ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷର ଗୃହ ଯୁଦ୍ଧ ପରେ ସୁଦାନ ରାଜନୀତିରେ ପରିବର୍ତ୍ତନ ଆସିଛି। ତେବେ ଶୁକ୍ରବାର ଖାରତୋମରେ ଥିବା ସୁଦାନର ରାଷ୍ଟ୍ରପତି ଭବନକୁ ସେନା ଅଧିଗ୍ରହଣ କରିଛି ବୋଲି ଘୋଷଣା କରିଛି। ଏହି ସହର ଅର୍ଦ୍ଧସାମରିକ ବାହିନି ଆରଏସଏଫର ଶେଷ ଗଡ ଥିଲା। ଯାହାକୁ ହଟାଇ ସୁଦାନ ସେନା ଉକ୍ତ ଅଞ୍ଚଳକୁ ନିଜ କବଜାକୁ ନେଇଛି। 

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ସୁଦାନ ସେନା ରାଷ୍ଟ୍ରପତି ଭବନରେ ଥିବା ଦେଖାଯାଇଛି। ଏକ ଭିଡିଓରେ ଜଣେ ସେନା ଯବାନ ଆଜି ପବିତ୍ର ରମଜାନର ୨୧ ତମ ଦିନ ବୋଲି କହୁଥିବା ଜଣାପଡିଛି। ଯାହା ଆଜି ଅର୍ଥାତ ଶୁକ୍ରବାର ପଡୁଥିବାରୁ ଏହା ଆଜିର ଘଟଣା ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ସୁଦାନ ସେନାବାହିନିର ଜଣେ କ୍ୟାପଟେନ ଏକ ଭିଡିଓ ଜାରି କରିଛନ୍ତି। ତାଙ୍କ ସେନା ରାଷ୍ଟ୍ରପତି ଭବନରେ ଥିବା ନେଇ ସେ ଘୋଷଣା କରିଛନ୍ତି। 



ରାଷ୍ଟ୍ରପତି ଭବନ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜାରି ହୋଇଥିବା ବିଭିନ୍ନ ଭିଡିଓରେ ଦେଖାଯାଇଛି। ସୈନିକମାନେ ପ୍ରାସାଦର ଧ୍ୱାଂସବଶେଷ ମଧ୍ୟରେ ନିଜ ଅପରେସନ ଜାରି ରଖିଛନ୍ତି। ଆସଲ୍ଟ ରାଇଫଲ୍ ଏବଂ ରକେଟ୍-ଚାଳିତ ଗ୍ରେନେଡ୍ ଲଞ୍ଚର୍ ଧରି ସୈନିକମାନେ ସ୍ଲୋଗାନ ଦେଇ ରାଷ୍ଟ୍ରପତି ଭବନକୁ କବଜା କରୁଥିବା ଦେଖାଯାଇଛି।

ସୁଦାନର ସୂଚନା ମନ୍ତ୍ରୀ ଖାଲିଦ ଅଲ-ଅସର ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ “ଆଜି ଆମ ଦେଶର ପତାକା ଗର୍ବରେ ଉଡୁଛି। ଆମକୁ ଆମ ରାଷ୍ଟ୍ରପତିଭବନ ମିଳିଯାଇଛି। ତେବେ ସଂପୂର୍ଣ୍ଣ ଜୟ ନମିଳିଲା ଯାଏ ଏ ଯାତ୍ରା ଜାରି ରହିବ।”

ଉତ୍ତର-ପୂର୍ବ ଆଫ୍ରିକାରେ ଥିବା ସୁଦାନ ଦେଶ ୨୦୧୯ ମସିହାରେ ଏକ ଜନବିଦ୍ରୋହ ସଂଗଠିତ ହୋଇଥିଲା। ଏହି ବିଦ୍ରୋହ ଫଳରେ ଦେଶରେ ଦୀର୍ଘକାଳୀନ ଓ ନିରଙ୍କୁଶ ଭାବେ ଶାସନ କରୁଥିବା ରାଷ୍ଟ୍ରପତି ଓମାର ଅଲ-ବଶିରଙ୍କୁ ବହିଷ୍କାର କରାଯାଇଥିଲା। ଆଉ ଏହା  ପରଠାରୁ ଦେଶର ସ୍ଥିତି ଅସ୍ଥିର ରହିଛି। ୨୦୨୧ ମସିହାରେ ବୁରହାନ ଏବଂ ଡାଗାଲୋ ଦଳ ଏକ ସାମରିକ ବିଦ୍ରୋହର ନେତୃତ୍ୱ ନେବା ପରେ ଦେଶ ଗୃହଯୁଦ୍ଧରେ ବୁଡି ରହିଛି।

୨୦୨୩ ମସିହା ଏପ୍ରିଲ ମାସ ପରଠୁ ଆରଏସଏଫ ଓ ସୁଦାନ ସାମରିକ ବାହିନି କ୍ଷମତାର କେନ୍ଦ୍ରରେ ରହିବା ପାଇଁ ପରସ୍ପର ସହ ଲଢେଇ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେବେ ଆପଣଙ୍କୁ ଜଣାଇରଖୁ ଯେ ଆରଏସଏଫ ରାଜଧାନୀର ଏକ ବଡ ଅଂଶ ସହ ରଷ୍ଟ୍ରପତି ଭବନ ଉପରେ କବ୍ଜା କରିନେଇଥିଲା। ତେବେ ବିଗତ କିଛି ମାସ ମଧ୍ୟରେ ସେନା ନିଜ ସ୍ଥିତି ମଜବୁତ କରି ଧିରେଧିରେ ରାଜଧାନୀର ଅନେକ ଅଂଶକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଏହାମଧ୍ୟରେ ଗତ ଗୁରୁବାର ଦିନ ଖାର୍ତୁମଠାରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଭୀଷଣ ବୋମାମାଡ ସାଙ୍ଗକୁ ଡ୍ରୋନ ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଥିଲା। 

ତେବେ ଆମେରିକା ଏହାକୁ ବିଶ୍ୱର ସବୁଠୁ ବଡ ମାନବୀୟ ସଙ୍କଟ ମଧ୍ୟରୁ ଅନ୍ୟତମ ବୋଲି ଘୋଷଣା କରିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ସୁଦାନର ଅନେକ ଅଞ୍ଚଳରେ ଖାଦ୍ୟସଙ୍କଟ ସହ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଉଭୟ ପକ୍ଷ ଉପରେ ଅନେକ ଆରୋପ ରହିଛି। କିନ୍ତୁ ଆରଏସଏଫ ଉପରେ ନରସଂହାର ଭଳି ଗୁରୁତର ଆରୋପ ରହିଛି। ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିଲା ବେଳେ ଆମେରିକା ଉଭୟ ପକ୍ଷ ମଧ୍ୟରେ ଶାନ୍ତି ବାର୍ତ୍ତା କରାଇବାକୁ ଚାହୁଁଛି।