ନୂଆଦିଲ୍ଲୀ,୧୯/୦୩: ଘଟିଲା ଅପେକ୍ଷାର ଅନ୍ତ। ୯  ମାସ ପରେ ପୃଥିବୀ ଫେରିଲେ ମହାକାଶଚାରୀ ସୁନୀତା । ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ, ବଚ୍ ୱିଲମୋର, ନିକ ହଗ୍‌ ଏବଂ କସମୋନଟ୍‌ ଆଲେକ୍ସଜାଣ୍ଡାର୍ ସ୍ପେଶଏକ୍ସ ଡ୍ରାଗନରେ ସୁରକ୍ଷିତ ଭାବରେ ପୃଥିବୀରେ ପହଞ୍ଚିଛନ୍ତି । ଏହି ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ  ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି । ପୃଥିବୀକୁ ସୁରକ୍ଷିତ ଭାବେ ଫେରିବା ପରେ ତାଙ୍କର ଗୁଜୁରାଟରେ ଥିବା ପୈତୃକ ଗାଁର ବାସିନ୍ଦା ବେଶ ଖୁସି ଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ-  ମହାକାଶରୁ ଫେରିଲେ ସୁନୀତା, ଫ୍ଲୋରିଡା ତଟରେ ଡ୍ରାଗନ୍‌ ମହାକାଶଯାନର ଅବତରଣ

ଅନ୍ୟପଟେ ସୁନୀତାଙ୍କ ଫେରିବାକୁ ନେଇ ତାଙ୍କର ସମ୍ପର୍କୀୟ ଭଉଣୀ ଫାଲଗୁନ ପାଣ୍ଡ୍ୟା ଏନଡ଼ିଟିଭିର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ଏକ ଅବିଶ୍ବସନୀୟ ସମୟ ଥିଲା । ଆମେ ବେଶ୍ ଖୁସି ଅଛୁ ଯେ ସେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି  । ଆମେ ଏବେ ଏକାଠି ଛୁଟିରେ ଯିବାକୁ ଯୋଜନାା କରିଛୁ । ପରିବାର ସହିତ କିଛି ସମୟ ବିତାଇବୁ । ସୁନୀତା ଓ୍ବିଲିୟମ୍ସ ଖୁବଶୀଘ୍ର ଭାରତ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଏକ ପତ୍ର ଲେଖି ଶୁଭାକାମନା ଜଣାଇବା ସହିତ ଭାରତ ତାଙ୍କ ଯାତ୍ରାକୁ ଅପେକ୍ଷା କରିଥିବା ସେ କହିଛନ୍ତି।

ତେବେ କ୍ରୁ-୯ ମାର୍ଚ୍ଚ ୧୮, ୨୦୨୫ ଅର୍ଥାତ ଗତକାଲି ଭାରତୀୟ ସମୟ  ପୂର୍ବାହ୍ନ ୧୦.୩୫ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି । ପ୍ରକାଶ ଥାଉକି,  ସୁନୀତା ୱିଲିୟମ୍ସ ଓ ବଚ୍‌ ୱିଲମୋର ଗତବର୍ଷ ଜୁନ ମାସରୁ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରେ ଫସିଥିଲେ । ସେ ମାତ୍ର ୧ ସପ୍ତାହ ଲାଗି ଏକ ମିଶନରେ ସ୍ପେଶ୍‌ ଷ୍ଟେସନ ଯାଇଥିଲେ । ସୁନୀତା ଓ ୱିଲମୋର ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାଇଥିବାବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାସା ସେମାନଙ୍କୁ ପୃଥିବୀ ଫେରିବାକୁ ଅନୁମତି ଦେଇନଥିଲା । ଏଥିଲାଗି ସେମାନେ ଗତ ୯ ମାସ ଧରି ଆଇଏସଏସରେ ରହିଥିଲେ ।