ନୂଆଦିଲ୍ଲୀ ୧୮/୦୬: ସାଧାରଣରେ ଧାରଣା ରହିଛି ଯେ ଝଗଡା କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୁଏ, ଏହା ଆଦୌ ଠିକ୍ ନୁହେଁ, ଅନେକ କ୍ଷେତ୍ରରେ ସମୟର ଆବଶ୍ୟକତା ଅନୁଯାୟୀ ଲଢିବା ଦ୍ୱାରା ସମ୍ପର୍କରେ ଫାଟ ଆସିବା ପରିବର୍ତ୍ତେ ମଜଭୁତ ହୋଇଥାଏ । ପ୍ରତ୍ୟେକ ସମ୍ପର୍କରେ ଲଢେଇ ଜରୁରି । ଅବଶ୍ୟ ଝଗଡାରେ ମତାନ୍ତର ହେବା ଠିକ୍ କିନ୍ତୁ ମନାନ୍ତର ନୁହେଁ । ପ୍ରାୟ ଲୋକଙ୍କର ଧାରଣା ଯେ ଯେଉଁ ସମ୍ପର୍କରେ ଝଗଡା ହୁଏ, ତାହା କ୍ରମଶଃ ଦୁର୍ବଳ ହୋଇଚାଲେ । କିନ୍ତୁ ବାସ୍ତବତା ଠିକ୍ ଓଲଟା । ଯେଉଁ ଦମ୍ପତି ଆଦୌ ଲଢି ନଥାନ୍ତି, ସେମାନେ ହୁଏତ ପରସ୍ପରଠାରୁ ନିଜ ଭାବନାକୁ ଲୁଚାଇଥାନ୍ତି । ପ୍ରତ୍ୟେକ ସମ୍ପର୍କରେ ଦୁଇଟି ଭିନ୍ନ ଭାବନା ରଖୁଥିବା ଲୋକ ରହିଥାନ୍ତି । ସେଥିପାଇଁ କଥାରେ ଅସହମତି ହେବା ସ୍ୱାଭାବିକ । ବାସ୍ତବରେ ଝଗଡା କରିବା ସମସ୍ୟା ନୁହେଁ, ବରଂ ଭୁଲ୍ ଶୈଳୀରେ ଝଗଡା କରିବା । ଯଦି ଉଚିତ୍ ଢଙ୍ଗରେ ନିଜର କଥା ଉପସ୍ଥାପନ କରନ୍ତି, ତେବେ ହାଲ୍କା ଝଗଡା ମଧ୍ୟ ସମ୍ପର୍କକୁ ଧୀରେ ଧୀରେ ମଜଭୁତ କରିପାରିବ । ଚାଲନ୍ତୁ ଜାଣିବା ସେମିତି କେତେକ ନିୟମ, ଯାହା ସମ୍ପର୍କକୁ ଅଧିକ ମଜଭୁତ ଓ ଅନ୍ତରଙ୍ଗ କରିପାରିବ ।

ଏଣୁତେଣୁ କଥା ହୁଅନ୍ତୁନି :

ଯେତେବେଳେ କୌଣସି କଥାରେ ଅସହମତି ହେଉଥାନ୍ତି, ସେତେବେଳେ କେବଳ ସେହି ବିଷୟରେ ହିଁ କଥା ହୁଅନ୍ତୁ । ରାଗରେ ସାଥୀର ପରିବାର ଓ ଚରିତ୍ର ଆଦି ଉପରେ ଟିପଣୀ ଦିଅନ୍ତୁନାହିଁ । ତୁମେ ସବୁବେଳେ ଏପରି କରୁଛି କହିବା ପରିବର୍ତ୍ତେ ମୋତେ ଏହା ଭଲ ଲାଗୁନି କୁହନ୍ତୁ । ଏପରି କରିବା ଦ୍ୱାରା ସାଥୀ ରାଗିବା ପରିବର୍ତ୍ତେ ଆପଣଙ୍କ କଥାକୁ ସହଜରେ ବୁଝିପାରିବେ ।

ଜବାବ୍ ପାଇଁ ନୁହେଁ, ବୁଝିବା ପାଇଁ ଶୁଣନ୍ତୁ :

ପ୍ରାୟ ଲୋକ ଝଗଡା ସମୟରେ ଓଲଟା ଜବାବ୍ ଦେବା ପାଇଁ କଥା ଶୁଣିଥାନ୍ତି, ଯାହା ଆଦୌ ଠିକ୍ ନୁହେଁ । ବରଂ ଭାବନାକୁ ବୁଝିବା ପାଇଁ କଥା ଶୁଣନ୍ତୁ । ସାଥୀ କଥା କହିବା ବେଳେ ମଝିରେ କଥା କହିବା ପରିବର୍ତ୍ତେ ଶୁଣନ୍ତୁ ।ପ୍ରତିଥର ଗୋଟିଏ କଥା ଉପରେ ଚର୍ଚ୍ଚା କରିବା ଉଚିତ୍ ।

ଉଚ୍ଚସ୍ୱର ନୁହେଂ, ବରଂ ମଜବୁତ କଥା କୁହନ୍ତୁ :

ବଡ଼ ପାଟିରେ କଥା କହିବା ଦ୍ୱାରା କୌଣସି କଥା ଠିକ୍ ହୋଇଯାଏନା । ବଡ଼ ପାଟିରେ କଥା କହିବା ଦ୍ୱାରା ସାଥୀଙ୍କ ଫୋକସ୍ ବାସ୍ତବ ବିଷୟ ପରିବର୍ତ୍ତେ ରାଗ ଉପରେ ବଢିଥାଏ ।

 

ଆହୁରି ପଢ଼ନ୍ତୁ...ଆପଣ ବି ନିଜ ବୟସଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି କି? ଦୈନନ୍ଦିନ ଜୀବନଶୈଳୀରେ ଆଣନ୍ତୁ ଏହି ସବୁ ପରିବର୍ତ୍ତନ

ଜିଦି କରିବା ପରିବର୍ତ୍ତେ ସମାଧାନକୁ ଗୁରୁତ୍ୱ ଦିଅନ୍ତୁ :

ସାଥୀଙ୍କ ସହ ଝଗଡା କରିବା ସମୟରେ ମନେ ରଖିବା ଦରକାର ଯେ ଏହା କୌଣସି ପ୍ରତିଯୋଗିତା ନୁହେଁ, ଯାହାକୁ ଜିତିବା ଜରୁରି । ତେଣୁ ଜିଦିରେ ବସିବା ଅପେକ୍ଷା ସମାଧାନକୁ ଗୁରୁତ୍ୱ ଦେବା ଶିଖନ୍ତୁ ।

କ୍ରୋଧକୁ ସୀମାରେ ରଖନ୍ତୁ :

କ୍ରୋଧ ଅନିୟନ୍ତ୍ରିତ ହେଲେ ଝଗଡାକୁ ରୋକିଦିଅନ୍ତୁ । ନଚେତ୍ ସମ୍ପର୍କରେ ଦୂରତା ବଢିଯାଇପାରେ ।