ଗୋପାଳପୁର/ବ୍ରହ୍ମପୁର,୨୦/୦୪: ଗଞ୍ଜାମ ଜିଲ୍ଲାରେ ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ୍ । ପୋଲସରାରେ ଅପହରଣ କରି ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସେପଟେ ଗୋପାଳପୁର ଥାନା ସତ୍ୟନାରାୟଣପୁର କରାପଲ୍ଲୀ ମୁଖ୍ୟ ରାସ୍ତାରେ ରହୁଥିବା ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କ ଅପହରଣର ପାଞ୍ଚଦିନ ମଧ୍ୟରେ କୌଣସି ଖୋଜ ଖବର ପାଇପାରିନି ପୁଲିସ । ଗତ ୧୫ ତାରିଖ ସନ୍ଧ୍ୟାରୁ ଅପହରଣ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏହି ମାମଲାରେ କିଛି ଅପରାଧୀଙ୍କୁ ଉଠାଇ ଆଣି ମାରାଥନ୍ ଜେରା କରୁଛି । ସୁଧୀରଙ୍କ ନିକଟତମ ସମ୍ପର୍କୀୟଙ୍କୁ ମଧ୍ୟ ଥାନାକୁ ନେଇ ପଚରାଉଚରା କରିଛି । ତେବେ ସୁଧୀର ଏବେ କୋଉଠି ଏବଂ କେଉଁ ସ୍ଥିତିରେ ଅଛନ୍ତି ତାହା କାହାକୁ ଜଣାନାହିଁ । ପରିବାର ଲୋକ ଏବେ ଚିନ୍ତାରେ ରହିଛନ୍ତି । ଅପହରଣକାରୀ ସୁଧୀରଙ୍କୁ ନିର୍ଯାତନା ଦେବାର ଏକ ଭିଡିଓ ପୁଲିସ ହସ୍ତଗତ ହୋଇଥିବା ସୂଚନା ମିଳିଛି ।
୧୫ ତାରିଖ ସନ୍ଧ୍ୟାରେ ତାଙ୍କୁ ଅପହରଣ କରିବା ପରେ ରାତିରେ ଏକ ଭିଡିଓ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ମୋବାଇଲ୍କୁ ଆସିଛି । ସେଥିରେ ଜଣେ ପିସ୍ତଲ ଧରି ତଳକୁ ଫାଙ୍କା ଗୁଳି ଚଳାଇଥିଲା ଏବଂ ଅନ୍ୟମାନେ ସୁଧୀରଙ୍କୁ ପିଟୁଥିଲେ । ଏହି ଭିଡିଓ ପଠାଇ ଘରେ ଯାହା ସୁନା ରୁପା ଏବଂ ଟଙ୍କା ଅଛି ଧରି ଆସିକା ନେବାକୁ କହିଥିଲେ । ୧୬ ତାରିଖ ସକାଳେ ରଶ୍ମିତା ବ୍ୟାଗ୍ରେ ସୁନା ଅଳଙ୍କାର ଓ ଟଙ୍କା ନେଇ ଆସିକାରେ ପହଞ୍ଚିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଭିଡିଓ କଲ୍ କରି ବ୍ୟାଗ୍ରେ କ’ଣ ଅଛି ଦେଖାଇବାକୁ କହିଥିଲେ । କିନ୍ତୁ ତାଙ୍କ ପଛରେ ସାଦା ପୋଷାକରେ ପୁଲିସ ଅଧିକାରୀ ଥିଲେ । ପୁଲିସ ଅଧିକାରୀଙ୍କୁ ଚିହ୍ନି ଅଭିଯୁକ୍ତମାନେ ସେଠାକୁ ଆସିନଥିଲେ । ସେବେଠାରୁ ଆଉ ଅପହରଣକାରୀଙ୍କ ଆଉ ଫୋନ୍ ଆସିନଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଜମି କାରବାର ଏବଂ ସମ୍ପତ୍ତି ବିବାଦରୁ ସୁଧୀରଙ୍କୁ ଅପହରଣ କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅପହରଣରେ ସଂପୃକ୍ତି ସନ୍ଦେହରେ ପ୍ରାୟ ପାଞ୍ଚ ଜଣକୁ ଉଠାଇ ନେଇ ପୁଲିସ ଜେରା କରୁଛି । ସୁଧୀରଙ୍କୁ କୋଉଠି ରଖାଯାଇଛି ତାହାର ମଧ୍ୟ ଖୋଜଖବର ନାହିଁ । ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀରଙ୍କୁ ଗୋପାଳପୁର ଥାନା ବଣଗାଁ ରାସ୍ତାରୁ ଅପହରଣ କରିବା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ରଙ୍କୁ ହ୍ୱାଟସ୍ଆପ୍ କଲ୍ ଆସିଥିଲା । ସୁଧୀରଙ୍କୁ ଛାଡିବା ପାଇଁ ଅପହରଣକାରୀ ୨କୋଟି ଟଙ୍କା ମାଗିଥିଲେ । ଟଙ୍କା ନଦେଲେ କିମ୍ବା ପୁଲିସରେ ଅଭିଯୋଗ କଲେ ସୁଧୀରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ସୁଧୀରଙ୍କ ସ୍ଥିତି ଜଣାପଡିନଥିବା ବେଳେ ଯେଉଁ ହ୍ୱାଟସ୍ ଆପ୍ ନମ୍ବରରୁ ଫୋନ୍ କଲ୍ ଆସିଥିଲା, ସେହି ନମ୍ବର ତାଙ୍କର ଜଣେ ସମ୍ପର୍କୀୟଙ୍କ ମୋବାଇଲ୍ରେ ଦେଖିବାକୁ ମିଳିଛି । ତେଣୁ ତାଙ୍କ ସମ୍ପର୍କୀୟ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରୁଛି ପୁଲିସ । ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ ଏବେ ପଶ୍ଚିମବଙ୍ଗ ନିର୍ବାଚନରେ ପୁଲିସ ଅବଜରଭର୍ ଦାୟିତ୍ୱରେ ଅଛନ୍ତି । ବ୍ରହ୍ମପୁର ଏସ୍ପି ଦାୟିତ୍ୱରେ ଅଛନ୍ତି ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର । ସେ ଏହି ମାମଲାର ଅନୁଧ୍ୟାନ କରିବା ସହ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରିଛନ୍ତି । ସେହି ଟିମ୍ ଗତକାଲି ହିଞ୍ଜିଳି ଓ ବୁଗୁଡ଼ାରୁ ଚାରିଜଣଙ୍କୁ ଉଠାଇ ଜେରା କରୁଛି ।
ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଏହା ଏକ ହାଇପ୍ରୋଫାଇଲ୍ କ୍ରାଇମ୍ । ଏଥିରେ ଅନେକ ହାର୍ଡକୋର୍ ଅପରାଧୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । କୌଶଳ କ୍ରମେ ଅପହରଣ କରାଯାଇଛି । ପର୍ଯ୍ୟାୟକ୍ରମେ ଅପହୃତଙ୍କ ସ୍ଥାନ ପରିବର୍ତ୍ତନା କରାଯାଇଛି । ଅଲଗା ଅଲଗା ଟିମ୍ ହୋଇ ଅତି ଚାଲାକର ସହ ଏହି ଅପରାଧ ଘଟାଇଛନ୍ତି ଅପରାଧୀ । ପ୍ରଥମେ ସୁଧୀରଙ୍କୁ ରେକି କରିଛନ୍ତି । ଆଉ କିଛି ଅପରାଧୀ ଏକ କାର୍ରେ ଆସି ସୁଧୀରଙ୍କୁ ଉଠାଇ ନେଇଥିବା ପୁଲିସ ତଦନ୍ତରେ ଜଣାପଡିଛି। ଅଭିଯୁକ୍ତମାନେ ଦାରିଙ୍ଗବାଡ଼ି ଅଭିମୁଖେ ଯିବା ସନ୍ଦେହରେ ପୁଲିସ ସେହି ଜାଗାରେ ମଧ୍ୟ ଚଢ଼ଉ କରିଥିଲା । କିନ୍ତୁ କେହି ମିଳିନଥିଲେ । ପରବର୍ତ୍ତୀ ସମୟରେ ଟିମ୍ ଗଠନ କରି ପୁଲିସ ବିଭିନ୍ନ ଅଞ୍ଚଳରୁ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଉଠାଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ :- ପ୍ଲଟ୍ ବ୍ୟବସାୟୀ ସୁଧୀର ଏବେ କେଉଠିଁ ? ହିଞ୍ଜିଳି ଓ ବୁଗୁଡ଼ାରୁ ୪ଜଣଙ୍କୁ ଉଠାଇଲା ପୁଲିସ, ୯ଟିମ୍ର ତନାଘନା
ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ସମାନ ଧରଣର ଏକ ଅପହରଣ ହୋଇଥିଲା । ଅପରାଧୀମାନେ ଚମଡା ବେପାରିଙ୍କ ସହ ଚାରିଜଣଙ୍କୁ ଅପହରଣ କରି ଚିକିଟି ଗଡ଼ରେ ରଖିଥିଲେ । ନାଗ ସାପ ଭୟ ଦେଖାଇ ୨ କୋଟି ଟଙ୍କା ମାଗିଥିଲେ । ଜଣେ ଅପହୃତ ଖସି ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଏହି ମାମଲାରେ ପୁଲିସ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ସେମାନେ ଏବେ ଜାମିନ୍ରେ ଅଛନ୍ତି ।