ନୂଆଦିଲ୍ଲୀ : ୟୁପିଏସସିର ସିଭିଲ ସେବା ପରୀକ୍ଷା ହେଉଛି ଦେଶର ସବୁଠୁ କଠିନ ପରୀକ୍ଷା ଗୁଡ଼ିକ ମଧ୍ୟରେ ଗୋଟିଏ। ଏହି ପରୀକ୍ଷାକୁ ପାସ୍ କରିବା ପାଇଁ ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମର ଆବଶ୍ୟକ। କିନ୍ତୁ ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ରହୁଥିବା ବଜରଙ୍ଗ ପ୍ରସାଦ ଯାଦବଙ୍କ କାହାଣୀ କିଛି ଏମିତି। ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କେବେ ହାରି ଯାଇ ନଥିଲେ। ଶେଷରେ ନିଜର ଲକ୍ଷ୍ୟ ହାସଲ କରିଥିଲେ। ବଜରଙ୍ଗଙ୍କ ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ,ଯାହାକି ସମସ୍ତଙ୍କୁ ଦୁଃଖ ଓ ଦୁର୍ବିସହ ଭିତରେ କିଛି କରିବାର ଆଗ୍ରହ ସୃଷ୍ଟି କରିବ। ଅନେକ ପାରିବାରିକ ସଙ୍କଟ, ଆର୍ଥିକ ସମସ୍ୟା ଓ ହିନ୍ଦୀ ମିଡିୟମ ବ୍ୟାକଗ୍ରାଉଣ୍ଡ ସତ୍ତ୍ୱେ ବଜରଙ୍ଗ ନିଜର ୩ୟ ପ୍ରୟାସରେ ୟୁପିଏସସି କ୍ରାକ୍ କରି ୪୫୪ ତମ ରାଙ୍କ୍ ହାସଲ କରିଥିଲେ ଏବଂ ଆଜି ସେ ଜଣ ଉତ୍ତମ ଆଇପିଏସ ଅଫିସର ହୋଇ ପାରିଛନ୍ତି।
ବଜରଙ୍ଗ ପ୍ରସାଦ ଯାଦବ ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଧୋବହଟ ଗାଁର ବାସିନ୍ଦା। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗାଁର ଏକ ସାଧାରଣ ସ୍କୁଲରୁ ହୋଇଥିଲା, ଏହାପରେ ସେ ଏକ ପ୍ରାଇଭେଟ୍ ସ୍କୁଲରୁ ନିଜର ୧୦ମ ଓ ୧୨ତମ ପାଠପଢା ପୂରା କରିଥିଲେ। ପିଲାଦିନୁ ହିଁ ପାଠପଢାରେ ମେଧାବୀ ଥିବା ବଜରଙ୍ଗ, ଏହାପରେ ଆହ୍ଲାବାଦ ୟୁନିଭର୍ସିଟି (ପ୍ରୟାଗରାଜ)ରେ ପଢି ଥିଲେ। ସେଠାରୁ ସେ ଗଣିତରେ ବିଏସସି ଡିଗ୍ରୀ ହାସଲ କରି ଥିଲେ।
ଏକ ସାଧାରଣ କୃଷକ ପରିବାରରୁ ଆସିଥିବା ସତ୍ତ୍ୱେ ତାଙ୍କର ପିତାଙ୍କ ସ୍ୱପ୍ନ ଥିଲା ତାଙ୍କ ପୁଅ ଏକ ବଡ଼ ପ୍ରଶାସନିକ ଅଧିକାରୀ ହେଉ। ବାପାଙ୍କ ଏହି ଇଚ୍ଛା ଓ ପ୍ରେରଣାକୁ ପାଥେୟ କରି ବଜରଙ୍ଗ ୨୦୧୯ ମସିହାରେ ୟୁପିଏସସିର ପ୍ରସ୍ତୁତି କରିବାକୁ ଦେଶର ରାଜଧାନୀ ଦିଲ୍ଲୀ ଚାଲି ଗଲେ।
ବଜରଙ୍ଗ ଦିଲ୍ଲୀରେ ନିଜର ପ୍ରଥମ ପରୀକ୍ଷା ଅର୍ଥାତ୍ ପ୍ରିମିଲିମ୍ସର ପ୍ରସ୍ତୁତିରେ ଲାଗି ଥିବା ବେଳେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଖସି ପଡ଼ି ଥିଲା। ଯେଉଁଥିରେ ତାଙ୍କ ଜୀବନର ଦିଗ ବଦଳି ଗଲା। ଗାଁର ଅଭାବୀ ଓ ଦୁର୍ବଳ ଶ୍ରେଣୀୟ ଲୋକଙ୍କୁ ସର୍ବଦା ସାହାଯ୍ୟର ହାତ ବଢାଉ ଥିବା ତାଙ୍କ କୃଷକ ପିତାଙ୍କୁ ୨୦୨୦ ମସିହାରେ, କିଛି ଗୁଣ୍ଡା ଅତି ନିର୍ଦ୍ଦୟୀ ଭାବେ ହତ୍ୟା କରି ଥିଲେ। ଏହି ଭୟଙ୍କର ଓ ଦୁଃଖଦ ଘଟଣା ପୂରା ପରିବାରକୁ ଭାଙ୍ଗି ଦେଇ ଥିଲା।
ଏହି ଗଭୀର ଦୁଃଖରୁ ବାହାରିବା ବଜରଙ୍ଗଙ୍କ ପାଇଁ ଖୁବ୍ ମୁସ୍କିଲ ଥିଲା। କିନ୍ତୁ ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ସେ ମନକୁ ଦୃଢ କଲେ। ଅନ୍ୟାୟ ବିରୋଧରେ ଲଢିବା ପାଇଁ ଦେଶର ସବୁଠୁ ବଡ଼ ଶକ୍ତି ଅର୍ଥାତ୍ ଆଇନର ସ୍ୱର ସାଜିବେ ବୋଲି ପଣ କରିନେଲେ। ସ୍ଥିର କରି ନେଲେ ,ଯେକୌଣସି ପରିସ୍ଥିତିରେ ସିଭିଲ ସେବା ପରୀକ୍ଷା ପାସ୍ କରିବେ , ଯାହାକି ସମାଜର ଶୋଷିତଙ୍କୁ ନ୍ୟାୟ ମିଳି ପାରିବ ଏବଂ ଅନ୍ୟ କୌଣସି ନିର୍ଦ୍ଦୋଷ ପରିବାରକୁ ଏମିତି ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ିବ ନାହିଁ।
ପିତାଙ୍କ ମୃତ୍ୟୁ ପରେ ପୂରା ପରିବାର ବଡ଼ ଆର୍ଥିକ ସଙ୍କଟରେ ପଡ଼ି ଗଲା। ଦିଲ୍ଲୀରେ ରହି କୋଚିଂ ଓ ପାଠପଢାର ଖର୍ଚ୍ଚ ବହନ କରିବା ବଜରଙ୍ଗଙ୍କ ପାଇଁ ଅସମ୍ଭବ ଥିଲା। ଏମିତି ବିପରୀତ ସ୍ଥିତିରେ ସେ ସାହସ ହରାଇ ନଥିଲେ ଏବଂ କ୍ଷେତର ଶସ୍ୟ ଆଦି ବିକ୍ରି କରି ଦିଲ୍ଲୀରେ ନିଜର କୋଚିଂ ଫି ଜମା କରୁଥିଲେ।
ଏହି କଠିନ ସମୟରେ ତାଙ୍କର ମାଆ ଫୋନରେ ଲଗାତାର ତାଙ୍କର ମନକୁ ଦୃଢ କରାଉ ଥିଲେ। ପୁଅକୁ ସାହସ ଦେଉ ଥିଲେ। ମଜବୁତ କାନ୍ଥ ପରି ଠିଆ ହୋଇ ଥିଲେ। ଦୁଇଟି ପ୍ରୟାସରେ ଅସଫଳ ପରେ ମଧ୍ୟ ବଜରଙ୍ଗ ନିଜର ସାହାସ ଓ ଇଚ୍ଛାକୁ ଭାଙ୍ଗିବାକୁ ଦେଇ ନଥିଲେ। ସେ ନିଜର ଭୁଲକୁ ସୁଧାରିବା , ହିନ୍ଦୀ ମାଧ୍ୟମକୁ ନିଜର ଶକ୍ତି କଲେ ଏବଂ ୩ୟ ପ୍ରୟାସରେ ୨୦୨୩ରେ ଦେଶର ସବୁଠୁ ବଡ଼ ପ୍ରତିଷ୍ଠିତ ପରୀକ୍ଷାରେ ୪୫୪ ତମ ରାଙ୍କ ଆଣି ନିଜର ସ୍ୱର୍ଗୀୟ ପିତାଙ୍କ ସ୍ୱପ୍ନକୁ ସାକାର କରି ଦେଖାଇ ଥିଲେ। ବଜରଙ୍ଗଙ୍କ ଏହି କାହାଣୀ ଆଜି ସାରା ଦେଶର ଲକ୍ଷ ଲକ୍ଷ ହିନ୍ଦୀ ମିଡିୟମର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ସବୁଠୁ ବଡ଼ ବଡ଼ ଉତ୍ସ ପାଲଟିଛି।
ଏହା ମଧ୍ୟ ପଢନ୍ତୁ : ଅଫିସ୍ରେ ଅଧିକ କାମ କରି ଗାଳି ଶୁଣିଲେ କର୍ମଚାରୀ, ମ୍ୟାନେଜର୍ କହିଲେ ଏମିତି କିଛି