ନୂଆଦିଲ୍ଲୀ,୩୧/୧୦: ବୁଲା କୁକୁରଙ୍କ ସମସ୍ୟା ସମ୍ପର୍କରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୩ ତାରିଖରେ କୋର୍ଟରେ ହାଜର ହେବାକୁ ସମସ୍ତଙ୍କୁ କୁହାଯାଇଛି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭର୍ଚୁଆଲ୍ ହାଜର ହୋଇପାରିବେ ନାହିଁ ସଲିସିଟର ଜେନେରାଲ ତୁଷାର ମେହେତା, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଭିସିରେ ହାଜର ହେବାରୁ ଅନୁରୋଧ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଅନୁରୋଧକୁ ଖାରଜ କରିଦେଇଛନ୍ତି । 

ବୁଲା କୁକୁର ପ୍ରସଙ୍ଗରେ ସଲିସିଟର ଜେନେରାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, "ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ହାଜର ହେବା ଆବଶ୍ୟକ।" ସଲିସିଟର ଜେନେରାଲ ତୁଷାର ମେହେତା ଅନୁରୋଧ କରିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଶାରୀରିକ ହାଜରରୁ ମୁକ୍ତ କରାଯାଉ।  ସେମାନେ ବ୍ୟକ୍ତିଗତ ଭାବରେ ହାଜର ହେବା ପରିବର୍ତ୍ତେ ଭର୍ଚୁଆଲରେ ହାଜର ହୁଅନ୍ତୁ। ଯାହାର ଉତ୍ତରରେ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି ଯେ, "ନା, ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଆସିବାକୁ ଦିଅ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କୋର୍ଟ ଏଠାରେ ସମୟ ଦେଉଛନ୍ତି, ସରକାର ନିୟମ ତିଆରି କରନ୍ତି ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତିନାହିଁ ।  ସେମାନେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରୁନାହାନ୍ତି, ଶୋଇପଡ଼ୁଛନ୍ତି । ସେମାନଙ୍କ ବ୍ୟକ୍ତିଗତ ଭାବରେ ଆସି ବୁଝାଇବାକୁ ପଡିବ ଯେ, କାହିଁକି ଅନୁପାଳନ ସତ୍ୟପାଠ ଦାଖଲ କରାଯାଇ ନାହିଁ। ଜଷ୍ଟିସ୍ ନାଥ ଆହୁରି ବି କହିଛନ୍ତି ଯେ,"ଯେତେବେଳେ ଆମେ ସେମାନଙ୍କୁ ଏକ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ କହୁ, ସେମାନେ ଏଥିରେ ନୀରବ ରୁହନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପ୍ରତି କୌଣସି ସମ୍ମାନ ନାହିଁ। ତେଣୁ ସେମାନଙ୍କୁ ଆସିବାକୁ ଦିଅନ୍ତୁ।"   

ତେବେ ଅକ୍ଟୋବର ୨୭ ତାରିଖରେ ବୁଲା କୁକୁର ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ବ୍ୟତୀତ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନଭେମ୍ବର ୩ ତାରିଖରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ଏଥିସହ କୋର୍ଟଙ୍କ ଅଗଷ୍ଟ ୨୨ ତାରିଖର ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଅନୁପାଳନ ଶପଥପତ୍ର ଦାଖଲ କରାଯାଇ ନାହିଁ ତାହା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।