ମୁମ୍ୱାଇ : ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ କଣ୍ଠସ୍ୱର ଏମିତି ଥିଲା ଯେ,ସେ ପ୍ରତି ମଣିଷଙ୍କ ହୃଦୟରେ ନିଜର ଗୀତ ମାଧ୍ୟମରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି। ତାଙ୍କ କଣ୍ଠସ୍ୱରର ଲକ୍ଷ ଲକ୍ଷ ଦିୱାନା। ଛୋଟରୁ ବଡ଼ ସବୁ ବୟସର ଲୋକେ ଝୁମନ୍ତି ତାଙ୍କ ଗୀତରେ। ଏବେ ଆପଣଙ୍କୁ ତାଙ୍କର ଏହି ସ୍ୱରକୁ ନେଇ ଏକ ଏମିତି କଥା ଜଣାଇବୁ , ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି କଥା ଜଣେ କଏଦୀର , ଯିଏକି ଫାଶୀଦଣ୍ଡ ପୂର୍ବରୁ ମହମ୍ମଦ ରଫିଙ୍କ ଗୀତ ଶୁଣିବାର ଶେଷ ଇଚ୍ଛା ପ୍ରକାଶ କରିଥିଲା।

ମ୍ୟୁଜିକ କମ୍ପୋଜର ନୌଶାଦଙ୍କ ପାଇଁ ମହମ୍ମଦ ରଫି ଅନେକ ଥର ଗାଇଛନ୍ତି। ଏବେ ନୌଶାଦ ହିଁ ଏହି କଥା କହିଥିଲେ ଯେ, ଜଣେ ଅପରାଧୀକୁ ଫାଶୀଦଣ୍ଡ ଶୁଣା ଯାଇଥିଲା। ଯେଉଁ ଦିନ ତାର ଫାଶୀ ହେବାର ଥିଲା ,ତାକୁ ଶେଷ ଇଚ୍ଛା ପଚରା ଯାଇଥିଲା। ସମସ୍ତେ ଭାବୁଥିଲେ କଏଦୀ ଜଣକ କୌଣସି ବଡ଼ ଇଚ୍ଛା ପ୍ରକାଶ କରିବ , କାହାକୁ ଭେଟିବା କିମ୍ୱା ଆଉ ଅନ୍ୟ କିଛି ଚାହୁଁବ। କିନ୍ତୁ ସେ କଏଦୀ କହି ଥିଲା ଯେ, ସେ ଯିବା ପୂର୍ବରୁ ଏକ ଗୀତ ଶୁଣିବ। ସେହି ଗୀତଟି ହେଉଛି ମହମ୍ମଦ ରଫି ଗାଇଥିବା ‘ଓ ଦୁନିଆ କେ ରଖୱାଲେ ...’। ତାଙ୍କର ଏହି ଇଚ୍ଛାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ତାଙ୍କର ଶେଷ ଇଚ୍ଛାକୁ ପୂରା କରିବା ପାଇଁ ଏକ ଟେପ୍ ରେକର୍ଡର ଅଣାଯାଇ ପ୍ଲେ କରାଗଲା।

କହି ରଖୁଛୁ କି ଏହି ଗୀତ ପାଇଁ ମହମ୍ମଦ ରଫି ୧୫ ଦିନ ଯାଏ ରିଆଜ କରିଥିଲେ। କେବଳ ଏତିକି ନୁହେଁ, ଗାଇବା ବେଳେ ରଫି ଏତେ ଜୋର ଲଗେଇ ଥିଲେ ଯେ, ତାଙ୍କ ବେକରୁ ରକ୍ତ ବାହାରି ଆସି ଥିଲା। ଏହାପରେ ସମସ୍ତେ ଭାବିଲେ ରଫି ସାହେବ ଆଉ କେବେ ଗୀତ ଗାଇ ପାରିବେ ନାହିଁ। କିନ୍ତୁ ସେ ପୁଣି ଫେରିଲେ ଏବଂ ଏହାପରେ ଆହୁରି ଅନେକ ହିଟ୍ ଗୀତ ଗାଇଲେ।

ମହମ୍ମଦ ରଫିଙ୍କ ସର୍ବ ପ୍ରଥମ ଗୀତ ଜଣେ ପ୍ଲେବ୍ୟାକ୍ ସିଙ୍ଗର ଭାବେ ‘ ସୋନିୟେ ନି ହିରିୟେ..’ ଥିଲା ,ଯାହା ୧୯୪୪ ମସିହାରେ ଆସିଥିଲା। ଏହି ଗୀତକୁ ରଫି ସାହେବ ଜିନତ ବେଗମଙ୍କ ସହ ଫିଲ୍ମ ଗୁଲ ବଲୋଚ ପାଇଁ ଗାଇ ଥିଲେ। ମହମ୍ମଦ ରଫିଙ୍କୁ ତାଙ୍କର ଏହି ଯାଦୁକରୀ ସ୍ୱର ପାଇଁ ୬ଟି ଫିଲ୍ମ ଫେୟାର ଓ ଗୋଟିଏ ନ୍ୟାସନାଲ ପୁରସ୍କାର ମିଳି ଥିଲା। ଏହା ବ୍ୟତୀତ ମହମ୍ମଦ ରଫିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇ ଥିଲା।

ଉଲ୍ଲେଖନୀୟ ଯେ, ଯେବେ ମହମ୍ମଦ ରଫିଙ୍କ ଦେହାନ୍ତ ହୋଇଥିଲା , ସେହି ଦିନ ବହୁତ ଜୋରରେ ବର୍ଷା ହେଉଥିଲା, କିନ୍ତୁ ଏହା ସତ୍ତ୍ୱେ ୧୦ ହଜାର ଲୋକ ତାଙ୍କୁ ଶେଷ ବିଦାୟ ଦେବାକୁ ଆସିଥିଲେ। ଏତେ ସଂଖ୍ୟାରେ ଭିଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ଲୋକଙ୍କ ହୃଦୟରେ ଜଣଙ୍କ ପ୍ରତି ଏତେ ଭଲ ପାଇବା ଦେଖି ସମସ୍ତେ ଭାବପ୍ରବଣ ହୋଇ ଥିଲେ।

ମହମ୍ମଦ ରଫିଙ୍କ ଶେଷ ଗୀତ ଶାମ ଫିର୍ କ୍ୟୋଁ ଉଦାସ ହୈ ... ଥିଲା । ଏହି ଗୀତ ଫିଲ୍ମ ‘ଆସପାସ୍’ ର ଥିଲା। ଏଥିରେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ମ୍ୟୁଜିକ୍ ଦେଇଥିଲେ। ଏହି ଗୀତକୁ ୩୧ ଜୁଲାଇ ୧୯୮୦ରେ ରଫି ରେକର୍ଡ କରିଥିଲେ ଏବଂ ରିପୋର୍ଟ ମୁତାବିକ ସିଙ୍ଗରଙ୍କର ଦେହାନ୍ତ ଏହି ଗୀତକୁ ରେକର୍ଡ କରିବାର ଦିନକ ପରେ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ : ନିତି ସକାଳ ୪ଟାରେ ରିଟାୟରମେଣ୍ଟ କଥା ମନକୁ ଆସେ, ଭାବୁଛି ମୁଁ ...