ମୁମ୍ବାଇ, ୮।୬: ବଲିଉଡର ଆକ୍ସନ ଷ୍ଟାର ସନି ଦେଓଲଙ୍କ ଆଗାମୀ ଡ୍ରାମା ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବରୁ 'ଲାହୋର ୧୯୪୭' ନାମରେ ଘୋଷଣା କରାଯାଇଥିବା ଏହି ସିନେମାର ନାମରେ ଏବେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ଏବଂ 'ଆମିର ଖାନ୍ ପ୍ରୋଡକ୍ସନ୍ସ' ବ୍ୟାନରରେ ନିର୍ମିତ ହେଉଥିବା ଏହି ମେଗା ବଜେଟ୍ ଫିଲ୍ମର ନାମ ବଦଳାଇ ଏବେ 'ବଣ୍ଟୱାରା' ରଖାଯାଇଛି । ଫିଲ୍ମର ଏହି ନୂତନ ନାଁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଥିବାବେଳେ, ଏହି ଟାଇଟଲର ଅଧିକାର ହାସଲ କରିବା ପାଇଁ ଆମିର ଖାନଙ୍କୁ ବେଶ୍ ପ୍ରୟାସ କରିବାକୁ ପଡ଼ିଛି ।
ସଲିମ ଅଖତରଙ୍କ ପରିବାରଠାରୁ ରାଇଟ୍ସ କିଣିଲେ ଆମିର ଖାନ୍:
'ବଲିଉଡ ହଙ୍ଗାମା'ର ଏକ ରିପୋର୍ଟ ଅନୁସାରେ, 'ବଣ୍ଟୱାରା' ଟାଇଟଲ୍ର କପିରାଇଟ୍ସ ବଲିଉଡର ସ୍ୱର୍ଗତ ପ୍ରଯୋଜକ ସଲିମ ଅଖତରଙ୍କ ପରିବାର ପାଖରେ ସୁରକ୍ଷିତ ଥିଲା । ସୂଚନାଯୋଗ୍ୟ ଯେ, ୧୯୮୯ ମସିହାରେ ସଲିମ ଅଖତର ଏହି ସମାନ ନାମରେ ଅର୍ଥାତ୍ 'ବଣ୍ଟୱାରା' ଶୀର୍ଷକରେ ଏକ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ । ସେହି କାରଣରୁ ନିୟମ ଅନୁଯାୟୀ ଏହି ନାମର ମାଲିକାନା ତାଙ୍କ ପରିବାର ପାଖରେ ରହିଥିଲା । ଏହି ଟାଇଟଲ୍ ହାସଲ କରିବା ପାଇଁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ନିଜେ ସଲିମ ଅଖତରଙ୍କ ପରିବାର ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିଥିଲେ ।
'ଲାହୋର ୧୯୪୭'ରୁ 'ବଣ୍ଟୱାରା' ହେବାର ପଛର କାହାଣୀ:
ଫିଲ୍ମ ସହ ଜଡ଼ିତ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ନିର୍ମାତା ଓ ନିର୍ଦ୍ଦେଶକ ଦଳ ପ୍ରଥମରୁ ହିଁ 'ଲାହୋର ୧୯୪୭' ନାମଟିକୁ ରଖିବା ସପକ୍ଷରେ ନଥିଲେ । ସେମାନେ ପ୍ରଥମେ ଏହାର ନାମ 'ବଣ୍ଟୱାରା ୧୯୪୭ରଖିବାକୁ ବିଚାର କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଗଲା ଯେ, ଚଳଚ୍ଚିତ୍ରର ବିଷୟବସ୍ତୁ ଅନୁଯାୟୀ କେବଳ 'ବଣ୍ଟୱାରା' ନାମଟି ହିଁ ସବୁଠାରୁ ଅଧିକ ପ୍ରଭାବଶାଳୀ ଏବଂ ସଠିକ୍ ହେବ । କିନ୍ତୁ ନାମରୁ '୧୯୪୭' ହଟାଇ କେବଳ 'ବଣ୍ଟୱାରା' ରଖିବା ପାଇଁ ପୁରୁଣା ଫିଲ୍ମର ଟାଇଟଲ୍ ରାଇଟ୍ସ ପାଇବା ଅତ୍ୟନ୍ତ ଜରୁରୀ ଥିଲା ।
ଆମିର ଖାନ୍ଙ୍କୁ ସହାୟତା କଲେ କରିମ ମୋରାନୀ:
ଯେତେବେଳେ ଫିଲ୍ମର ଟିମ୍ ଜାଣିବାକୁ ପାଇଲେ ଯେ ଏହି ଟାଇଟଲ୍ ୧୯୮୯ର ସଫଳ ନିର୍ମାତା ସଲିମ ଅଖତରଙ୍କ ପରିବାର ପାଖରେ ଅଛି, ସେତେବେଳେ ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀ ଏଥିରେ ମଧ୍ୟସ୍ଥତା କରିଥିଲେ । କରିମ ମୋରାନୀ, ଆମିର ଖାନ୍ ଏବଂ ସଲିମ ଅଖତରଙ୍କ ପୁଅ ସମଦ ଅଖତରଙ୍କ ମଧ୍ୟରେ ଏକ ସାକ୍ଷାତକାରର ବ୍ୟବସ୍ଥା କରାଇଥିଲେ । ଏହାପରେ ଆମିର ଖାନ୍ ସ୍ୱୟଂ ସମଦଙ୍କ ବାସଭବନକୁ ଯାଇ ତାଙ୍କ ମାଆ ଅର୍ଥାତ୍ ସଲିମ ସାହବଙ୍କ ପତ୍ନୀ ଶମା ଅଖତର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟିଥିଲେ ।
ପୁରୁଣା ସ୍ମୃତି ଓ ଆବେଗକୁ ଦେଖି ରାଇଟ୍ସ ହସ୍ତାନ୍ତର କଲା ଅଖତର ପରିବାର:
ଆମିର ଖାନ୍ ଅଖତର ପରିବାର ସହ କଥା ହେବା ବେଳେ ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ସୁପରହିଟ୍ ଫିଲ୍ମ 'ବାଜି' ସମୟର ସ୍ମୃତି ମନେପକାଇଥିଲେ, ଯାହାର ପ୍ରଯୋଜନା ସଲିମ ଅଖତର ହିଁ କରିଥିଲେ । ଏହାସହ ଆମିର ସେମାନଙ୍କୁ ବୁଝାଇଥିଲେ ଯେ, ସନି ଦେଓଲଙ୍କ ଏହି ନୂଆ ଚଳଚ୍ଚିତ୍ରର କାହାଣୀ ପାଇଁ 'ବଣ୍ଟୱାରା' ନାମଟି କେତେ ପ୍ରାସଙ୍ଗିକ ଏବଂ ଜରୁରୀ । ଆମିରଙ୍କ କଥାରେ ପ୍ରଭାବିତ ହୋଇ ଏବଂ ତାଙ୍କ ପ୍ରତି ଥିବା ସମ୍ମାନ ଖାତିରରେ ଅଖତର ପରିବାର ଫିଲ୍ମର ଅଧିକାର ଆମିର ଖାନ୍ ପ୍ରୋଡକ୍ସନ୍ସକୁ ବିକ୍ରି କରିବାକୁ ରାଜି ହୋଇଥିଲେ । ଗତ ମାର୍ଚ୍ଚ ୮ ତାରିଖରେ ସମଦ ଅଖତର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆମିର ଖାନ୍ଙ୍କ ସହ ଏକ ଫଟୋ ସେୟାର କରି ଏହି ସାକ୍ଷାତକାର ବିଷୟରେ ସୂଚନା ଦେଇଥିଲେ ଏବଂ ଆମିରଙ୍କୁ ନିଜ ସ୍ପୋର୍ଟସ ସପ୍ର ଏକ ଜର୍ସି ମଧ୍ୟ ଉପହାର ଦେଇଥିଲେ ।
କେମିତି ଥିଲା ୧୯୮୯ର ପୁରୁଣା 'ବଣ୍ଟୱାରା' ?
୧୯୮୯ରେ ମୁକ୍ତିଲାଭ କରିଥିବା 'ବଣ୍ଟୱାରା' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାରତର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଜେ.ପି. ଦତ୍ତ ଦେଇଥିଲେ, ଯିଏ କି ପରବର୍ତ୍ତୀ ସମୟରେ 'ବର୍ଡର' ଏବଂ 'ରିଫ୍ୟୁଜି' ଭଳି ଦେଶାତ୍ମବୋଧକ ଫିଲ୍ମ ତିଆରି କରି ପ୍ରଶଂସିତ ହୋଇଛନ୍ତି । ସେହି ସମୟର ଏହି ମଲ୍ଟିଷ୍ଟାରର ଫିଲ୍ମରେ ମୁଖ୍ୟ କଳାକାର ଭାବେ ଧର୍ମେନ୍ଦ୍ର, ବିନୋଦ ଖାନ୍ନା, ଡିମ୍ପଲ କପାଡିଆ, ଅମୃତା ସିଂହ, ପୁନମ ଢିଲୋନ୍, ମୋହସିନ ଖାନ୍, ଶମ୍ମି କପୁର ଏବଂ ଆଶା ପାରେଖଙ୍କ ଭଳି ବହୁ ପ୍ରତିଷ୍ଠିତ କଳାକାର ଅଭିନୟ କରିଥିଲେ ।
ନୂତନ 'ବଣ୍ଟୱାରା'ର ଷ୍ଟାର କାଷ୍ଟ ଏବଂ ବିଷୟବସ୍ତୁ:
ଏହି ଆଗାମୀ ଚଳଚ୍ଚିତ୍ର 'ବଣ୍ଟୱାରା' ମାଧ୍ୟମରେ ସନି ଦେଓଲ ଏବଂ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସୁପରହିଟ୍ ଯୋଡ଼ି ଦୀର୍ଘ ବର୍ଷ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି, କାରଣ ଏଥିରେ ବଲିଉଡର ଅନେକ ପ୍ରତିଭାବାନ କଳାକାର ଏକାଠି ନଜର ଆସିବେ । ମୁଖ୍ୟ ଭୂମିକାରେ ସନି ଦେଓଲ, ବିଶେଷ ସହଯୋଗୀ ଭୂମିକାରେ ଆମିର ଖାନ୍, ଅନ୍ୟାନ୍ୟ ପ୍ରମୁଖ କଳାକାରରେ ପ୍ରୀତି ଜିଣ୍ଟା, ଅଲି ଫଜଲ, କରଣ ଦେଓଲ ଏବଂ ଶବାନା ଆଜମୀ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଭାରତ-ପାକିସ୍ତାନ ବିଭାଜନ ସମୟର ଏକ ସମ୍ବେଦନଶୀଳ ତଥା ଐତିହାସିକ କାହାଣୀ ଉପରେ ଆଧାରିତ । ସନି ଦେଓଲ, ରାଜକୁମାର ସନ୍ତୋଷୀ ଏବଂ ଆମିର ଖାନ୍ଙ୍କ ଭଳି ତିନିଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏକ ପ୍ରକାରର ମେଗା-ପିରିୟଡ୍ ଡ୍ରାମା ପାଇଁ ହାତ ମିଳାଇଥିବାରୁ, ଏହା ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ଐତିହାସିକ ଚଳଚ୍ଚିତ୍ର ମଧ୍ୟରୁ ଏକ ହେବ ବୋଲି ଆଶା କରାଯାଉଛି ।
ଆହୁରି ପଢ଼ନ୍ତୁ... Kangana Ranaut: ନର୍ସଙ୍କ ଡ୍ରେସକୋଡ୍ ନେଇ କଙ୍ଗନାଙ୍କ ଆପତ୍ତି, କହିଲେ-‘ୟୁନିଫର୍ମ ବଦଳାଇବାର ସମୟ ଆସିଗଲାଣି’