ପୁରୀ,୧୭।୬: ଶ୍ରୀମନ୍ଦିର ଭିତର ପରିକ୍ରମା ମାର୍ଗର ପେଜନଳା ପାଶ୍ୱର୍ରେ ଭାଙ୍ଗି ପଡ଼ିଛି ପାନୀୟଜଳ ଟ୍ୟାପ୍ । ପେଜନଳା ଭିତରେ ପଡ଼ିଛି ସୋଲାର ଯନ୍ତ୍ର । ମେଘନାଦ ପାଚେରିକୁ ଆଲୋକୀକରଣ କରିବା ନିମନ୍ତେ ଲାଗିଥିବା ଲାଇଟ୍ ଭଙ୍ଗା ଇଟା ଉପରେ ଦିଗହରା ହୋଇପଡ଼ିଛି । ପ୍ରାୟ ୯୫୦ କୋଟି ବ୍ୟୟରେ ଓ ବାର୍ଷିକ ପ୍ରାୟ ୫ କୋଟି ବ୍ୟୟରେ ରକ୍ଷଣାବେକ୍ଷଣ ହେଉଥିବା ପରିକ୍ରମା ପ୍ରକଳ୍ପର ଏଭଳି ସ୍ଥିତିକୁ ନେଇ ଉଦ୍ବେଗ ଦେଖାଦେଇଛି । ଭିତର ପରିକ୍ରମା ମାର୍ଗରେ ପାନୀୟ ଜଳ ପ୍ରଦାନ ନିମନ୍ତେ ଲାଗିଥିବା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅଚଳ ହେବାରେ ଲାଗିଛି । ପେଜନଳା ପାଶ୍ୱର୍ରେ ଏପରି ପ୍ରାୟ ୩ଟି ଟ୍ୟାପ୍ ଅଚଳ ପଡ଼ିଛି । ଗୋଟିଏ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଛି । ଅନ୍ୟଟିର ଟ୍ୟାପ୍କୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି । ଏଠାରେ ଲୋକଙ୍କୁ ପାନୀୟଜଳ ପ୍ରଦାନ ନିମନ୍ତେ ରଖାଯାଉଥିବା ପାଣି ବାକ୍ସ ଖାଲି ହୋଇଗଲେ ମଧ୍ୟ ଏହାକୁ ପୁନଃ ଭରଣା କରିବାକୁ ପଦକ୍ଷେପ ନିଆଯାଉନି । ଏହାକୁ ନେଇ ଶ୍ରଦ୍ଧାଳୁମାନେ ହିନସ୍ତା ହେଉଛନ୍ତି ।
ପରିକ୍ରମା ମାର୍ଗର ଉକ୍ତ ପାଶ୍ୱର୍ରେ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ରାତି ପର୍ଯ୍ୟନ୍ତ ଠୁଳ ହେଉନ୍ତି । ବହୁ ଶ୍ରଦ୍ଧାଳୁ ଏଠାରେ ସନ୍ଧ୍ୟାରେ ଭଜନକୀର୍ତ୍ତନ କରିବା ସହ ମହାପ୍ରସାଦ ସେବନ କରୁଛନ୍ତି । ମାତ୍ର ଖୋଜିବା ବେଳକୁ ଶୋଷ ମେଣ୍ଟାଇବା ନିମନ୍ତେ କିମ୍ବା ହାତ ଧୋଇବା ନିମନ୍ତେ ପାଣି ଟୋପାଏ ପାଉନାହାନ୍ତି । ପାଣି ଟ୍ୟାପ୍ ଖୋଜି ଖୋଜି ଶ୍ରଦ୍ଧାଳୁ ହିନସ୍ତା ହେଉଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଥିବା ସମସ୍ତ ପାନୀୟଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି । ସେହିପରି ବାହାର ପରିକ୍ରମା ମାର୍ଗରେ ଗୋଟିଏ ବି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଲାଗିଛି । ଏଥିନିମନ୍ତେ ପ୍ରଶାସନିକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।
ଆହୁରି ପଢ଼ନ୍ତୁ... ମୌସୁମୀ ପାଇଁ ପୂର୍ବତଟ ରେଲୱେର ମାଷ୍ଟରପ୍ଲାନ; ଘାଟିରେ ଅଟକିବନି ଚକ, ସୁରକ୍ଷିତ ଗଡ଼ିବ ଟ୍ରେନ୍