ଗୋପାଳପୁର/ ବ୍ରହ୍ମପୁର, ୨୧/୦୪: ପୁଲିସ ଯେତେ ଉଦ୍ୟମ କଲେ ବି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଠାବ କରିବାରେ ସଫଳ ହୋଉନି । ୬ ଦିନ ବିତିଗଲାଣି, ଅପହୃତ ବ୍ୟବସାୟୀଙ୍କ ପତ୍ତା ନମିଳିବା ପୁଲିସ ପାଇଁ ଚ୍ୟାଲେଞ୍ଜ୍ ହୋଇଛି । ବ୍ୟବସାୟୀ ସୁଧୀରଙ୍କୁ ମାଡ଼ ମାରିବା ଭିଡିଓ ପୁଲିସ ହସ୍ତଗତ ହୋଇଥିବାବେଳେ ତାଙ୍କୁ ରକ୍ତାକ୍ତ କରି ପିଟୁଥିଲେ ଅପହରଣକାରୀ । ସୁଧୀରଙ୍କ ସ୍ଥିତିକୁ ନେଇ ଏବେ ପରିବାର ଚିନ୍ତିତ । ଘଟଣାରେ ପୁଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ସହର ଉପକଣ୍ଠ ଏକ ଫାଣ୍ଡିରେ ରଖି ଜେରା କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଉଛି । ତେବେ ପୁଲିସ ଏ ନେଇ ମୁହଁ ଖୋଲୁନି ।
ବ୍ରହ୍ମପୁର ପୁଲିସ ଜିଲ୍ଲାର ବହୁ ବଛା ବଛା ଅଧିକାରୀ ଏହି ଅପରାଧର ଖୁଲାସା କରିବା ପାଇଁ କାମ କରୁଛନ୍ତି । ସମସ୍ତେ ଦିନ ରାତି ଏକ କରି ଲାଗିଛନ୍ତି । ହେଲେ ସୁଫଳ ମିଳୁନି । ସୁଧୀରଙ୍କୁ କାହିଁକି ଏବଂ କିଏ ଅପହରଣ କରିଥିଲା ପୁଲିସ ଅଳ୍ପ ବହୁତେ ଜାଣି ସାରିଛି । ହେଲେ ଅପହରଣରେ ଥିବା ମୁଖ୍ୟ ଅଭିଯୁକ୍ତ ହାତ ଲାଗୁନି । ଯାହାଫଳରେ ସୁଧୀରଙ୍କ ପତ୍ତା ମିଳୁନି କି ଅପରାଧୀ କୋଉଠି ଅଛନ୍ତି ତାହା ମଧ୍ୟ ଜଣାପଡୁନି । ସବୁ ଘଟଣା ନାଟକୀୟ ଢଙ୍ଗରେ କରାଯାଇଛି ।
ଅଧିକ ପଢ଼ନ୍ତୁ :- ପ୍ଲଟ୍ ବ୍ୟବସାୟ କିଡନାପ୍ କେସ୍: ପୁଲିସକୁ ମିଳିଲା ସୁଧୀରଙ୍କୁ ନିର୍ଯାତନା ଦେବାର ଭିଡିଓ, ଅପହରଣକାରୀଙ୍କୁ ଟଙ୍କା, ସୁନା ଦେବାକୁ ଯାଇଥିଲେ ପତ୍ନୀ...
ଗତ ୧୫ ତାରିଖରେ ଗୋପାଳପୁର ଥାନା ବଣାଗାଁକୁ ସୁଧୀର ଭଲି ବଲ୍ ଖେଳିବାକୁ ଯାଇଥିଲେ । ସନ୍ଧ୍ୟାରେ ସେଠାରୁ ଫେରୁଥିବାବେଳେ ଅପରାଧୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି । ତାଙ୍କ ବାଇକ୍ ବଣଗାଁ ରାସ୍ତାରୁ ଉଦ୍ଧାର କରିଥିଲା । ସୋମବାର ଆମ୍ ଆଦମୀ ପାର୍ଟିର ଗୋପାଳପୁର ବିଧାୟକ ପ୍ରାର୍ଥୀ ଏନ.ନୀଳକଣ୍ଠ ରେଡ୍ଡି ସୁଧୀର ପାତ୍ରଙ୍କ ବାପାଙ୍କୁ ଭେଟିଛନ୍ତି । ସେ ଗୋପାଳପୁର ଥାନା ଅଧିକାରୀଙ୍କ ସହ ଫୋନରେ କଥା ହୋଇ ସୁଧୀରଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।