ନୂଆଦିଲ୍ଲୀ, ୦୬/୦୫ : ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ମିଶାଇ ୩୪ ଜଣ ଅଛନ୍ତି । ଏହି ସଂଖ୍ୟା ୩୮କୁ ବୃଦ୍ଧି କରାଯିବ । ଅର୍ଥାତ ସିଜେଆଇଙ୍କ ସହ ମୋଟ ୩୮ ଜଣ ବିଚାରପତି ରହିବେ ।

ସଂସଦର ଆଗାମୀ ଅଧିବେଶନରେ ଏ ସଂକ୍ରାନ୍ତରେ ବିଲ୍ ଅଣାଯିବ । ସଂସଦର ଅନୁମୋଦନ ପରେ ସୁପ୍ରିମକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ସିଜେଆଇଙ୍କୁ ମିଶାଇ ୩୮ ହେବ । ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ ୧୯୫୬ ଯେତେବେଳେ ଅଣାଗଲା ସେଥିରେ ସିଜେଆଇଙ୍କୁ ବାଦ୍ ଦେଇ ୧୦ ବିଚାରପତି ରହିବା କଥା କୁହାଯାଇଥିଲା । ୧୯୬୦ରେ ଆଇନରେ ସଂଶୋଧନ ଆଣି ଏହି ସଂଖ୍ୟା ୧୩କୁ ଓ ପରେ ପୁଣି ୧୭କୁ ବୃଦ୍ଧି କରାଯାଇଥିଲା । ୧୯୮୬ରେ ପୁଣି ଥରେ ଆଇନରେ ସଂଶୋଧନ କରାଯାଇ ଏହି ସଂଖ୍ୟା ୨୫ (ସିଜେଆଇଙ୍କୁ ବାଦ୍ ଦେଇ) କରାଗଲା । ୨୦୦୯ରେ ପୁଣି ୩୦କୁ ବଢ଼ିଲା । ୨୦୧୯ରେ ପୁଣିଥରେ ଆଇନରେ ପରିବର୍ତ୍ତନ କରାଯାଇ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩ (ସିଜେଆଇଙ୍କୁ ବାଦ୍ ଦେଇ) କରାଗଲା ।

ଏହି ଖବରଟିକୁ ପଢନ୍ତୁ- ରକ୍ତମୁଖା ପଶ୍ଚିମବଙ୍ଗ: ବିଜେପି-ଟିଏମସି ମୁହାଁମୁହିଁ, ୨୪ ଘଣ୍ଟାରେ ଗଲା ୪ ଜୀବନ