ନୂଆଦିଲ୍ଲୀ ୩୧/୦୫: ପ୍ରେମରେ ଲୋକେ ପରସ୍ପର ପାଇଁ ସମୟ, ଭାବନା ଓ ଅର୍ଥ ଖର୍ଚ୍ଚ କରିଥାନ୍ତି । କିନ୍ତୁ ସମ୍ପର୍କ ଛିନ୍ନ ହୋଇଯିବା ପରେ ଟଙ୍କା ଦେବାକୁ ପଡ଼ିବ, ଏ କଥା କେହି କଳ୍ପନା କରିନଥିବେ । ଚୀନ୍ରେ ଆଜିକାଲି ଏଭଳି ଏକ ଅଜବ ଟ୍ରେଣ୍ଡ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ‘ବ୍ରେକଅପ୍ ଫି’ କୁହାଯାଉଛି । ଏଥିରେ କୌଣସି ମାମଲାରେ ସମ୍ପର୍କ ତୁଟାଉଥିବା ବ୍ୟକ୍ତି ନିଜ ସାଥୀକୁ ଟଙ୍କା ଦିଅନ୍ତି । ତେବେ ଏହା କୌଣସି ଆଇନଗତ ନିୟମ ନୁହେଁ । କିନ୍ତୁ ଚୀନ୍ରେ ଏହାକୁ ନେଇ ଦୀର୍ଘ ସମୟ ଧରି ବିତର୍କ ଲାଗିରହିଛି । କିଛି ଲୋକ ଏହାକୁ ସମ୍ପର୍କରେ କରାଯାଇଥିବା ନିବେଶରେ କ୍ଷତିପୂରଣ ବୋଲି ବିବେଚନା କରୁଛନ୍ତି । ଆଉ କିଛି ଏହାକୁ ପ୍ରେମର ବ୍ୟବସାୟୀକରଣ କହୁଛନ୍ତି । ତେବେ ଏହି ବ୍ରେକ୍ଅପ୍ ଫି’ କ’ଣ?
ସାଧାରଣତଃ ଯେତେବେଳେ କୌଣସି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼େ, ସମ୍ପର୍କ ଛିନ୍ନ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କୁ କିଛି ଟଙ୍କା ଦେଇପାରନ୍ତି । କୌଣସି ନିର୍ଦ୍ଧାରିତ ନିୟମ ଅନୁସାରେ ଏହି ରାଶି ସ୍ଥିର ହୋଇନଥାଏ । ଏହା ଦୁଇଜଣଙ୍କ ଆପୋସ ସହମତି, ସମ୍ପର୍କର ଅବଧି ଓ ପରିସ୍ଥିତି ଉପରେ ନିର୍ଭର କରେ । ଅନେକ ମାମଲାରେ ଏହି ରାଶି କିଛି ହଜାର ୟୁଆନ ହୋଇଥାଏ । କିନ୍ତୁ କିଛି ଚର୍ଚ୍ଚିତ ମାମଲାରେ ଏହା ଲକ୍ଷାଧିକ ୟୁଆନ ପହଞ୍ଚିଯାଉଛି ।
ଏହି ଟ୍ରେଣ୍ଡର ସମର୍ଥକଙ୍କ ଅନୁସାରେ, ଯେତେବେଳେ ଦୁଇଜଣ ଦୀର୍ଘ ସମୟ ଯାଏ ସମ୍ପର୍କରେ ରହନ୍ତି, ସେମାନେ ପରସ୍ପର ପାଇଁ ସମୟ, ଭାବନା ଏବଂ ଅନେକ ସମୟରେ ଟଙ୍କା ଖର୍ଚ୍ଚ କରନ୍ତି । ଏହି ସ୍ଥିତିରେ ହଠାତ୍ ସମ୍ପର୍କ ଛିନ୍ନ ହେବା ଦ୍ୱାରା ଅନ୍ୟ ଜଣଙ୍କୁ ଭାବନାତ୍ମକ ଓ ଆର୍ଥିକ କ୍ଷତି ହୋଇପାରେ । ସେଥିପାଇଁ ବ୍ରେକ୍ଅପ୍ ଫି’କୁ ଏକ ପ୍ରକାର କ୍ଷତିପୂରଣ କିମ୍ବା ସମ୍ମାନଜନକ ବିଦାୟ ରୂପେ ଦେଖାଯାଏ । ତେବେ ସମସ୍ତେ ଏହି ଚିନ୍ତାଧାରା ସହ ସହମତ ନୁହନ୍ତି । ଅନେକ ଆଲୋଚକ କହନ୍ତି, ପ୍ରେମ ଓ ସମ୍ପର୍କକୁ ଟଙ୍କା ସହ ଯୋଡ଼ିବା ଉଚିତ୍ ନୁହେଁ । ଚୀନ୍ ସୋସିଆଲ ମିଡିଆରେ ଏହାକୁ ନେଇ ବାରମ୍ବାର ବିତର୍କ ହେଉଛି । କିଛି ଏହାକୁ ଆଧୁନିକ ସମ୍ପର୍କର ବାସ୍ତବତା କହୁଛନ୍ତି । ଯୁବପିଢ଼ି ଏହାକୁ ନେଇ ଭିନ୍ନ ଭିନ୍ନ ରାୟ ଦେଉଛନ୍ତି ।
ଆହୁରି ପଢ଼ନ୍ତୁ...କମ୍ପାନୀର ୩୦ ଦିନରେ ଉଡ଼ିଗଲା ୩୦ ଲକ୍ଷ କୋଟି ଟଙ୍କା , ହୋଇଗଲା ଏହି ବଡ଼ ଭୁଲ୍