ଜଳେଶ୍ୱର ୦୨/୦୨(ସ୍ଵ. ପ୍ର  ) : ସରସ୍ବତୀ ପୂଜା ପାଳନ  ପାଇଁ ସ୍କୁଲରେ  ଅନୁମତି ମିଳିଲାଣି। ଶେଷରେ  ସ୍କୁଲ ଗେଟ ଆଗରେ ଛାତ୍ରଛାତ୍ରୀ ପୂଜା କରିଛନ୍ତି।  ଜଳେଶ୍ୱର ବ୍ଲକର  ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ ସାମ୍ନାରେ ଏହା ଦେଖିବାକୁ ମିଳିଛି।

ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ। ତେଣୁ ଅଭିଭାବକ ଓ ପିଲାମାନେ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଟେଣ୍ଟ ବାନ୍ଧି ମେଢ଼ କରିଛନ୍ତି। ଆଉ ବାଗ୍‌ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ରୀତିନୀତି ଅନୁସାରେ  ପୂଜା କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି।

ଏନେଇ ସ୍କୁଲ ସଭାପତି ଚନ୍ଦନ କୁମାର ଦାସ କହିଛନ୍ତି,  ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷାଅଧିକାରୀ ଅନୁମତି ଦେଲେନି। ତେଣୁ ଆମେ ପିଲାଙ୍କୁ ନେଇ ଗେଟ୍‌ ବାହାରେ ପୂଜା କରୁଛୁ। ଏ ସମ୍ପର୍କରେ  ଡିଇଓ ପ୍ରାଚୀ ତନୟା ଗିରି କହିଛନ୍ତି ଯେ ,  ସେଠାରେ ପୂଜା କରାଯାଏ ନାହିଁ। ପୂର୍ବରୁ ମଧ୍ୟ କେବେ ହେଲେ ସ୍କୁଲରେ  ପୂଜା କରାଯାଇ ନାହିଁ। ସେଠାରେ ପୂଜା କରାଗଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ତହସିଲଦାର ଓ ଆଇଆଇସି ଫୋନ୍‌ କରି କହିଥିଲେ। ତେଣୁ ପୂଜା ବନ୍ଦ କରାଯାଇଛି। ଯଦି କିଛି ନୂଆ ପରମ୍ପରା ସୃଷ୍ଟି କରିବାକୁ ଚାହୁଁଛନ୍ତି, ତାହାହେଲେ ଗାଁ ଲୋକମାନେ ବସି ନିଷ୍ପତ୍ତି ନେବେ ବୋଲି ଡିଇଓ କହିଛନ୍ତି।