ ଓ କବିତା ପଢିପାରିବେ । ନିୟମିତ ଶୋଇବା ପୂର୍ବରୁ ୧୦ରୁ ୧୫ ଫର୍ଦ୍ଦ ନିଶ୍ଚୟ ପଢନ୍ତୁ । ଏପରି କରିବା ଦ୍ୱାରା ଏକାଗ୍ରତା ବଢିବା ସହ ନିଦ ଭଲ ହୋଇଥାଏ ।
ଡାଏରୀ ଲେଖନ୍ତୁ: ମୋବାଇଲରୁ ଦୂରତା ବଢାଇବା ପାଇଁ ଡାଏରୀ ଲେଖିପାରିବେ । ନିତିଦିନ ନିଜ ସହ ହୋଇଥିବା ଭଲ ଓ ଖରାପ ଘଟଣାକୁ ଡାଏରୀରେ ଲେଖିପାରିବେ । ନିୟମିତ ରାତିରେ ଶୋଇବା ପୂର୍ବରୁ ପେନ୍ ଓ ଡାଏରୀ ନେଇ ୧୦ ମିନିଟ୍ ପାଇଁ ନିଜ ଦିନ କେମିତି କଟିଲା ଲେଖନ୍ତୁ । ଲେଖିବା ଦ୍ୱାରା ଭାରକ୍ରାନ୍ତ ମନ ହାଲ୍କା ହେବା ସହ ଭାବନାକୁ ଉପଯୁକ୍ତ ଦିଗ ମିଳିଥାଏ ।
ଚିତ୍ର ଆଙ୍କିବା କିମ୍ବା ରଙ୍ଗ ଦେଇ ପାରିବେ: ଚିତ୍ର ଆଙ୍କିବା କିମ୍ବା ରଙ୍ଗ ଦେବା ପାଇଁ କେବଳ ଚିତ୍ରକାର ହେବା ଜରୁରି ନୁହେଁ । କେବଳ ଚିତ୍ର ଓ ରଙ୍ଗ ସହ ଖେଳିବା ମଧ୍ୟ ଏକ ଚିତ୍ରକଳା । ମୋବାଇଲରୁ ଦୂରେଇବା ପାଇଁ ଏହା ଏକ ସୁନ୍ଦର ବିକଳ୍ପ । ଏହା ବ୍ୟତୀତ ଧଳା କାଗଜ ଉପରେ ପେନ୍ସିଲ୍ ରେ ଡୁଡଲିଂ କରିପାରିବେ ।
ହେଡ୍ ଫୋନ୍ ବିନା ଚାଲିବାକୁ ଯାଆନ୍ତୁ: ଫୋନ୍/ଇଅରଫୋନ୍ରେ ଗୀତ ଶୁଣିବା ବିନା ପାର୍କ ବା ଆଖପାଖ ଅଞ୍ଚଳରେ ଚାଲିବାର ଅନୁଭବ ହିଁ ଅଲଗା । ସକାଳେ ବା ସଂଧ୍ୟାରେ ୧୫ରୁ ୨୦ ମିନିଟ୍ ଚାଲିବାର ମଜା ନିଆରା । ଚାଲିବା ସମୟରେ ଆଖପାଖର ମାହୋଲକୁ ଅନୁଭବ କରିବା ଜରୁରି ।