ନୂଆଦିଲ୍ଲୀ, ୧୩/୦୪ : ଇରାନ ଆମେରିକା ଯୁଦ୍ଧ ଯୋଗୁ ସାରା ବିଶ୍ୱର ତେଲ ଯୋଗାଣ ସଙ୍କଟରେ ରହିଛି। ବିଶ୍ୱର ତେଲ ଯୋଗାଣ କ୍ଷେତ୍ରରେ ପ୍ରମୁଖ ଜଳପଥ ଷ୍ଟ୍ରେଟ ଅଫ୍ ହୋର୍ମୁଜ ଉପରେ କଟକଣା ଲଗାଇବା ପାଇଁ ଏହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି ରାସ୍ତା ଦେଇ ବିଶ୍ୱ ବଜାରର ୨୦%ରୁ ଉର୍ଦ୍ଧ୍ୱ ତେଲ ଏବଂ ଗ୍ୟାସ ଯୋଗାଣ ହୋଇଥାଏ । ଆମେରିକା ଯୁଦ୍ଧ ବିରତ ଘୋଷଣା କରିବା ପରେ ଏହି ରାସ୍ତା ଖୋଲିବ ବୋଲି ସାରା ବିଶ୍ୱ ଆଶା ପ୍ରକଟ କରିଥିଲା । ମାତ୍ର ପାକିସ୍ତାନରେ ଯୁଦ୍ଧ ବିରତି ନେଇ ଆଲୋଚନା ସଫଳ ନ ହେବାରୁ ଏବେ ତେଲ ସଙ୍କଟ ଟଳିବନି । ଏଭଳି ସ୍ଥିତିରେ ତୈଳ ବିଶୋଧନ କମ୍ପାନି ଗୁଡ଼ିକ ଯେଉଁଠାରୁ ବି ଅଶୋଧିତ ତେଲ ପାଉଛନ୍ତି ଛାନିଆ ହୋଇ କିଣି ନେଉଛନ୍ତି ।
ଉତ୍ତର କୋରିଆରେ ଗତ ସପ୍ତାହରେ ତେଲ କ୍ରେତାମାନେ ୪୦ ବିଡ୍ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୪ଟି ଅଫର ଗ୍ରହଣଯୋଗ୍ୟ ହୋଇଛି । ବ୍ୟାରେଲ ପିଛା ୧୪୦ ଡଲାରରୁ ଉର୍ଦ୍ଧ୍ୱ ମୂଲ୍ୟରେ ଏହି ତେଲ ଡେଲିଭରି ହେଉଛି । ଯେଉଁ ସ୍ଥାନରେ ଅଶୋଧିତ ତେଲ ମିଳୁଛି ତାହାକୁ ପ୍ରିମିୟମ ମୂଲ୍ୟରେ କିଣାଯାଉଛି । ଫଳରେ ଅଶୋଧିତ ତେଲ ବ୍ୟବସାୟରେ ଏକ ପ୍ରକାର ଅପ୍ରତ୍ୟାଶିତ ସ୍ଥିତି ଦେଖାଯାଇଛି । ମଧ୍ୟପ୍ରାଚ୍ୟ ବଜାରରେ ସ୍ଥିତି ସ୍ୱାଭାବିକ ହେଉ ନ ଥିବା ଯୋଗୁ ସାରା ବିଶ୍ୱର ତେଲ ବଜାରରେ ଏଭଳି ଆଶଙ୍କିତ ବାତାବରଣ ସୃଷ୍ଟି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି । ଏସୀୟ ବଜାର ଉପରେ ଅଶୋଧିତ ତେଲ ପାଇଁ ନିର୍ଭରଶୀଳ ୟୁରୋପୀୟ ବିଶୋଧନାଗାର ଗୁଡ଼ିକ ସେମାନଙ୍କ ଉତ୍ପାଦନକୁ କମାଇ ଦେଲେଣି । କାରଣ ସେମାନେ ପର୍ଯ୍ୟାପ୍ତ ସଂଖ୍ୟକ ଅଶୋଧିତ ତେଲ ପାଇବାରେ ସମସ୍ୟା ହେଉଛି । ସେମାନେ ଉତ୍ପାଦନ କମାଇଲେ ହୁଏତ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ସନ୍ତୁଳନ ଉପୁଜିପାରେ ।
ଅନ୍ୟପଟେ ପେଟ୍ରୋଲ ଡିଜେଲ ଭଳି ଉତ୍ପାଦ ବଜାରରେ ଅଭାବ ଦେଖାଯିବ। ସ୍ପାର୍ଟା କମୋଡିଟିଜର ରିସର୍ଚ୍ଚ ମୁଖ୍ୟ ନିଲ୍ କ୍ରସବି କହିଛନ୍ତି, ଅଶୋଧିତ ତୈଳ ପର୍ଯ୍ୟାପ୍ତ ଭାବେ ମିଳୁନାହିଁ । ବ୍ରେଣ୍ଟ ଅଶୋଧିତ ତେଲ ଦର ଉପର ମୁହାଁ ହୋଇଛି । ଫଳରେ ୟୁରୋପୀୟ ରିଫାଇନରମାନେ ସେମାନଙ୍କ ଉତ୍ପାଦନ କ୍ଷମତା କମାଇବେ । ଫ୍ୟୁଚର ମାର୍କେଟ ତୁଳନାରେ ତେଲର ଫିଜିକାଲ ମାର୍କେଟରେ ବଡ ପାର୍ଥକ୍ୟ ଦେଖାଯାଇଛି । ଜୁନ ମାସ ପାଇଁ ତେଲ ଡେଲିଭରି ଗତ ସପ୍ତାହରେ ୧୩% ହ୍ରାସ ହୋଇଛି । ଏହି ଅବଧିରେ ବ୍ୟାରେଲ ପିଛା ୯୫ ଡଲାର ଦେଇ ତେଲ କିଣିଥିଲେ କ୍ରେତା । ହୋର୍ମୁଜ ପ୍ରଣାଳିରେ ଟ୍ରାଫିକ ସ୍ୱାଭାବିକ ନ ହେବା ଯୋଗୁ ଗଲ୍ଫ ତେଲ ବିଶୋଧନାଗାରରେ ପହଞ୍ଚିବା ଲାଗି ଅନେକ ଦିନ ଲାଗିବ । ଯୁଦ୍ଧ ଆଗରୁ ହୋର୍ମୁଜ ପାର କରିଥିବା ଜାହାଜ ଗୁଡ଼ିକ ଏବେ ବିଶୋଧନାଗାରରେ ଲାଗୁଛି । ଏବେ ଏସିଆର ବିଶୋଧନାଗାର ଗୁଡ଼ିକ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ରହୁଥିବା ଦେଖାଯାଇଛି । କୌଣସି ବି ପରିସ୍ଥିତିରେ ସୁରକ୍ଷିତ ଭାବେ ତେଲ ଆସି ପହଞ୍ଚୁ ବୋଲି ସେମାନେ ବିଚାର କରୁଛନ୍ତି । ଯୁଦ୍ଧ ବିରତି ଘୋଷଣା ପରେ ବ୍ରେଣ୍ଟ ବ୍ୟାରେଲ ୧୪୪ ଡଲାର ଛୁଇଁଥିଲା । ଯାହା ୨୦୦୮ର ରେକର୍ଡକୁ ଭାଙ୍ଗିଥିଲା । ତେବେ ଶୁକ୍ରବାର ଏହା ୧୨୬ ଡଲାର ସ୍ତରରେ ବିକ୍ରି ହେଉଥିଲା । ଏହା ସତ୍ତେ୍ୱ ମଧ୍ୟ ଜୁନ ଡେଲିଭରି ତୁଳନାରେ ଅଶୋଧିତ ତେଲ ୩୦ ଡଲାର ଉଚ୍ଚରେ ବିକ୍ରି ହେଉଛି । ନାଇଜେରିଆରେ କମ୍ପାନି ଗୁଡ଼ିକ ୨୫ ଡଲାର ଅଧିକ ଦେୟ ଦେଇ ତେଲ କିଣୁଛନ୍ତି । ଜାପାନର ବିଶୋଧନାଗାର ଗୁଡ଼ିକ ଆମେରିକା ତେଲକୁ ପ୍ରିମିୟମରେ କିଣୁଛନ୍ତି । ଚୀନ ବିଶୋଧନାଗାର ଗୁଡ଼ିକ କାନାଡା ଏବଂ ଭାରତୀୟ ବିଶୋଧନାଗାର ଗୁଡ଼ିକ ଭେନେଜୁଏଲା ତେଲ କିଣିଛନ୍ତି । ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଏହି ଦେଶରୁ ତେଲ କିଣା ୨ ଗୁଣ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନରେ ଆଲୋଚନା ଫେଲ୍,ଏବେ ହୋର୍ମୁଜରେ ୟୁଏସ୍ର ଗେମ୍ ; କଣ କରିବାକୁ ଯାଉଛନ୍ତି ଟ୍ରମ୍ପ ?