ହାଇଦ୍ରାବାଦ ୧୦/୦୧: ଭାରତକୁ ଆଉ ନିଜସ୍ୱ ହାଇପରସୋନିକ୍ କ୍ରୁଜ ମିଶାଇଲ ଓ ବ୍ରହ୍ମୋସ-୨ ମିସାଇଲର ଇଞ୍ଜିନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । କେବଳ ଏତିକି ନୁହେଁ, ଭାରତ ଏଭଳି ମିସାଇଲ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛି ଯାହାକି ରୁଷର ଓରେସ୍ନିକ ମିସାଇଲ ଭଳି ତ୍ୱରିତ ଓ ଘାତକ ଆକ୍ରମଣ କରିପାରିବ । କାରଣ ଏ କ୍ଷେତ୍ରରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ (ଡିଆରଡିଓ) ର ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଲାବରେଟୋରୀ (ଡିଆରଡିଏଲ୍) ଏକ କ୍ରାନ୍ତିକାରୀ ଉପଲବ୍ଧି ହାସଲ କରିଛି । ଡିଆରଡିଏଲ୍ ନିଜର ଅତ୍ୟାଧୁନିକ ସ୍କ୍ରାମଜେଟ୍ କନେକ୍ଟ ପାଇପ୍ ଟେଷ୍ଟ (ଏସ୍ସିପିଟି) କେନ୍ଦ୍ରରେ ଶୁକ୍ରବାର ଫୁଲ୍ ସ୍କେଲ୍ଡ ଆକ୍ଟିଭ୍ଲି କୁଲ୍ଡ ସ୍କ୍ରାମଜେଟ କମ୍ବଷ୍ଟରର ଦୂରଗାମୀ ଗ୍ରାଉଣ୍ଡ ଟେଷ୍ଟ ସଫଳତା ପୂର୍ବକ କରାଯାଇଛି । ଏହି ଟେଷ୍ଟ ୭୨୦ ସେକେଣ୍ଡ (୧୨ ମିନିଟ) ପର୍ଯ୍ୟନ୍ତ ଚାଲିଥିଲା । ଯାହା ଭାରତର ହାଇପରସୋନିକ ଟେକ୍ନୋଲୋଜି କ୍ଷେତ୍ରରେ ଏକ ବଡ ଉପଲବ୍ଧି ।
ଗତବର୍ଷ ଡିଆରଡିଓ ସ୍କ୍ରାମଜେଟ୍ ଇଞ୍ଜିନର ସ୍ୱଳ୍ପ ଦୂରଗାମୀ ପରୀକ୍ଷା କରିଥିଲା । କିନ୍ତୁ ଆଜି ଦୂରଗାମୀ ପରୀକ୍ଷା କରିବାରେ ସକ୍ଷମ ହୋଇଛି । ଏହି ସଫଳତା ପରେ ଆମେରିକା, ରୁଷ ଓ ଚୀନ୍ ଭଳି ହାତଗଣତି ଏଲିଟ୍ ଦେଶ ତାଲିକାରେ ଭାରତ ସାମିଲ ହୋଇଛି । ଯେଉଁମାନେ ସ୍କ୍ରାମଜେଟ ଟେକ୍ନୋଲୋଜି ମାଧ୍ୟମରେ ଘଣ୍ଟାପ୍ରତି ୭୪୦୮ କି.ମି. ବେଗରେ ଗତି କରିପାରୁଥିବା ମିସାଇଲ ନିର୍ମାଣ କରିପାରୁଛନ୍ତି । ଏହା ରଣନୀତିକ ପ୍ରତିରୋଧକୁ ମଜଭୁତ କରିପାରିବ ।