ନୂଆଦିଲ୍ଲୀ,୯।୨: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନିକଟରେ ଜଣେ ଆଇନଜୀବି ନିଜ ସହ ମାରପିଟ୍ ପ୍ରସଙ୍ଗ ଉଠାଇଛନ୍ତି। ଓକିଲ ଜଣକ ସିଜେଆଇଙ୍କୁ କହିଛନ୍ତି, କୋର୍ଟରେ ତାଙ୍କ ସହ ମାରପିଟ୍ କରାଯାଇଛି। ଏହି ସବୁ ଆଡିସନାଲ ଡିଷ୍ଟ୍ରିକ୍ଟ ଜଜଙ୍କ ଆଗରେ ହୋଇଛି। ଏହାକୁ ନେଇ ସିଜେଆଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ କହିଛନ୍ତି, କୋର୍ଟରେ ଏଭଳି ଗୁଣ୍ଡାରାଜ ଚାଲିବନି।

ଓକିଲ ଜଣକ ସୁପ୍ରିମକୋର୍ଟଙ୍କୁ କହିଛନ୍ତି,ମୁଁ ଏଡିଜେ ହରଜିତ ସିଂହ ପାଲ୍‌ଙ୍କ ତିସ୍ ହଜାର କୋର୍ଟରେ ହାଜର ହୋଇଥିଲି। ମୁଁ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲି। ଅଭିଯୋଗକାରୀ ଓ ତାଙ୍କ ଗୁଣ୍ଡାମାନେ ମୋ ଉପରେ ଆକ୍ରମଣ କରିଥିଲେ। ମାଡ଼ ମାରିଥିଲେ। ଘଟଣା ସମୟରେ ବିଚାରପତି ସେଠାରେ ବସିଥିଲେ। କୋର୍ଟର ସବୁ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଅଭିଯୋଗ କରିଛନ୍ତି କୋର୍ଟ ରୁମର କବାଟ ବନ୍ଦ କରି ଅଭିଯୁକ୍ତ ତାଙ୍କ ସହ ମାରପିଟ୍ କରିଥିଲା।

ସୁପ୍ରିମକୋର୍ଟର ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଓକିଲଙ୍କୁ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି। ସେ କହିଛନ୍ତି, ମୁଁ ଏହି ମାମଲାକୁ ପ୍ରଶାସନିକ ଭାବରେ ଦେଖିବି। ନ୍ୟାୟିକ ଦିଗରେ ଏବେ କିଛି କରିହେବନି। ଏ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଉ । ସେମାନେ ଏଭଳି କିପରି କରିପାରିବେ ? ଏଭଳି ପ୍ରକାର ଗୁଣ୍ଡାଗିରିକୁ ଟିକେ ବି ବରଦାସ୍ତ କରାଯିବନି।

ସିଜେଆଇ କହିଛନ୍ତି, ଏହି ସବୁ ୭ ଫେବୃଆରୀରେ ହୋଇଥିଲା। କ’ଣ ଆପଣ ଏହାର ସୂଚନା ଦିଲ୍ଳୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦେଇଛନ୍ତି ? ମୁଖ୍ୟ ବିଚାରପତିଙ୍କୁ ଲେଖନ୍ତୁ ଓ ମୋତେ ବି ମାର୍କ କରନ୍ତୁ। ଏହା ଉପରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ନିଷ୍ପତ୍ତି ନେବାକୁ ଦିଆଯାଉ। କାର୍ଯ୍ୟାନୁଷ୍ଠାନ ପ୍ରଶାସନିକ ପକ୍ଷରୁ କରାଯିବ। ଏଭଳି ଗୁଣ୍ଡାରାଜକୁ ଆମେ ସ୍ବୀକାର କରିବୁନି। ଏହାର ଅର୍ଥ ଆଇନକୁ ଅବମାନନା କରିବା।

ଆହୁରି ପଢନ୍ତୁ :ଗୌରବ ଗୋଗୋଇ ଓ ତାଙ୍କ ପତ୍ନୀଙ୍କ ପାକିସ୍ତାନ କନେକ୍ସନର ହେବ ତଦନ୍ତ, ଗୃହ ମନ୍ତ୍ରଣାଳୟକୁ ଆସାମ କ୍ୟାବିନେଟ୍ ପଠାଇଲା ରିପୋର୍ଟ