ନୂଆଦିଲ୍ଲୀ, ୧୧/୦୩ : ପିଆଜ ଓ ରସୁଣରେ ଅଛିକି ତାମସିକ ବା ନକାରାତ୍ମକ ଉର୍ଜ୍ଜା? ଜାଣିବା ପାଇଁ ସୁପ୍ରିମ କୋର୍ଟରେ ଜନହିତ ମାମଲା ଦାଖଲ କଲେ ଓକିଲ। ଏହି ଆବେଦନରେ ପିଆଜ ରଶୁଣ ଉପରେ ଅଧ୍ୟୟନ ପାଇଁ ଦାବି କରିଥିଲେ। ସୋମବାର ଏ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କ୍ଷୁବ୍ଧ ହୋଇଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆବେଦନକାରୀ ଓକିଲ ସଚିନ ଗୁପ୍ତାଙ୍କୁ ଭର୍ତ୍ସନା କରିଛନ୍ତି ଏବଂ ଅର୍ଦ୍ଧରାତ୍ରିରେ ଏ ସବୁ ପିଟିସନ୍ ଡ୍ରାଫ୍ଟ କରୁଛନ୍ତି କି ବୋଲି ପଚାରିଛନ୍ତି ।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ସଚିନଙ୍କ ୫ ଜନହିତ ଆବେଦନକୁ ଅସ୍ପଷ୍ଟ, ଫାଲ୍ତୁ ଓ ଭିତ୍ତିହୀନ କହି ଖାରଜ କରିଛନ୍ତି । ଆବେଦନକାରୀ ଏହାର ଜବାବରେ କହିଛନ୍ତି, ଏହା ଏକ ସାଧାରଣ ବିଷୟ । ଗୁଜରାଟରେ ଖାଦ୍ୟରେ ପିଆଜ ବ୍ୟବହାରକୁ ନେଇ ଏକ ଛାଡ଼ପତ୍ର ହୋଇଥିଲା । ମାମଲାର ଶୁଣାଣିରେ ମୁଖ୍ୟ ବିଚାରପତି ଆବେଦନକାରୀଙ୍କୁ ପଚାରିଲେ, ପିଆଜ-ରସୁଣ ସହ ସମ୍ବନ୍ଧିତ ପିଟିସନ୍ରେ ଜୈନ ସମୁଦାୟର ଖାଦ୍ୟପେୟର ତରିକା ଉଲ୍ଲେଖ ହୋଇଥିଲା । ସେମାନେ ପାରମ୍ପରିକ ରୂପେ ପିଆଜ-ରସୁଣ ଓ ମୂଳ ପରିବାକୁ ତାମସିକ ଖାଦ୍ୟ ମାନି ତା’ଠୁ ଦୂରରେ ରହନ୍ତି । ଆପଣ ଜୈନ ସମୁଦାୟର ଭାବନାକୁ ଆଘାତ ଦେବାକୁ କାହିଁକି ଚାହୁଁଛନ୍ତି? ଖଣ୍ଡପୀଠ ଆବେଦନକୁ ଖାରଜ କରି କହିଲେ, ଆବେଦନକାରୀ ଓକିଲ ନ ହୋଇଥିଲେ ଆମେ ବହୁତ ଅଧିକ ଜରିମାନା ଲାଗୁ କରି ଏହାକୁ ଖାରଜ କରିଥାନ୍ତୁ । ମାମୁଲି ଡ୍ରାଫ୍ଟ ଜରିଆରେ ଆବେଦନ ଦାଖଲ କରି ସୁପ୍ରିମକୋର୍ଟ ଉପରେ ବୋଝ ଲଦିବାର ଏହା ଏକ ଉଦାହରଣ । ଆଗକୁ ଏଭଳି ପିଟିସନ୍ ଫାଇଲ କଲେ ବହୁତ ଅଧିକ ଜରିମାନା ଲଗାଯିବ ବୋଲି ବିଚାରପତି ସଚିନ ଗୁପ୍ତାଙ୍କୁ ଚେତାବନୀ ଦେଲେ ।
ଏହି ଖବରଟିକୁ ପଢନ୍ତୁ- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମତ, ପ୍ରମାଣ ହାସଲ ପାଇଁ ‘ହେବିଅସ୍ କର୍ପସ୍’ ମାଧ୍ୟମ ନୁହେଁ