ନୂଆଦିଲ୍ଲୀ,୧୧/୦୪: ଏକ ରୋଚକ ମାମଲାରେ ଦୀର୍ଘ ୧୬ ବର୍ଷ ଧରି ସ୍ତ୍ରୀଙ୍କଠାରୁ ଅଲଗା ଥିବା ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ଛାଡ଼ପତ୍ର ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବାକୁ ମନା କରିଛନ୍ତି । ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ମାସକୁ ୧୫ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି ତେବେ ସ୍ଥାୟୀ ଭାବେ ଭରଣପୋଷଣ ଦେବା ଲାଗି ଏକ ଉଚିତ ପ୍ରସ୍ତାବ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ, ‘ଆଜିର ସମୟରେ ୧୫ ହଜାର ଟଙ୍କା ବହୁତ କମ୍ । ଶାନ୍ତିରେ ୧୫ ହଜାର ଦିଅ, ଖୁସିରେ ରୁହ ।’ ବ୍ୟକ୍ତି ଜଣକ ୧୬ ବର୍ଷ ଧରି ସ୍ତ୍ରୀଙ୍କଠାରୁ ଅଲଗା ରହୁଥିବାବେଳେ ମାସକୁ ୧୫ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେଉଥିଲେ । ବ୍ୟକ୍ତିଙ୍କ ମାସିକ ଦରମା ୬୫ ହଜାର ଟଙ୍କା । ପୂର୍ବରୁ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ । ବ୍ୟକ୍ତି ଜଣକ ସୁପ୍ରିମକୋର୍ଟରେ ଛାଡ଼ପତ୍ର ପାଇଁ ନିବେଦନ କରିବା ବେଳେ ତାଙ୍କ ସ୍ତ୍ରୀ କିନ୍ତୁ ତାଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏ ନେଇ ଖଣ୍ଡପୀଠ କହିଥିଲେ, ଯଦି ସ୍ତ୍ରୀ ଏକାଠି ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନିଜ ସାଙ୍ଗରେ ରଖନ୍ତୁ । କେବଳ ଦୀର୍ଘ ସମୟ ଅଲଗା ରହିବା ଆଧାରରେ ଛାଡ଼ପତ୍ର ଦିଆଯାଇପାରିବ ନାହିଁ । ବିଶେଷକରି ଯଦି ଗୋଟିଏ ପକ୍ଷ ଏକାଠି ରହିବାକୁ ଚାହୁଁଛନ୍ତି । ଯଦି ଛାଡ଼ପତ୍ର ଦରକାର ତେବେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କ ପାଇଁ ସ୍ଥାୟୀ ଭରଣପୋଷଣର ଉଚିତ ପ୍ରସ୍ତାବ ଆଣି ଆସନ୍ତୁ ।

ଆହୁରି ପଢନ୍ତୁ-ରିଜର୍ଭ ବ୍ୟାଙ୍କର ନୂଆ ପ୍ରସ୍ତାବ, ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇଲେ ବିଳମ୍ବ ହେବ ଘଣ୍ଟାଏ

ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ଭବିଷ୍ୟତର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରନ୍ତୁ ପରେ ଛାଡ଼ପତ୍ର କଥା ଚିନ୍ତା କରନ୍ତୁ । ଏହା ପରେ ହିଁ ଛାଡ଼ପତ୍ର ଉପରେ ବିଚାର କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣିବେଳେ ସମ୍ପୃକ୍ତା ମହିଳାଙ୍କ ଓକିଲ କହିଥିଲେ ଯେ, ମହିଳା ଜଣକ ଭରଣପୋଷଣ ବି ଚାହୁଁନାହାନ୍ତି । ସେ କେବଳ ତାଙ୍କ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଚାହାନ୍ତି । ଏଥିରେ ସମସ୍ୟା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ବ୍ୟକ୍ତି ଜଣଙ୍କର ଓକିଲ କହିଥିଲେ, ଉଭୟଙ୍କ ମଧ୍ୟରେ ସ୍ୱଭାବରେ ବ୍ୟାପକ ପାର୍ଥକ୍ୟ ରହିଛି । ଉଭୟ ଏମିତି ବି ୧୬ ବର୍ଷ ହେଲା ଅଲଗା ରହୁଛନ୍ତି । ଅନେକ ଥର ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହୋଇଛି । କିନ୍ତୁ କିଛି ବି ସମାଧାନ ବାହାରି ପାରିନାହିଁ । ପରେ ସୁପ୍ରିମକୋର୍ଟ ସେହି ବ୍ୟକ୍ତି ସ୍ଥାୟୀ ଭରଣପୋଷଣର ପ୍ରସ୍ତାବ ନେଇ ଆସିବାକୁ ସମୟ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୭ରେ ହେବ ।