ନୂଆଦିଲ୍ଲୀ,୧୭/୬ : ଆମେ ଦେଖୁଥିବା ଆକାଶ ବାହାରେ ଥିବା ବ୍ରାହ୍ମାଣ୍ଡ ଅଗଣିତ ରହସ୍ୟରେ ପରିପୂର୍ଣ୍ଣ । ବ୍ରହ୍ମାଣ୍ଡର ଏକ ଅନନ୍ୟ ଘଟଣାରେ ଜ୍ୟୋତିର୍ବିଜ୍ଞାନୀମାନେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୃଥିବୀଠାରୁ ପ୍ରାୟ ୧୩୦୦ଆଲୋକବର୍ଷ ଦୂରରେ ଅବସ୍ଥିତ ଆମ ସୂର୍ଯ୍ୟ ପରି ଏକ ତାରା ନିଜର ଗୋଟିଏ ଗ୍ରହକୁ ଜୀବନ୍ତ ଗିଳି ଦେଇଛି । ଯାହାର ଆବିଷ୍କାର ଜ୍ୟୋତିର୍ବିଜ୍ଞାନୀମାନେ କରିଛନ୍ତି । ତାରା ନିଜେ ଏହି ମହାଜାଗତିକ ଅପରାଧକୁ ଲୁଚାଇ ପାରିଲା ନାହିଁ ଏବଂ ଏକ ରସାୟନିକ ପଦାର୍ଥ ଛାଡ଼ିଗଲା ଯାହାଦ୍ବାରା ବୈଜ୍ଞାନିକମାନେ ପୂରା ରହସ୍ୟ ଉପରୁ ପର୍ଦ୍ଦାଫାଶ କରି ଦେଇଛନ୍ତି ।

ଦ ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ TOI-୫୮୮୨ନାମକ ଏହି ତାରା ସାମ୍ପ୍ରତିକ ଇତିହାସରେ ନିଜର ଗୋଟିଏ ଗ୍ରହକୁ ଗିଳି ଦେଇଛି । ମିଶିଗନ ବିଶ୍ୱବିଦ୍ୟାଳୟର ବ୍ରୁକ କଟନଙ୍କ ନେତୃତ୍ୱରେ ଆମେରିକା ଏବଂ ଚିଲିର ୧୪ଜଣ ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଗବେଷଣା କରିଛନ୍ତି । ଏହି ଉଲ୍ଲେଖନୀୟ ଆବିଷ୍କାରକୁ ବ୍ୟାଖ୍ୟା କରି ମୁଖ୍ୟ ଗବେଷକ ବ୍ରୁକ କଟନ ମଜାରେ କହିଥିଲେ, "ଆପଣ ସେହିଭଳି ହେଉଛନ୍ତି ଯାହା ଆପଣ ଖାଉଛନ୍ତି ।

ପ୍ରକାଶ ଯେ, ତାରା ଗୁଡ଼ିକରେ ପ୍ରାକୃତିକ ଭାବେ ‘ଲିଥିୟମ୍’ ଧାତୁର ମାତ୍ରା ବହୁତ କମ୍ ହୋଇଥାଏ କିନ୍ତୁ ଏହାର ବିପରୀତ ଗ୍ରହରେ ଲିଥିୟମ ପ୍ରଚୁର ମାତ୍ରାରେ ମିଳିଥାଏ । ଯେତେବେଳେ କୌଣସି ତାରା କୌଣସି ଗ୍ରହକୁ ଗିଳିଥାଏ ତେବେ ସେ ଭାରୀ ମାତ୍ରାରେ ଲିଥିୟମକୁ ଶୋଷଣ କରିଥାଏ। ଏହା ତାରା ଭିତରେ ଏକ ରାସାୟନିକ ପରିବର୍ତ୍ତନ ଘଟାଇଥାଏ ଯାହାକୁ ଟେଲିସ୍କୋପ ଏବଂ ଆଧୁନିକ ଉପକରଣ ସାହାଯ୍ୟରେ ଚିହ୍ନଟ କରାଯାଇପାରିବ।

ବୈଜ୍ଞାନିକମାନେ ସ୍ପେକ୍ଟ୍ରୋସ୍କୋପିର ଉପଯୋଗ କରି TOI-୫୮୮୨ରୁ ଆସୁଥିବା ଆଲୋକର ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ତାରାରେ ବାୟୁମଣ୍ଡଳରେ ଲିଥିୟମର ସ୍ତର ଅସାମାନ୍ୟ ରୂପରେ ବହୁତ ଅଧିକ ମିଳିଥିଲା । ଏହି ଅସଙ୍ଗତିକୁ ନିଶ୍ଚିତ କରିବା ପାଇଁ ଗବେଷକମାନେ ସମାନ ବୟସ, ବସ୍ତୁତ୍ୱ ଏବଂ ତାପମାତ୍ରାର ଅନ୍ୟ ୬୨ଟି ସମାନ ତାରା ସହିତ ଉକ୍ତ ତାରାକୁ ତୁଳନା କରିଥିଲେ । ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ବାହାରିଲା । ତଥ୍ୟର ଯେ କୌଣସି ବି ବିଶ୍ଳେଷଣ କରିବା ଉପରେ TOI-୫୮୮୨ ଏହାର ଗୋଷ୍ଠୀର ସମସ୍ତ ତାରାମାନଙ୍କ ମଧ୍ୟରୁ ସର୍ବାଧିକ ଲିଥିୟମ-ସମୃଦ୍ଧ ବୋଲି ଜଣାପଡ଼ିଥିଲା। ଏହି ତାରା ଏହାର ଶ୍ରେଣୀର ଅତି କମରେ ୯୭ପ୍ରତିଶତ ତାରାଙ୍କଠାରୁ ବହୁତ ଆଗରେ ଥିଲା। ତାରାଟିରେ ଥିବା ଲିଥିୟମର ପରିମାଣକୁ ଆଧାର କରି ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ତାରାଟି ଯେଉଁ ଦୁର୍ଭାଗ୍ୟ ଗ୍ରହକୁ ଗିଳି ଦେଇଥିଲା ତାହାର ଆକାର ଆମ ପୃଥିବୀଠାରୁ କିଛି ଗୁଣ ବଡ଼ ହୋଇଥିବ, ନେପଚ୍ୟୁନ ପରି ବଡ଼। ଜ୍ୟୋତିର୍ବିଜ୍ଞାନରେ ଏକ ତାରା କୌଣସି ଗ୍ରହକୁ ଗିଳିବା ନୂଆ କଥା ନୁହେଁ, କିନ୍ତୁ ଏହାକୁ ଜୀବନ୍ତ ଦେଖିବା ପ୍ରାୟ ଅସମ୍ଭବ। ମହାଜାଗତିକ ସମୟରେ ଏହି ପ୍ରକ୍ରିୟା କେବଳ କିଛିଦିନ କିମ୍ବା ସପ୍ତାହ ସମୟ ନେଇଥାଏ କେବଳ ଆଖି ପିଛୁଳାକେ ଭଳି।

ଏହି ଆବିଷ୍କାର ଆମ ନିଜ ସୌରମଣ୍ଡଳର ସୁଦୂର ଭବିଷ୍ୟତରେ ଏକ ଭୟଙ୍କର କିନ୍ତୁ ସତ୍ୟ ଝଲକ ପ୍ରଦାନ କରେ। ପ୍ରାୟ ୫ବିଲିୟନ ବର୍ଷ ପରେ, ଆମର ସୂର୍ଯ୍ୟ ମଧ୍ୟ ଇନ୍ଧନ ଶେଷ ହେବା ସହ ଏକ ଲାଲ ବିଶାଳକାୟ ହୋଇଯିବ ଏବଂ ବିସ୍ତାରିତ ହେବା ଆରମ୍ଭ କରିବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ ବୁଧ ଏବଂ ଶୁକ୍ର ଗ୍ରହକୁ ସମ୍ପୂର୍ଣ୍ଣ ଭାବରେ ଗିଳିଦେବ। ଏହା ସମ୍ଭବ ଯେ ପୃଥିବୀ ମଧ୍ୟ ଏହି ଭୟଙ୍କର ରୂପର ଶିକାର ହେବ।