ମାଲକାନଗିରି,୨୬/୧୧: ଗରିବ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ  ରାଜ୍ୟ ସରକାର ଇତିମଧ୍ୟରେ ୩ଟି କିସ୍ତିରେ  ୫ହଜାର ଟଙ୍କା ଲେଖାଏଁ ଦେଇସାରିଲେଣି । ବିଡମ୍ବନା ବିଷୟ ସତେତନତା ଅଭାବରୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି  ମୁଦୁଲିପଡା ଓ ଅଣ୍ଡ୍ରାହଲ ପଞ୍ଚାୟତରେ ଏହି  ଯୋଜନା ଆଣ୍ଠେଇ ପଡିଛି । ଉଭୟ ପଞ୍ଚାୟତରୁ  ୮୦୦ରୁ ଅଧିକ ବଣ୍ଡା ଜନଜାତି ମହିଳା ସୁଭଦ୍ରା ପ୍ରାପ୍ୟରୁ ଏବେ ବି ବଞ୍ଚିତହୋଇ ରହିଛନ୍ତି । ସେମାନଙ୍କ ବ୍ୟାଙ୍କଖାତା, କେୱାଇସି, ଆଧାର ବାୟେମେଟ୍ରିକ ଠିକ୍‌ ନଥିବାରୁ ଅସୁବିଧା  ହେଉଥିବା ଜଣାପଡିଛି ।  

ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ୨ଟି  ପଞ୍ଚାୟତରେ ୧୫୦୦ରୁ ଅଧିକ ବଣ୍ଡା ମହିଳା  ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିଥିଲେ । ହେଲେ ଉଭୟ  ପଞ୍ଚାୟତର ଅଧାରୁ କମ ମହିଳାଙ୍କ ବ୍ୟାଙ୍କ  ଜମାଖାତାରେ ସୁଭଦ୍ରା ଟଙ୍କା ଜମା ହୋଇଥିବା  ବେଳେ ଅଧାରୁ ଅଧିକ ମହିଳାଙ୍କ ଖାତାକୁ  ଟଙ୍କା ଆସି ନଥିବା ଅଭିଯୋଗ ହୋଇଛି । ଟଙ୍କା କେବେ ମିଳିବ କି ନାହିଁ ସେନେଇ  ମହିଳାମାନେ ଚିନ୍ତିତ ଅଛନ୍ତି । ଟଙ୍କା ମିଳିଥିଲେ  ସେମାନେ ନିଜ ପିଲାଙ୍କ ପୋଷାକପତ୍ର, ପାଠ  ପଢାଇବା କାମରେ ଲଗାଇଥାନ୍ତେ । ଆଉ କିଏ  ନିଜ ଘର ମରାମତି କାମରେ ଲଗାଇଥାନ୍ତେ  ବୋଲି ଘାଟିରର ଗୁରୁବାରୀ କ୍ରିର୍ସାନୀ, ଶୁକ୍ରି  ଧଙ୍ଗଡ଼ାମାଝୀ, ବୁଧେଇ ବଡ଼ନାୟକଙ୍କ  ସହିତ ଅନ୍ୟ କେତେକ ମହିଳା କହିଛନ୍ତି ।  ସଭ୍ୟଶିକ୍ଷିତ ସାଧାରଣ ଲୋକେ ସେମାନଙ୍କ  ଆଧାରକାର୍ଡ ଓ ବ୍ୟାଙ୍କରେ କେୱାଇସି ଠିକ  ସମୟରେ ଦେଇ ପାରୁ ନଥିବା ବେଳେ  ଦୁର୍ଗମ ଘାଟିର ନିରୀହ ସାକ୍ଷାରବିହୀନ  ମହିଳାମାନେ ଏସବୁ ଜଟିଳ କାମ କିପରି  କରିପାରିବେ । ତେଣୁ ବଣ୍ଡା ଘାଟିରେ ସ୍ୱତନ୍ତ  କ୍ୟାମ୍ପ କରାଯାଇ ସେମାନଙ୍କ ଆଧାରକାର୍ଡ  ଓ ବ୍ୟାଙ୍କଖାତାକୁ ସଂଶୋଧନ କରିବା ପାଇଁ  ଗ୍ରାମବାସୀ ଦାବି କରିଛନ୍ତି