ନୂଆଦିଲ୍ଲୀ,୧୩/୦୭; ହାତରୁ ସିରିଜ ଗଲା, ସମ୍ମାନ ବି ରହିଲାନି । ଆୟର୍ଲାଣ୍ଡ ପରେ ଇଂଲଣ୍ଡଠାରୁ ହାରିଲା ଭାରତ । ପରାଜୟ ପରେ ବିସିସିଆଇକୁ ପୂର୍ବ କ୍ୟାପ୍ଟେନଙ୍କ ସାଇଲେଣ୍ଟ ଜବାବ । ଏକ୍ସ ଅଧିନାୟକଙ୍କ ଟି-ସାର୍ଟ ବହୁତ କିଛି କହିଛି । ସୂର୍ଯ୍ୟକୁମାର ଯାଦବଙ୍କ 'କ୍ୟାପ୍ଟେନ୍' ଟି-ସାର୍ଟକୁ ନେଇ ହଲଚଲ । ସାର୍ଟରେ ଲେଖାଥିବା 'କ୍ୟାପ୍ଟେନ୍' ଉପରେ ଗାର ପଡ଼ିଛି । ତଳକୁ ଲେଖା ଅଛି ଲିଡର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହୋଇଛି । ବିସିସିଆଇକୁ ରୋଷ୍ଟ କଲେ କି ସୂର୍ଯ୍ୟକୁମାର ? ଏମିତି କିଛି କହୁଛନ୍ତି ୟୁଜର୍ସ ।

ପତ୍ନୀ ଦେବୀଶା ଶେଟ୍ଟି ସୂର୍ଯ୍ୟ ତାଙ୍କ ଝିଅକୁ ଧରିଥିବା ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । କିନ୍ତୁ ଆଲୋଚନାର ବିଷୟ ହେଉଛି ସ୍କାଏ ପିନ୍ଧିଥିବା ଟି-ସାର୍ଟ ଉପରେ ଲେଖାଥିବା କ୍ୟାପ୍ସନ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଭିତରେ ସୂର୍ଯ୍ୟକୁମାର ଯାଦବଙ୍କ ଏହି ଫଟୋକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କ ଟି-ସାର୍ଟରେ 'କ୍ୟାପ୍ଟେନ୍' ଏବଂ 'ଲିଡର' ଲେଖାଯାଇଛି । 'କ୍ୟାପ୍ଟେନ୍' ଲେଖା ଉପରେ କ୍ରସ୍ କରାଯାଇଛି । 'ଲିଡର' ଶବ୍ଦଟି ବୋଲ୍ଡ ଅକ୍ଷରରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ସୋସିଆଲ ମିଡିଆ ୟୁଜର ଏହି ଫଟୋକୁ ନେଇ ବିଭିନ୍ନ ଦାବି କରୁଛନ୍ତି । ସୂର୍ଯ୍ୟ ଟି-୨୦ ଦଳରୁ ବାଦ ପଡ଼ିବା ପରେ ଚୟନକର୍ତ୍ତାଙ୍କୁ ସମାଲୋଚନା କରୁଥିବା କହିଛନ୍ତି ୟୁଜର । ରୋମ୍ୟାନ୍ ନାମକ ଜଣେ ଏକ୍ସ ୟୁଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ସ୍ପେସିଆଲ ପର୍ସନ-ସ୍ପେସିଆଲ ଟି-ସାର୍ଟ । ଲିଡର ସୂର୍ଯ୍ୟକୁମାର ଯାଦବ । ସେହିପରି ନୀତିନ କାକଡେ ନାମକ ଜଣେ ଏକ୍ସ ୟୁଜର ଲେଖିଛନ୍ତି, '' ସୂର୍ଯ୍ୟକୁମାର ଯାଦବ ଏହି ଟି-ସାର୍ଟ ପିନ୍ଧି କହୁଛନ୍ତି ଯେ, ସେ ଅଧିନାୟକ ନୁହଁନ୍ତି, ସେ ଦଳକୁ ବହନ କରୁଥିବା ଜଣେ ନେତା । ଲାଗୁଛି କେହି ଜଣେ ବିସିସିଆଇ ଏବଂ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କରୁଛନ୍ତି ।''

ମାର୍ଚ୍ଚରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ତଥାପି ତାଙ୍କୁ ଅଧିନାୟତ୍ୱ ହରାଇବାକୁ ପଡିଥିଲା । ଦଳରୁ ସୂର୍ଯ୍ୟଙ୍କୁ ବାଦ ଦେବାର ମୁଖ୍ୟ କାରଣ ଥିଲା ତାଙ୍କର ବ୍ୟକ୍ତିଗତ ଫର୍ମ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ବ୍ୟତୀତ, ସୂର୍ଯ୍ୟ ପୂର୍ବ ୫ଟି ଟି-ଟ୍ୱେଣ୍ଟି ସିରିଜରେ ୧୦୦ ରନ ବି କରିପାରି ନଥିଲେ । ଅଧିନାୟକ ଭାବରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଦମଦାର ଥିଲା, କାରଣ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ୧୬ ଟି ସିରିଜ୍ ଜିତିଥିଲା । ହୁଏ ତ ବିସିସିଆଇ କ୍ୟାପ୍ଟେନ୍ ବଦଳାଇପାରେ କିନ୍ତୁ ଲିଡର ନୁହେଁ । ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ ପରାଜୟ ପରେ ଏହା ସ୍ପଷ୍ଟ ବାରି ହୋଇପଡୁଛି ।

ଏହା ବି ପଢନ୍ତୁ...Rahul Dravid: ଇଂଲଣ୍ଡ ଟେଷ୍ଟ ଟିମ୍ କୋଚ୍ ହେବେ କି ଦ୍ରାବିଡ୍ ? ମ୍ୟାକ୍କୁଲମଙ୍କ ସ୍ଥାନରେ ନାମ ସର୍ଟ ଲିଷ୍ଟ ହୋଇଥିବା ଦାବି  

ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ସୂର୍ଯ୍ୟକୁମାରଙ୍କୁ କ୍ୟାପ୍ଟେନ୍ସିରୁ ହଟାଯାଇଥିଲା । ଖାଲି ସେତିକି ନୁହେଁ ଦଳରେ ମଧ୍ୟ ସ୍ଥାନ ମିଳିନଥିଲା । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନେତୃତ୍ୱ ଦିଆଯାଇଥିଲା । ନୂଆ ଟିମ୍ ଗଠନ ହୋଇଥିଲା । ହେଲେ ଟିମ୍ ଇଣ୍ଡିଆ ନିରାଶ କରିଥିଲା । ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ହ୍ୱାଇଟୱାସ୍ ହେବା ପରେ ଇଂଲଣ୍ଡଠାରୁ ୪-୦ରେ ଟି-ଟ୍ୱେଣ୍ଟି ସିରିଜ ହାରିଛି ଭାରତ । ଏହା ସହିତ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହରାଇଛି । ଭାରତର ଏହି ପରାଜୟ ଭିତରେ ପୂର୍ବ କ୍ୟାପ୍ଟେନ୍ ସୂର୍ଯ୍ୟକୁମାରଙ୍କ ଏହି ଟି-ସାର୍ଟ ଚର୍ଚ୍ଚା ବଢାଇଛି । ସୂର୍ଯ୍ୟକୁମାର ଜାଣିଶୁଣି ଟି-ସାର୍ଟ ପିନ୍ଧିଛନ୍ତି କି ? ଏମିତି କିଛି ପ୍ରଶ୍ନ ଉଠୁଛି ।