ଭୁବନେଶ୍ୱର ୧୮/୦୬ : ଏବେକାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅନ୍ୟ ସହ ନିଜର ସମ୍ପର୍କ ଭଲ କରିବା ପୂର୍ବରୁ ପ୍ରଥମେ ନିଜ ସହ ସମ୍ପର୍କକୁ ମଜଭୁତ କରନ୍ତୁ । ବିଶେଷକରି ମହିଳାମାନେ ସବୁବେଳେ ଅନ୍ୟ ପାଇଁ ସବୁକିଛି କରୁଥିବା ବେଳେ ନିଜ ପାଇଁ ଆଦୌ ସମୟ ଦେଇ ନଥାନ୍ତି ।
ଆଧୁନିକ କହି ବୁଲୁଥିବା ଆମ ପିଢି ଏବେ କ୍ରମଶଃ ସମ୍ପର୍କକୁ ବହୁ ପଛରେ ଛାଡି ଆସିଲେଣି । ଡିଜିଟାଲ୍ ଦୁନିଆରେ ମାତି ରହିବା ସହ ନିଜ ଲୋକଙ୍କଠାରୁ ଦୂରତା ବଢାଇ ଚାଲିଛନ୍ତି ସେମାନେ । ଏପରିକି ନିଜଠାରୁ ମଧ୍ୟ ଦୂରେଇ ଚାଲିଛନ୍ତି । ଯାହା ଫଳରେ ଆଜିକାଲି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା କ୍ରମଶଃ ବଢିଚାଲିଛି । ତେଣୁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅନ୍ୟ ସହ ସମ୍ପର୍କ ସୁଧାରିବା ପରିବର୍ତ୍ତେ ନିଜ ସହ ନିଜର ସମ୍ପର୍କକୁ ମଜଭୁତ କରିବା । ଚାଲନ୍ତୁ ଜାଣିବା ଏମିତି କେତେକ ଉପାୟ, ଯାହା ଜରିଆରେ ନିଜକୁ ନିଜେ ଭଲ ପାଇବା ସହଜ ହେବ ।
ନିଜ ପାଇଁ ସଚେତନ ରୁହନ୍ତୁ :
ଅନେକ ସମୟରେ ଲୋକଙ୍କ ସହ ସାମାଜିକ ହେବାକୁ ଯାଇ ଆମେ ନିଜର ପସନ୍ଦ- ନାପସନ୍ଦ ସବୁକିଛି ଭୁଲିଯାଇଥାଉ । କେଉଁ ଜିନିଷ ଖୁସି ଦେଉଛି, କେଉଁ ଜିନିଷ ଦୁଃଖ ଏସବୁ ପ୍ରାୟତଃ ଭୁଲିଯାଇଥାଉ । ଏବେ ଏସବୁ ଉପରେ ଫୋକସ୍ କରିବା ଜରୁରି । ଏହା ଆମକୁ ନିଜ ସହ ଯୋଡ଼ି ହେବାରେ ସହଯୋଗ କରିଥାଏ ।
ନିଜର ସୀମା ରଖନ୍ତୁ :
ଅନ୍ୟକୁ ନା’ କହିବା ସହ ନିଜର ଚିନ୍ତାଧାରାକୁ ନେଇ ସତର୍କ ରୁହନ୍ତୁ । ଯଦି କେହି ଆପଣଙ୍କ ବିଚାର ଓ ଭାବନାକୁ ମାନସିକ ଭାବେ ଦୁର୍ବଳ କରୁଥାନ୍ତି, ତେବେ ତୁରନ୍ତ ତା'ଠାରୁ ଦୂରେଇ ଯା'ନ୍ତୁ । ଏହା ହେଉଛି ସେହି ସୀମା, ଯାହା ଆପଣଙ୍କୁ ନିଜ ସହ ସମ୍ପର୍କ ମଜଭୁତ କରିବାରେ ସହଯୋଗ କରିଥାଏ । ସମ୍ପର୍କରେ ସୀମା ରଖିବା ଦ୍ୱାରା ନିଜ ସହ ସଚ୍ଚୋଟ ଓ ନିଜ ପାଇଁ ଦାୟିତ୍ୱ ସମ୍ପର୍ଣ୍ଣ ରହିପାରିବେ ।
ଭୁଲ୍ ପାଇଁ ଦାୟିତ୍ୱବାନ୍ ହୁଅନ୍ତୁ :
ଅନେକ ସମୟରେ ମନରେ ଚାଲିଥିବା ଲଢେଇକୁ ନେଇ ଆମେ କୌଣସି ଫଳାଫଳରେ ପହଞ୍ଚିପାରି ନଥାଉ । ଏହାର ସବୁଠାରୁ ବଡ଼ କାରଣ ହେଲା ନିଜ ଭୁଲ୍ ନ ମାନିବା । କ୍ଷମା ମାଗିବା ଓ ଭୁଲ୍ ମାନିବା ସବୁଠାରୁ ବଡ଼ ସାହସର କାମ ହୋଇଥିବା ବେଳେ ଅବଶୋଷ ସହ ଜୀଇଁବା ଦୁର୍ବଳତାର ପରିଚୟ ହୋଇଥାଏ ।
ସହଜ ହେବାକୁ ପ୍ରୟାସ କରନ୍ତୁ :
ପ୍ରଥମେ ନିଜକୁ ପଚାରନ୍ତୁ, ମନ ଓ ଶରୀର ଆପଣଙ୍କୁ ସହଜ ଅନୁଭବ କରୁଛନ୍ତି କି? ଏକା ରହିବା ଦ୍ୱାରା ମନରେ ଭୟ ବା ବାହାର ଦୁନିଆ ଆଡକୁ ମନ ଦୌଡୁନି ତ! ଯଦି ଏପରି ହେଉଥାଏ, ତେବେ ମନ ନିଜ ଆଦୌ ସହଜ ହୋଇପାରୁନାହିଁ ।
ନିଜର ନକାରାତ୍ମକତାକୁ ପରିଚୟ କରନ୍ତୁନି :
କୌଣସି ଜିନିଷକୁ ନେଇ ମନ ଅସୁରକ୍ଷିତ ରହୁଛି । ସମୟ ଆସିଲେ ଅନୁଭବ କିମ୍ବା କୌଣସି ଜିନିଷ ସେସବୁକୁ ଉଜାଗର କରୁଛି । ପ୍ରାୟ ଲୋକ ନିଜ ଭିତରେ ଥିବା ଅଭାବକୁ ନିଜର ପରିଚୟ କରି ଦେଇଥାନ୍ତି । ଫଳରେ ସେଠାରୁ ବାହାରିବା ସହଜ ହୁଏନି ।
ଆହୁରି ପଢ଼ନ୍ତୁ...ଝଗଡ଼ା ସମ୍ପର୍କକୁ ଦୁର୍ବଳ ନୁହେଁ ମଜଭୁତ୍ କରେ, ଆପଣାନ୍ତୁ ଏହି ସବୁ ଟିପ୍ସ
ଭାବନାକୁ ବୁଝନ୍ତୁ :
କୁହାଯାଏ ଭାବନାକୁ ଚାପି ରଖୁଥିବା ବ୍ୟକ୍ତି ମଜଭୁତ ହୋଇଥାଏ । ସବୁବେଳେ ଏହି ଫର୍ମୁଲା ଆପଣାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଚାପଗ୍ରସ୍ତ ହୋଇପାରେ । ବରଂ ନିଜର ଭାବନାକୁ ବୁଝିବା ସହ ଏହାକୁ ଆଗେଇ ଯିବାକୁ ଦିଅନ୍ତୁ ।