ନୂଆଦିଲ୍ଲୀ, ୦୯/୧୨: ପାଇଜାମାର ନାଡ଼ା ଖୋଲିବା, ଗୁପ୍ତାଙ୍ଗ ଧରିବା ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପାଇଁ ଯଥେଷ୍ଟ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ମାମଲାରେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରାଯିବ ଏବଂ ଟ୍ରାଏଲ ଜାରି ରହିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ହାଇକୋର୍ଟ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଉଦ୍ୟମ ଅଭିଯୋଗକୁ ହଟାଇବାକୁ କହିଥିଲେ ।

ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ କହିଥିଲେ, ସମସ୍ତ ହାଇକୋର୍ଟ ପାଇଁ ଏକ ବିସ୍ତୃତ ଗାଇଡଲାଇନ ଜାରି କରାଯାଇପାରିବ । ଅଦାଲତଙ୍କ ଏପରି ଟିପ୍ପଣୀ ପୀଡ଼ିତ/ପୀଡ଼ିତାଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇପାରେ । ଅନେକ କ୍ଷେତ୍ରରେ ସେମାନଙ୍କୁ ମାମଲା ପ୍ରତ୍ୟାହାର କରିନେବା ଲାଗି ଚାପ ମଧ୍ୟ ପଡ଼ିପାରେ । ଏହା ଦ୍ୱାରା ସେମାନଙ୍କ ମନରେ ଭୟ ସୃଷ୍ଟି ହେବ । ବିଶେଷକରି ହାଇକୋର୍ଟ ଫଇସଲା କରିବା ବେଳେ ଏବଂ ଶୁଣାଣି ସମୟରେ ଏପରି ଦୁର୍ଭାଗ୍ୟପୂର୍ଣ୍ଣ ଟିପ୍ପଣୀ ଦେବାରୁ ବିରତ ରହିବା ଉଚିତ ।

ବରିଷ୍ଠ ଓକିଲ ଶୋଭା ଗୁପ୍ତା ସୁପ୍ରିମକୋର୍ଟରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଉ ଏକ ଟିପ୍ପଣୀ କଥା ମଧ୍ୟ ଉଠାଇଥିଲେ, ଯେଉଁଥିରେ ହାଇକୋର୍ଟ କହିଥିଲେ ଯେ ‘ମହିଳା ନିଜେ ନିଜ ପାଇଁ ବିପଦକୁ ଆମନ୍ତ୍ରଣ କରିଥିଲେ, ତେଣୁ ତାଙ୍କ ସହ ଯାହା ଘଟିଛି ସେଥିପାଇଁ ସେ ନିଜେ ଦାୟୀ’ । ଏଥିସହ ସେ ରାଜସ୍ଥାନ, କୋଲକାତା ହାଇକୋର୍ଟ କଥା ମଧ୍ୟ ଉଠାଇ ଏହି ଅଦାଲତଗୁଡ଼ିକ ଏପରି ଟିପ୍ପଣୀ ଦେଇଥିବା କହିଥିଲେ । ଏଭଳି ସ୍ଥିତିରେ ଆମେ ମାର୍ଗଦର୍ଶିକା ଜାରି କରିପାରିବୁ ବୋଲି ସୁପ୍ରିମକୋର୍ଟ କହିଥିଲେ ।