ଭୁବନେଶ୍ବର, ୯।୬ : ଦୀଘାରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅକାରୀ ନିର୍ଦ୍ଦେଶ ଦେଇଛନ୍ତି। ଦୀଘାରେ କେବଳ ଶ୍ରୀ ଜଗନ୍ନାଥ ମନ୍ଦିର ଲେଖା ହେବ। ଏ ନେଇ ତୁରନ୍ତ ପ୍ରକ୍ରିୟା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ହସ୍ତଗତ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ । ଦୀଘାରୁ ଧାମ ଶବ୍ଦ ହଟିବା ନେଇ ପ୍ରସ୍ତୁତ ହେବ ଡ୍ରାଫ୍ଟ । ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ବିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଚିଠି ଲେଖିଥିଲେ। ଦୀଘା ମନ୍ଦିରକୁ "ଦୀଘା ଜଗନ୍ନାଥ ଧାମ" ବଦଳରେ "ଶ୍ରୀ ଜଗନ୍ନାଥ ମନ୍ଦିର, ଦିଘା" ଭାବେ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ, "ଜଗନ୍ନାଥ ଧାମ" ଶବ୍ଦଟି କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ। ଯାହା ଭାରତର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ। ଏହି ନାମ ସହିତ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହାସିକ ଭାବନା ଜଡ଼ିତ ରହିଛି। ଦୀଘା ମନ୍ଦିରକୁ 'ଧାମ' ଆଖ୍ୟା ଦିଆଯିବା ଦ୍ୱାରା ଓଡ଼ିଶା ତଥା ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ, ଗବେଷକ ଏବଂ ସାମାଜିକ-ସାଂସ୍କୃତିକ ସଂଗଠନଗୁଡ଼ିକ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।