ସାଲେପୁର,୨୯/୦୭: ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ । ବିଦ୍ୟାଳୟ ସମ୍ମୁଖରେ ଧାରଣା ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। କଟକ ସାଲେପୁର ମାଛୁଆତି ପ୍ରାଥମିକ ସ୍କୁଲ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ମାଛୁଆତି ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକକୁ ଅନ୍ୟତ୍ର ବଦଳି କରାଯାଇଛି। ଏହାକୁ ବିରୋଧ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଶିକ୍ଷକଙ୍କୁ ପୁଣିଥରେ ତୁରନ୍ତ ସ୍କୁଲକୁ ଫେରାଇ ଆଣିବାକୁ ଦାବି କରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଗ୍ରାମବାସୀମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ଯାହାକୁ ନେଇ ବିଦ୍ୟାଳୟରେ ପାଠପଢ଼ା ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାକାରୀମାନେ ପ୍ରକାଶ କରିଛନ୍ତି।