ନୂଆଦିଲ୍ଲୀ, ୧୦/୦୨ : ସାଇବର୍ ଠକେଇ ନୁହେଁ ତ ଡକାୟତି। ସୋମବାର ଡିଜିଟାଲ୍‌ ଗିରଫଦାରି ମାଧ୍ୟମରେ ହୋଇଥିବା ୫୪ ହଜାର କୋଟିର ସାଇବର ଠକେଇକୁ ସୁପ୍ରିମକୋର୍ଟ ଡକାୟତି ବୋଲି କହିଛନ୍ତି । ଏଭଳି ଅପରାଧକୁ ରୋକିବାକୁ ଆର୍‌ବିଆଇ, ବ୍ୟାଙ୍କ୍‌ ଏବଂ ଦୂରସଞ୍ଚାର ବିଭାଗ ଭଳି ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶ କରି ଏକ ଏସ୍‌ଓପି ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସାରା ଦେଶରେ ଡିଜିଟାଲ୍‌ ଗିରଫଦାରି ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍‌ ଏନ୍‌ ଭି ଅନ୍‌ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ଅର୍ଥ ଅନେକ ଛୋଟ ରାଜ୍ୟର ବଜେଟ୍‌ଠାରୁ ଅଧିକ । ଏଭଳି ଅପରାଧ ବ୍ୟାଙ୍କ ଅଧିକାରୀଙ୍କ ସଂପୃକ୍ତି କିମ୍ବା ଦାୟିତ୍ୱହୀନତା ଯୋଗୁ ହୋଇପାରେ । ଏଭଳି କ୍ଷେତ୍ରରେ ଆର୍‌ବିଆଇ ଏବଂ ବ୍ୟାଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ । ଆର୍‌ବିଆଇ ପୂର୍ବରୁ ଏଥିଲାଗି ଏକ ଏସ୍‌ଓପି ବନାଇଛି । ସେଥିରେ ସାଇବର ଠକେଇକୁ ରୋକିବାକୁ ବ୍ୟାଙ୍କଗୁଡି଼କ ଡେବିଟ୍‌ କାର୍ଡକୁ ଅସ୍ଥାୟୀ ରୂପେ ହୋଲ୍‌ଡ କରିବାର ପ୍ରାବଧାନ ରହିଛି । ତେଣୁ ଆର୍‌ବିଆଇର ଏସ୍‌ଓପି ଏବଂ ଦୂରସଞ୍ଚାର ବିଭାଗ ପକ୍ଷରୁ ଏଥିନେଇ ଗ୍ରହଣ କରାଯାଇଥିବା ଅନ୍ୟ ନିଷ୍ପତ୍ତିକୁ ଯାଞ୍ଚ କରି ୪ ସପ୍ତାହ ମଧ୍ୟରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କୁହାଯାଇଛି । 

ସୂଚନାଥାଉକି, ପୂର୍ବରୁ କୋର୍ଟ ଡିଜିଟାଲ୍‌ ଗିରଫଦାରି ମାଧ୍ୟମରେ ସାଇବର ଠକେଇ ମାମଲାଗୁଡି଼କର ତଦନ୍ତକୁ ସିବିଆଇକୁ ଦେଇଥିଲେ । ଏଥିସହ ଗୁଜରାଟ ଏବଂ ଦିଲ୍ଲୀ ସରକାରଙ୍କୁ ଏହି ମାମଲାରେ ସିବିଆଇ ଯାଞ୍ଚକୁ ଅନୁମତି ଦେବାକୁ କହିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ।

ଏହି ଖବରଟିକୁ ପଢନ୍ତୁ- ଚନ୍ଦ୍ରଯାନ-୪ ପାଇଁ ଖୁସି ଖବର, ଜହ୍ନରେ ସବୁଠୁ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଚିହ୍ନଟ କଲା ଇସ୍ରୋ