ଭୁବନେଶ୍ବର, ୯।୬ : ପଶ୍ଚିମବଙ୍ଗରେ ପୂର୍ବ ସରକାରଙ୍କ ସେହି ଦୂରଦୃଷ୍ଟିହୀନ ନୀତିକୁ ବଦଳାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିରରୁ 'ଧାମ' ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ କେନ୍ଦ୍ର’ (Sri Sri Jagannath Mandir Cultural Center) ଭାବେ ନାମିତ କରାଯିବ। ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମଡିଆ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ପଶ୍ଚିମବଙ୍ଗର ନୂତନ ସରକାରଙ୍କର ଏହି ତ୍ୱରିତ ଏବଂ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ପ୍ରାଣବିନ୍ଦୁ ଏବଂ ଆମ ସାଂସ୍କୃତିକ ଆଧ୍ୟାତ୍ମିକ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ। ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'।

ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସଂକୁଚିତ ରାଜନୈତିକ ଆଭିମୁଖ୍ୟ ଏବଂ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ 'ଜଗନ୍ନାଥ ଧାମ' ନାମର ଅପପ୍ରୟୋଗ କରାଯାଇଥିଲା। ଶ୍ରୀକ୍ଷେତ୍ରର ସନାତନ ଗରିମାକୁ ଅଣଦେଖା କରି କରାଯାଇଥିବା ଏହି ନାମକରଣ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସକୁ ଗଭୀର ଭାବେ ଆହତ କରିଥିଲା।

ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆମର ଗଭୀର ଆପତ୍ତି ଜଣାଇବା ସହ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁଙ୍କ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଦାସର୍ବଦା ଦୃଢ଼ତା ସହ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଆହୁରି ପଢନ୍ତୁ : ଦୀଘାରୁ 'ଧାମ' ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କେବଳ ଲେଖା ହେବ ଶ୍ରୀ ଜଗନ୍ନାଥ ମନ୍ଦିର