ରାଜନଗର,୨୮/୦୭:  ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ସରକାରୀ ନାଗା ନାରାୟଣ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସିକିଆ ବିଜ୍ଞାନ ଶିକ୍ଷକ ଅମର  ପ୍ରସାଦ ମଲ୍ଲିକ ସ୍କୁଲର ସପ୍ତମ  ଓ ନବମ ଶ୍ରେଣୀର ଏକାଧିକ  ଛାତ୍ରୀଙ୍କୁ ଅସଦାଚରଣ କରିଥିବା  ନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ  କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକ ମାନସ ରଂଜନ  ମିଶ୍ର ହସ୍ତକ୍ଷେପ କରି ତାଳଚୁଆ  ସାମୁଦ୍ରିକ ଥାନାରେ ଶିକ୍ଷକ ଅମରଙ୍କ  ବିରୋଧରେ ଅଭିଯୋଗ କରିଥିଲେ ।  

ଅଭିଯୋଗ ଆଧାରରେ ପୁଲିସ  ଧାରା ୧୨୬(୨୦), ୧୧୫(୨),  ୭୪, ୭୯ (ବିଏନ୍‌ଏସ), ୧୨  ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଥାନାରେ ଅଟକ  ରଖି ପଚରାଉଚରା କରିଥିଲା । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଡାକ୍ତରୀ ମାଇନା କରାଇବା ପରେ କେନ୍ଦ୍ରାପଡ଼ା ପୋକ୍‌ସୋ କୋର୍ଟକୁ  ତାଙ୍କୁ ଚାଲାଣ କରାଯାଇ ପରେ ଜେଲ୍‌  ପଠାଯାଇଥିବା ଆଇଆଇସି ବିମଳ  କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।  ଶ୍ରୀ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଥିବା  କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ  ପବିତ୍ର ମୋହନ ବାରିକ କହିଛନ୍ତି ।