ପୁରୀ, ୧୭/୦୬:  ତୁଟିଲା ବିବାଦ, ଚାଲିଲା ରଥକାମ । ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ । ପୂର୍ବରୁ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଅଧଘଣ୍ଟାଏ ଧରି ବୈଠକ ପରେ ଆଲୋଚନା ସଫଳ ହୋଇଛି । ଏନେଇ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି । ରଥକାଠ ଖେଇ ଆକାରରେ ନେବାକୁ ଅନୁମତି ପ୍ରଦାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥ ତତ୍ତ୍ଵାବଧାରଙ୍କୁ ଦାୟିତ୍ବରୁ ନ ହଟାଇଲେ ରଥଯାତ୍ରାରେ ଗଡିବନି ରଥ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ବିଶ୍ଵକର୍ମା। ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟ ବିଶ୍ଵକର୍ମାଙ୍କ ସହ ଆଲୋଚନା ସଫଳ ହୋଇଛି । ଏନେଇ ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

 

ସୂଚନା ଅନୁଯାୟୀ, ସ୍ଵତ୍ଵଲିପି ଆଧାରରେ ରଥର ଚିରଟ କାଠ, ଖେଇକୁ ନେଇ ବିଶ୍ବକର୍ମା ମହାରଣା ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଉପୁଜିଥିଲା । ଏହାକୁ ନେଇ ବୁଧବାର ଅର୍ଥାତ୍ ଆଜି ୫୮ତମ ଦିନରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ ମହାରଣା ସେବାୟତ । ବିଶ୍ବକର୍ମା ମହାରଣାଙ୍କ କହିବା ମୁତାବକ, ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ, ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା। ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ବିବାଦ ଦେଖାଦେଇଥିଲା । ଏହା ସମାଧାନ ନହେବା ଯାଏ ରଥ ନିର୍ମାଣ କାର୍ଯ୍ୟ ଚାଲୁ ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ସହ ତିନି ରଥର ବିଶ୍ବକର୍ମା ମହାରଣାଙ୍କ ସହିତ ପ୍ରାୟ ଅଧଘଣ୍ଟାଏ ବୈଠକ ପରେ ଆଲୋଚନା ସଫଳ ହୋଇଛି । ମନ୍ଦିର ପ୍ରଶାସନ ବିଶ୍ବକର୍ମାଙ୍କ ଖେଈକୁ ଅନୁମତି ପ୍ରଦାନ କରିଛି ।...

ଅଧିକ ପଢନ୍ତୁ- ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରଜ ମଉଜ; ଶେଷ ଦିନରେ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ