ନୂଆଦିଲ୍ଲୀ, ୧୯/୦୩ : ଦୀର୍ଘ ଦିନର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସବୁ ଆଶା- ଆଶଙ୍କାର ଘଟିଲା ଅନ୍ତ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ତିନି ସାଥୀଙ୍କ ସହ ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି । ମହାକାଶଯାନ ସ୍ପେସ୍‌ ଷ୍ଟେସନ୍‌ରୁ ଅନ୍‌ଡକ୍‌ ବା ଅଲଗା ହୋଇ ପୃଥିବୀକୁ ଫେରିଛି । ଏହି ମହାକାଶଯାନ ବୁଧବାର ଭୋର୍‌ ୩ଟା ୨୭ ମିନିଟ (ଭାରତୀୟ ସମୟ)ରେ ଫ୍ଲୋରିଡ଼ା ତଟରେ ଅବତରଣ କରିଛି । ସୁନୀତାଙ୍କ ପ୍ରତ୍ୟାବର୍ତ୍ତନରେ ବିଶ୍ୱବ୍ୟାପୀ ଖୁସିର ଲହରୀ ଖେଳିଯାଇଛି।

ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମହାକାଶରେ ଫସିରହିବା ପରେ ସୁନୀତା ଓ ବୁଚ୍‌ ୱିଲ୍‌ମୋର ପୃଥିବୀକୁ ଫେରିଛନ୍ତି । କ୍ରୁ-୯ ମିଶନର ଡ୍ରାଗନ୍‌ ମହାକାଶଯାନରେ ଉଭୟଙ୍କ ସହ ଆଉ ୨ ଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି । ଏହି ଭିଡିଓ ନାସା ସେୟାର କରିଛି। ମହାକାଶଚାରୀଙ୍କ ଫେରିବା ପରେ ନାସା ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ନାସା କହିଛି ଯେ, ସମସ୍ତ ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବ। ତଟରକ୍ଷୀ ବାହିନୀ ସେମାନଙ୍କ କାମ ଖୁବ୍ ଭଲ ଭାବରେ କରିଛନ୍ତି। ସଫଳ ପ୍ରତ୍ୟାବର୍ତ୍ତନ ପରେ, ସ୍ପେସଏକ୍ସ ମାଲିକ ଏଲନ ମସ୍କ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ମସ୍କ କହିଛନ୍ତି ଯେ ସ୍ପେସଏକ୍ସ ଏବଂ ନାସା ଟିମ୍ ଆଉ ଏକ ସୁରକ୍ଷିତ ମହାକାଶଚାରୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳତା ହାସଲ କରିଛନ୍ତି। ସମସ୍ତଙ୍କୁ ଅଭିନନ୍ଦନ। ଏହି ମିଶନକୁ ପ୍ରାଥମିକତା ଦେବା ପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଳେଖଯୋଗ୍ୟ, ଗତ ବର୍ଷ ଜୁନ୍‌ ୫ ତାରିଖରେ ସୁନୀତା ଓ ବୁଚ୍‌ ୱିଲମୋର ୮ ଦିନିଆ ମିଶନରେ ମହାକାଶ କେନ୍ଦ୍ରକୁ ଯାଇଥିଲେ। ଏହା ବୋଇଂ ଷ୍ଟାର୍‌ଲାଇନର୍‌ର ପ୍ରଥମ ମାନବ ମିଶନ ଥିଲା । କିନ୍ତୁ ଷ୍ଟାର୍‌ଲାଇନର୍‌ କ୍ୟାପ୍‌ସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ମହାକାଶଯାତ୍ରୀ ମହାକାଶରେ ଫସିଗଲେ । ଯାତ୍ରା ପାଇଁ ଅଯୋଗ୍ୟ ହେବାରୁ ଗତ ସେପ୍ଟେମ୍ବରରେ ଷ୍ଟାର୍‌ଲାଇନର୍‌ ଖାଲି ପୃଥିବୀକୁ ଫେରିଆସିଥିଲା ।