ଭୁବନେଶ୍ୱର,୨୭/୦୭: କୋମଳମତି ପିଲାମାନେ ଅଧିକ ଓଜନର ବସ୍ତାନି ନେଇ ସ୍କୁଲ ଯାଇପାରିବେନି । ଏଥିପାଇଁ ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।  ହେଲେ ଏବେ ବି ଏହି ନିୟମ ଉଲ୍ଲଂଘନ ହେଉଛି । ଛାତ୍ରଛାତ୍ରୀ ଅଧିକ ଓଜନର  ବସ୍ତାନି ଧରି ସ୍କୁଲ ଯାଉଥିବା ବେଳେ ଶିକ୍ଷକ ଏ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି । 

୨୦୨୪ରେ  ଓଏଚ୍‌ଆର୍‌ସିରେ ଜଣେ ମାନବାଧିକାର କର୍ମୀ ମଧ୍ୟ ଏ ନେଇ ମାମଲା ରୁଜୁ କରିଥିଲେ । ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା  ୫୭୦୭/୮/୩/୨୦୧୯କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ଥିବା ସମସ୍ତ ସରକାରୀ,  ସରକାରୀ ସହାୟତାପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟଗୁଡିକ ଏହି ନିୟମ  ମାନିବାକୁ ବାଧ୍ୟ । ସେମାନେ କି ପଦକ୍ଷେପ ନେଲେ ତାହା ଓସେପାକୁ ୩  ଦିନ ମଧ୍ୟରେ ଜଣାଇବାକୁ ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ସ୍କୁଲକୁ ଅଧିକ ଓଜନର ବ୍ୟାଗ ନ ନେବାକୁ ନିର୍ଦ୍ଦେଶାବଳୀ ରହିଛି ।

 ଉକ୍ତ  ନିର୍ଦ୍ଦେଶାବଳୀ କହୁଛି, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଦେଢ କେଜି  ଓଜନର ବ୍ୟାଗ ନେଇ ସ୍କୁଲ ଯିବେ । ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ୨-୩  କେଜି, ଷଷ୍ଠ ଓ ସପ୍ତମ ପାଇଁ ୪ କେଜି, ଅଷ୍ଟମ ଓ ନବମ ପାଇଁ ୪.୫ କେଜି  ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବହିଖାତା ସହ ବ୍ୟାଗର ଓଜନ ୫ କେଜି ରହିବା ଉଚିତ ।