ଭୁବନେଶ୍ୱର, ୧୮/୦୬: ଜବତ ଦାମୀ ମୋବାଇଲ୍ ଫୋନ୍ ଫେରସ୍ତ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ରାତିରେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ମଞ୍ଚେଶ୍ୱର ଥାନା ଏଏସ୍ଆଇ ରାଜେଶ କୁଲୁ ଓ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ତେବେ ଅନ୍ୟ ଜଣେ ହୋମ୍ଗାର୍ଡ ସର୍ଫରାଜ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀମାନେ ଏହି ୨ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି ।
ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଏକ ମାମଲାରେ ଜଣେ ବ୍ୟକ୍ତିଙ୍କର ୨ଟି ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଥିଲା । ସେ ବ୍ୟକ୍ତି ଜଣକ ତାଙ୍କ ଫୋନ୍ ଫେରସ୍ତ ନେବା ପାଇଁ ଥାନାକୁ ଯାଇ ତଦନ୍ତକାରୀ ଅଧିକାରୀ(ଆଇଓ) ଥିବା ଏଏସ୍ଆଇ ରାଜେଶଙ୍କୁ ଭେଟିଥିଲେ । ରାଜେଶ ଫୋନ୍ ଫେରାଇବା ଲାଗି ଦିନ ଗଡ଼ାଇ ଚାଲିଥିଲେ । ଗତ ୧୫ ଦିନ ମଧ୍ୟରେ ଉକ୍ତ ବ୍ୟକ୍ତି ଜଣକ ଥାନାରେ ଏକାଧିକବାର ପହଞ୍ଚି ରାଜେଶଙ୍କୁ ଖୋଜିଥିଲେ । ହେଲେ ତାଙ୍କୁ ପାଉ ନ ଥିଲେ । ଏହି ସମୟରେ ଦୁଇ ଜଣ ହୋମ୍ଗାର୍ଡ ସର୍ଫରାଜ ଓ ଡ୍ରାଇଭର ଜ୍ୟାତିଙ୍କ ହୁବୁଡ଼ରେ ପଡ଼ିଥିଲେ । ତେବେ ଉଭୟ ତାଙ୍କୁ ମୋବାଇଲ୍ ଫୋନ୍ ଫେରସ୍ତ ପାଇବାରେ ସାହାଯ୍ୟ କରିବେ ବୋଲି କହିଥିଲେ । ସେଥିପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଦୁଇ ଜଣ କହିଥିଲେ । ଦାମୀ ମୋବାଇଲ୍ ହେତୁ ବ୍ୟକ୍ତି ଜଣଙ୍କ ୫୦ ହଜାର ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ।
ଅଧିକ ପଢ଼ନ୍ତୁ :- Police Encounter: ସୁନା ଲୁଟେରାଙ୍କୁ ପୁଲିସର ଏନ୍କାଉଣ୍ଟର, ଦୁଇ ଡକାୟତଙ୍କ ଗୋଡ଼ରେ ବାଜିଲା ଗୁଳି
ଗତ ୧୨ ତାରିଖରେ ଏଏସ୍ଆଇଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ । ଏଏସ୍ଆଇ ଗୋଟିଏ ମୋବାଇଲ୍ ଫେରସ୍ତ କରିଥିଲେ । ତେବେ ବାକି ୨୦ ହଜାର ଟଙ୍କା ଦେଲେ ଆଉ ଏକ ମୋବାଇଲ୍ ଦିଆଯିବ ବୋଲି କହିଥିଲେ ଏଏସ୍ଆଇ ରାଜେଶ । ଦୁଇ ଦିନ ହେବ ବ୍ୟକ୍ତ ଜଣଙ୍କ ଆଉ ଏକ ଫୋନ୍ ପାଇଁ ଥାନାକୁ ଧାଉଁଥିଲେ । ହେଲେ ସେମାନେ ଟଙ୍କା ମାଗିଥିଲେ । ଏମିତିକି ୨୦ ହଜାର ଟଙ୍କା ପାଇଁ ଦୁଇ ହୋମ୍ଗାର୍ଡ ମୋବାଇଲ୍ ମାଲିକଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ତେବେ ଏନେଇ ସେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗକୁ ଯାଇ ଏସ୍ପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ୩ ଜଣ ମିଶି ଥାନା ବାହାରେ ୨୦ ହଜାର କେମିକାଲ ବୋଳା ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ତେବେ ଘଟଣାସ୍ଥଳରୁ ହୋମ୍ଗାର୍ଡ ସର୍ଫରାଜ ଫେରାର ହୋଇଯାଇଥିଲା । ପରେ ଭିଜିଲାନ୍ସ ଟିମ୍ ଏଏସ୍ଆଇ ରାଜେଶଙ୍କ ଘରେ ଚଢ଼ଉ କରିଥିଲା । ଏଏସ୍ଆଇ ରାଜେଶ ଓ ହୋମ୍ଗାର୍ଡ ଜ୍ୟୋତି ରଞ୍ଜନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।