ନୂଆଦିଲ୍ଲୀ ୦୩/୦୭: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତ ପାକ୍‌ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ଭାରତରେ ବ୍ୟାନ୍‌ କରାଯାଇଥିଲା । ଏବେ କଟକଣା ହଟିଛି । କିନ୍ତୁ କିଛି ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ପ୍ରତିବନ୍ଧକ ହଟିନାହିଁ । ବଲିଉଡ୍‌ ଫିଲ୍ମ ‘ସନମ୍‌ ତେରୀ କସମ୍‌’ରେ ନଜର ଆସିଥିବା ପାକ୍‌ ଅଭିନେତ୍ରୀ ମାୱରା ହୋକେନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଏବେ ଭାରତରେ ସକ୍ରିୟ ହୋଇଛି । ଏଥିସହ ସବା କମର, ୟୁମନା ଜୈଦୀ, ଦାନିଶ ତୈମୁର, ଅହଦ ରଜା ମିରଙ୍କ ଭଳି କଳାକାରଙ୍କ ଆକାଉଣ୍ଟ୍‌ ମଧ୍ୟ ସକ୍ରିୟ ହୋଇଛି । ତେବେ ଦିଲଜିତ ଦୋସାଂଝଙ୍କ ସହ ଫିଲ୍ମ ‘ସରଦାର ଜୀ-୩’ରେ ନଜର ଆସିଥିବା ଅଭିନେତ୍ରୀ ହାନିୟା ଆମିରଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ଭାରତରେ ପ୍ରତିବନ୍ଧକ ହଟିନାହିଁ । ସେହିପରି ଫୱାଦ ଖାନ୍‌, ମାହିରା ଖାନ୍‌, ଅଲି ଜଫର ଓ ଆତିଫ ଅସଲମଙ୍କ ଆକାଉଣ୍ଟ୍‌ ମଧ୍ୟ ଭାରତରେ ଉପଲବ୍ଧ ନାହିଁ । 

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାକ୍‌ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ବ୍ୟାନ୍‌ କରାଯାଇଥିଲା । ଏଥିସହ ଗୃହ ମନ୍ତ୍ରାଳୟର ସୁପାରିଶ ଆଧାରରେ ଭାରତ ସରକାର ୧୬ ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ୟାନ୍‌ କରାଯାଇଥିଲା । ଏ ସମସ୍ତ ଚ୍ୟାନେଲ୍‌ ବିରୋଧରେ ଭାରତ, ଭାରତୀୟ ସେନା ଓ ସୁରକ୍ଷା ସଂସ୍ଥାଗୁଡ଼ିକ ବିରୋଧରେ ଆକ୍ରୋଶମୂଳକ, ସାମ୍ପ୍ରଦାୟିକ ଓ ଭ୍ରମାତ୍ମକ ଖବର ପ୍ରଚାର ଅଭିଯୋଗ ହୋଇଥିଲା ।