ନୂଆଦିଲ୍ଲୀ,୧୧/୦୭; ସୁପ୍ରିମକୋର୍ଟରେ ହାଇଡ୍ରାମା । ଶୁଣାଣି ଚାଲିଥିବା ବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ । ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଗାଳିଗୁଲଜ କରିବା ସହିତ କାଗଜ ଫିଙ୍ଗିଲେ ଓକିଲ । ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ । କାରଣ ସେ ବିଶ୍ୱାସ କରନ୍ତି ଯେ, ଏପରି କାର୍ଯ୍ୟ ପ୍ରାୟତଃ ଶସ୍ତା ଲୋକପ୍ରିୟତା ପାଇବା ପାଇଁ କରାଯାଏ । ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଆବେଦନକାରୀ ତାଙ୍କର ଉଦ୍ଦେଶ୍ୟ ହାସଲ କରିବେ ।

କ'ଣ ଘଟଣା ? ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲ ଜୋରଦାର ହଙ୍ଗାମା କରିଛନ୍ତି । ଓକିଲ ଜଣେକ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ପ୍ରତି ଅପଶଦ୍ଦ କରିବା ସହ ଖଣ୍ଡପୀଠଙ୍କ ଉପରକୁ ଫାଇଲ୍, କାଗଜ ଫିଙ୍ଗିଥିଲେ । ହଙ୍ଗାମା ବେଳେ ସିଜେଆଇ କୋର୍ଟ ରୁମରେ ଉପସ୍ଥିତ ନଥିଲେ । ଜଷ୍ଟିସ୍ କେ.ଭି ବିଶ୍ୱନାଥନ ଏବଂ ଜଷ୍ଟିସ୍ ଆଲୋକ ଅରାଧେଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଏହା ଘଟିଥିଲା । ହାଇଡ୍ରାମା ପରେ ସୁପ୍ରିମକୋର୍ଟଙ୍କ ଆଦେଶରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଓକିଲଙ୍କୁ ତୁରନ୍ତ ବାହାରକୁ ନେଇଥିଲେ । ପରେ ଦିଲ୍ଲୀ ପୁଲିସ୍ ତାଙ୍କୁ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଥିଲା । ହାଇଡ୍ରାମା କରିଥିବା ଓକିଲ ଜଳକ ହେଲେ ପ୍ରବଳ ପ୍ରତାପ । ଆହ୍ଲାବାଦ ହାଇକୋର୍ଟରେ ତାଙ୍କ ରିଟ୍ ପିଟିସନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟକୁ ଆସିଥିଲେ । ତାଙ୍କ ମାମଲାର ଶୁଣାଣି ଆରମ୍ଭ ହେବା ପରେ ପ୍ରବଳ ପ୍ରତାପ ଖଣ୍ଡପୀଠଙ୍କୁ ହିଁ ଆଦେଶ ଦେବା ଆରମ୍ଭ କରିଦେଇଥିଲେ । ସେ କହିଥିଲେ, ‘ମିଷ୍ଟର ଜୁଡିସିଆଲ ସର୍ଭେଣ୍ଟ, ମୁଁ ଆପଣଙ୍କୁ ଆଦେଶ ଦେଉଛି ଯେ ଆପଣ ଲକ୍ଷ୍ନୌ ଏସିପିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।

ଏହା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରି ଜଷ୍ଟିସ୍ ବିଶ୍ୱନାଥନ ପଚାରିଥିଲେ, ଆପଣ ମୋତେ ଆଦେଶ ଦେଉଛନ୍ତି ।' ଏହା ପରେ ପ୍ରବଳ ପ୍ରତାପ ଖଣ୍ଡପୀଠଙ୍କ ଆଡକୁ ଶୂନ୍ୟରେ କିଛି ଦସ୍ତାବିଜ ଫିଙ୍ଗିଥିଲେ ଏବଂ ଗାଳିଗୁଲଜ କରିଥିଲେ । ଏହି କାଗଜପତ୍ରକୁ ସିଜେଆଇଙ୍କୁ ଦେଇଦେବ ବୋଲି ସେ କହିଥିଲେ ।  ଜଷ୍ଟିସ୍ ବିଶ୍ୱନାଥନ କହିଥିଲେ ଓକିଲ ଜଣକ ବହୁତ ବିଚଳିତ ଅଛନ୍ତି ଏବଂ ଏହ ତାଙ୍କର ସବୁ ହତାଶାକୁ ଦର୍ଶାଉଛି । ତାଙ୍କ ପ୍ରତି ଆମର ସହାନୂଭୁତି ରହିଛି । ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହୁଁ ।'  ତାଙ୍କ ବିରୋଧରେ ବାର୍ କାଉନସିଲ ଆକ୍ସନ ନେଇପାରେ ।

ଏହା ବି ପଢନ୍ତୁ...INS Mahendragiri: ସମୁଦ୍ରର ନୂଆ ବାହୁବଳୀ, ନୌସେନାରେ ସାମିଲ ହେଲା ସ୍ୱଦେଶୀ ଯୁଦ୍ଧପୋତ INS ମହେନ୍ଦ୍ରଗିରି  

ସୁପ୍ରିମକୋର୍ଟ ବେଞ୍ଚକୁ କାଗଜ ଫିଙ୍ଗିଥିବା ଏବଂ ଗାଳି ଦେଇଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସିଜେଆଇ ସୂର୍ଯ୍ୟକାନ୍ତ ନିଷ୍ପତ୍ତି ନେଇଛନ୍ତି । ବିଚାରପତି କେଭି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ଜଣେ ଆବେଦନକାରୀ ଏପରି କରିଥିଲେ, ଯାହା ଫଳରେ ସୁରକ୍ଷା କର୍ମୀମାନେ ତାଙ୍କୁ କୋର୍ଟ ରୁମରୁ ବାହାରକୁ ନେଇଯାଇଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଆବେଦନକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିପାରିଥାନ୍ତେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।