ନୂଆଦିଲ୍ଲୀ ୨୬/୧୦: ବୋଇଂର ଷ୍ଟାର୍ଲାଇନର ମହାକାଶଯାନରେ ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ ଓ ବୁଚ୍ ୱିଲମୋର ଗତ ଜୁନ୍ ୪ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । ଉଭୟଙ୍କ ମହାକାଶ ଯାତ୍ରା ପ୍ରାୟ ୧ ସପ୍ତାହର ଥିଲା । କିନ୍ତୁ ଷ୍ଟାର୍ଲାଇନର୍ରେ ବୈଷୟିକ ସମସ୍ୟା ଚିହ୍ନଟ ହେବା ପରେ ଯାତ୍ରାର ପ୍ରଥମ ଚରଣରେ ଏହା ଗମ୍ଭୀର ବିପଦର ସମ୍ମୁଖୀନ ହେଲା । ଫଳରେ ସୁନୀତା ଓ ବୁଚ୍ ୱିଲମୋରଙ୍କୁ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପ୍ସୁଲରେ ପୃଥିବୀକୁ ଆଣିବା ପାଇଁ ନାସା ନିଷ୍ପତ୍ତି ନେଲା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉଭୟ ପ୍ରଥମ ଉଡ଼ାଣରେ ପୃଥିବୀକୁ ଫେରିଆସିବେ ।
କ୍ର୍ୟୁ-୮ ନାମକ ମିଶନ୍ରେ ଥିବା ସ୍ପେସ୍ଏକ୍ସ କ୍ର୍ୟୁ ଡ୍ରାଗନ୍ ଗତ ବୁଧବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ସୁନୀତା ଓ ୱିଲମୋର ସେଥିରେ ପୃଥିବୀ ଫେରିପାରିଲେ ନାହିଁ । କାରଣ କ୍ର୍ୟୁ-୮ ମିଶନରେ ୪ ଜଣ ମହାକାଶଚାରୀ- ନାସାର ମାଥ୍ୟୁ ଡୋମିନିକ୍, ମାଇକେଲ ବାରାଟ୍ ଓ ଜିନେଟ ଏପ୍ସଙ୍କ ସମେତ ରୁଷ୍ ମହାକାଶ ଏଜେନ୍ସିର ଆଲେକଜାଣ୍ଡର ଗ୍ରେବେନକିନ୍ ଯାଇଥିଲେ । ଗତ ମାର୍ଚ୍ଚ ୫ ତାରିଖରୁ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିଲେ, ଯାହା ସୁନୀତା ଓ ୱିଲମୋରଙ୍କ ତୁଳନାରେ ପ୍ରାୟ ୩ ମାସ ଅଧିକ ।
କ୍ର୍ୟୁ-୮ ଟିମ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ନିୟମିତ କ୍ର୍ୟୁ ରୋଟେସନ୍ର ଏକ ଅଂଶ ଥିଲା ଏବଂ ନିୟମିତ ମିଶନ ସାଧାରଣତଃ ପ୍ରାୟ ୬ ମାସର ହୋଇଥାଏ । ୪ ଜଣିଆ ଏହି ଟିମ୍ ଗତ ବୁଧବାର ମହାକାଶ ଛାଡ଼ିଥିଲେ । ଗତକାଲି ଅର୍ଥାତ୍ ଶୁକ୍ରବାର ୩.୨୯ରେ ଫ୍ଲୋରିଡ଼ା ତଟରେ ଅବତରଣ କରିଛନ୍ତି । ସୁନୀତା ଓ ବୁଚ୍ ୱିଲମୋରଙ୍କୁ ସ୍ପେସ୍ଏକ୍ସର କ୍ର୍ୟୁ୯ ମିଶନରେ ପୃଥିବୀକୁ ଆଣିବାକୁ ସ୍ଥିର ହୋଇଛି । ଗତ ସେପ୍ଟେମ୍ବର ୨୮ ତାରିଖରେ ମିଶନ ଲଞ୍ଚ୍ ପୂର୍ବରୁ ନାସା ଓ ସ୍ପେସ୍ଏକ୍ସକୁ କ୍ର୍ୟୁ-୯ କ୍ୟାପ୍ସୁଲ ଓ ମହାକାଶଚାରୀଙ୍କ କାର୍ଯ୍ୟକୁ ପୁନଃପ୍ରସ୍ତୁତ କରିବାକୁ ପଡ଼ିଥିଲା । ମହାକାଶଯାନ ନିଜର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମିଶନ ପୂରଣ କରି ଯେତେବେଳେ ୨୦୨୫ ମସିହା, ଫେବ୍ରୁଆରୀ ପ୍ରଥମ ପର୍ଯ୍ୟାୟରେ ପୃଥିବୀକୁ ଫେରିବ, ସେଥିରେ ସୁନୀତା ଓ ୱିଲମୋରଙ୍କ ଫେରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିବ କି ନାହିଁ, ଏହା ମାଧ୍ୟମରେ ସୁନିଶ୍ଚିତ କରାଯାଇଥିଲା । ଏହା ଏକମାତ୍ର କାରଣ ଯାହା ପାଇଁ ଦୁଇ ମହାକାଶଚାରୀ ତତ୍କାଳ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି । ମହାକାଶ ଉଡ଼ାଣ ଏକ ଅତ୍ୟନ୍ତ ଜଟିଳ ଟ୍ରେଣ୍ଡ୍ । ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଯୋଜନା ଆବଶ୍ୟକ ।
ସୁନୀତା ଓ ୱିଲମୋର ନିୟମିତ କ୍ର୍ୟୁ ରୋଟେସନ୍ରେ ମହାକାଶ କେନ୍ଦ୍ରକୁ ଯାଇନଥିଲେ । ଷ୍ଟାର୍ଲାଇନର୍ ମହାକାଶଯାନର ପ୍ରଥମ ମାନବଯୁକ୍ତ ଉଡ଼ାଣର ଅଂଶ ବିଶେଷ ଏକ ଐତିହାସିକ ପ୍ରୟାସ ରୂପେ ଉଭୟ ମହାକାଶ ଯାତ୍ରା କରିଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବା ପରେ ସେମାନେ ଅତିଥି ଥିଲେ । କିନ୍ତୁ ଏବେ ସେମାନେ ଗୁରୁତ୍ୱପୂର୍ଣ୍ଣ କାମରେ ନିୟୋଜିତ ହୋଇଛନ୍ତି । ଏକ୍ସପେଡିସନ୍ ୭୨ ବା ମହାକାଶଚାରୀଙ୍କ ଅନ୍ତର୍ଜାତୀୟ ଟିମ୍ ସହ ଯୋଗ ଦେଇ ମହାକାଶ କେନ୍ଦ୍ରର କର୍ମଚାରୀ ଭାବେ କାମ କରୁଛନ୍ତି ।