ସିମୁଳିଆ,୧୧/୦୮: ସିମୁଳିଆ ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ରିଆଡମିଶନ ଫି' ବୃଦ୍ଧିକୁ ବିରୋଧ କରି ମୁଖ୍ୟ ଫାଟକରେ ତାଲା ପକାଇଲେ ପିଲା । ଏହା ସହିତ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ୩ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ଛାତ୍ରଛାତ୍ରୀମାନେ ପ୍ରତିବାଦରୁ ଓହରି ଯାଇଥିବାର ସୂଚନା ମିଳିଛି ।
ସୂଚନା ମୁତାବକ, ସିମୁଳିଆ ମହାବିଦ୍ୟାଳୟରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ବିଭାଗର କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ଯୁକ୍ତ ୩ର ତୃତୀୟ ଅର୍ଥାତ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ରିଆଡମିଶନ ପି'ବାବଦକୁ ୩୩୯୦ଟଙ୍କା ଦେବାକୁ କଲେଜ ପକ୍ଷରୁ ସ୍ଥିର ହୋଇଛି । ଏହି ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ ଭିତ୍ତିକ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ନୁହନ୍ତି । ରିଆଡମିଶନ ଫି' ଅନ୍ୟ ମହାବିଦ୍ୟାଳୟ ଅପେକ୍ଷା ସିମୁଳିଆ କଲେଜରେ ଅଧିକ ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗରିବ ଶ୍ରେଣୀର ପିଲାମାନେ ବର୍ଦ୍ଧିତ ଫି' ଦେବା ପାଇଁ ଅକ୍ଷମ ବୋଲି କହିଛନ୍ତି ।
ସେହିପରି ପୂର୍ବ ବର୍ଷ ଠାରୁ ପ୍ରାୟ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷଙ୍କୁ ଏକ ଲିଖିତ ଦାବି ପତ୍ର ଦେବା ସହିତ ବର୍ଦ୍ଧିତ ଫିସ୍କୁ ହ୍ରାସ କରିବା ଦାବି କରିଥିଲେ । ସୋମବାର ୧୦ଟା ୩୦ରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ବନ୍ଦ କରି ପ୍ରତିବାଦ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅର୍ଜୁନ ଚରଣ ପ୍ରଧାନ ପିଲାମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ୩ ଦିନ ସମୟ ନେବା ପରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।