ନୂଆଦିଲ୍ଲୀ,୦୭/୧୦: ଏବେ  କ୍ରିକେଟରେ ଖେଳ ଭଳି ଆଉ କିଛି  କଥା ନାହିଁ । ଏହା ସତ । ଏ ସବୁ କିଛି  ବିଜନେସ ବୋଲି ସୋମବାର ଏକ  ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ  ଟିପ୍ପଣୀ ଦେଇଛନ୍ତି । ଜବଲପୁରର ଏକ  କ୍ରିକେଟ ସଂଘ ସହ ଜଡ଼ିତ ବିବାଦୀୟ  ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟକୁ  ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ହୋଇଥିଲା । ଏହାର ଶୁଣାଣି ବେଳେ ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଜଷ୍ଟିସ୍‌  ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ବିଭିନ୍ନ ପକ୍ଷର ଓକିଲକୁ କହିଥିଲେ, ଆଜି ଆମେ  ଏଠାରେ କ୍ରିକେଟ ଖେଳୁଛୁ । ୩/୪ ମାମଲା ଅଛି । ଗୋଟିଏ ମାମଲା ପୂର୍ବରୁ ହିଁ ସ୍ଥଗିତ ରହିଛି । ଏହା ଦ୍ୱିତୀୟ ମାମଲା । ଆଉ ୨ ମାମଲା ବି ପଡ଼ି ରହିଛି । ଆଉ କେତେ  ଟେଷ୍ଟ ମ୍ୟାଚ୍‌ ଖେଳିବା?

ପିଟିସନରଙ୍କ  ଓକିଲ କହିଥିଲେ, ଦେଶରେ କ୍ରିକେଟ ପ୍ରତି ପ୍ରବଳ ଆଗ୍ରହ ଅଛି । ଖଣ୍ଡପୀଠ  କହିଥିଲେ, ଏବେ ସମୟ ଆସିଯାଇଛି  ଯେ ଅଦାଲତ କ୍ରିକେଟ ଏବଂ ଅନ୍ୟ ଖେଳ ସହ ଜଡ଼ିତ ମାମଲାରେ ହସ୍ତକ୍ଷେପ  କରିବା ଉଚିତ ନୁହେଁ । ଯେଉଁଠି  ଖେଳର ବ୍ୟବସାୟୀକରଣ ହେଉଛି  ସେଠାରେ ଏପରି ହେବା ସ୍ୱାଭାବିକ ।  ପିଟିସନରଙ୍କ ଓକିଲ କହିଥିଲେ କେତେକ  ଚିନ୍ତା କାରଣରୁ ମାମଲା ସୁପ୍ରିମକୋର୍ଟକୁ  ଆସିଛି । କିନ୍ତୁ ଖଣ୍ଡପୀଠ କହିଥିଲେ,  ଏହି ସମସ୍ତ ମାମଲାର ଫଳାଫଳ ସହ  ଅନେକଙ୍କ ହିତ ଯୋଡ଼ିହୋଇ ରହିଛି । ଖେଳର ବ୍ୟବସାୟୀକରଣ ହୋଇଗଲେ  ଏପରି ହୁଏ । ତେଣୁ ଏହା ଉପରେ  ଅଧିକ ବିଚାର କରିବା ଲାଗି ଖଣ୍ଡପୀଠ  ଅନିଚ୍ଛା ପ୍ରକାଶ କରିଥିଲେ । ପରେ ଆବେଦନକାରୀଙ୍କୁ ପିଟିସନ ପ୍ରତ୍ୟାହାର  କରିନେବା ଲାଗି ଅନୁମତି ଦେଇଥିଲେ।