କଟକ,୧୪/୦୫: ସଡ଼କ ସୁରକ୍ଷା ନେଇ ଦେଶର ସର୍ବୋଚ୍ଚ ଅଦାଲତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସର୍ବସାଧାରଣଙ୍କ ସେବାରେ ନିୟୋଜିତ ସବୁ ଗାଡ଼ିରେ ଭିଏଲ୍‌ଟିଡି ଏବଂ ପ୍ୟାନିକ୍ ବଟନ ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଯେଉଁ ଗାଡ଼ିରେ ଭିଏଲ୍‌ଟିଡି ଏବଂ ପ୍ୟାନିକ୍ ବଟନ ଲାଗିନଥିବ ସେହି ଗାଡ଼ିକୁ ପରମିଟ୍ କିମ୍ବା ଫିଟ୍‌ନେସ୍ ନଦେବା ଲାଗି ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁକରାଯାଇଥିଲାବେଳେ ୧ ପ୍ରତିଶତ ଗାଡ଼ିରେ ବି ଏହି ଡିଭାଇସ୍ ଲାଗିନଥିବାରୁ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଜେବି ପରଦିୱାଲା ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ସୁପ୍ରିମ୍‌କୋର୍ଟ ଏହାକୁ ଅତ୍ୟନ୍ତ ‘ଗମ୍ଭୀରଜନକ’ ସ୍ଥିତି ବୋଲି କହିଛନ୍ତି । ବିଶେଷ କରି ମହିଳା, ଶିଶୁ ଏବଂ ବୟସାଧିକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଏହି ଡିଭାଇସ୍ ଲାଗିବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ନୂଆ ଏବଂ ପୁରୁଣା ଗାଡ଼ିରେ ଏହି ଡିଭାଇସ୍ ଯେପରି ଲାଗିପାରିବ ତାହା ସରକାର ସୁନିଶ୍ଚିତ କରିବାକୁ ସୁପ୍ରିମ୍‌କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଡିଭାଇସ୍ ଲଗାଇବା ବ୍ୟବସ୍ଥାକୁ ବାହନ ପୋର୍ଟାଲ ସହ ଯୋଡ଼ାଯିବ । ଯାହାଦ୍ୱାରା କେଉଁ ଗାଡ଼ିର ଏହି ଡିଭାଇସ୍ ଅଛି, କେଉଁ ଗାଡ଼ିର ନାହିଁ, କାହାର ଅବଧି ସରିଗଲାଣି ତାହା ଜଣାପଡ଼ିବ । ଏଭଳି ଡିଭାଇସ୍‌ର ବ୍ୟବହାର ତଥା ଆବଶ୍ୟକତା ସଂକ୍ରାନ୍ତରେ ଆମିକସ୍କ୍ୟୁରୀ ଗୌରବ ଅଗ୍ରୱାଲ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଥିଲେ ।

ଅଧିକ ପଢ଼ନ୍ତୁ :-  Prameya Impact: ଫାଇଲ୍ ବୁହା କାମରୁ ହଟିବେ ସିପାହୀ, ମେ’ ୩୧ ସୁଦ୍ଧା ବାଟାଲିୟନ୍କୁ ଫେରିବାକୁ ନିର୍ଦ୍ଦେଶ

ଦେଶରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ନଥିବାରୁ ବିଚାରପତି ଜଷ୍ଟିସ୍ ପରଦିୱାଲା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଲେନ୍ ଡ୍ରାଇଭିଂ ନଥିବାରୁ ଦେଶରେ ବେଶୀ ଦୁର୍ଘଟଣା ଘଟୁଛି । ଲେନ୍ ଡ୍ରାଇଭିଂ ଦ୍ୱାରା ଦେଶରେ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ଯାହା ଉପରେ ସରକାର ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ ଏହି ଅବସରରେ ମତ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ଡିଭାଇସ୍ ଲଗାଇଥିବା ପାଇଁ କୁହାଯାଇଛି ବୋଲି ଅତିରିକ୍ତ ସଲିସେଟର ଜେନେରାଲ ବିକ୍ରମ୍ଜିତ୍ ବାନାର୍ଜୀ ଅଦାଲତଙ୍କୁ ଜଣାଇଥିଲେ । କିନ୍ତୁ ଚିଠି ଲେଖିବା ଅପେକ୍ଷା ଆଦେଶ କେତେଦୂର୍ କାର୍ଯ୍ୟକାରୀ ହୋଇଛି ତାହା ଉପରେ ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ କହିଥିଲେ । ଏହି ଆଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି ସେସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣିରେ ରିପୋର୍ଟ ଦାଖଲ ପାଇଁ ଅଦାଲତ କହିଛନ୍ତି ।