ନୂଆଦିଲ୍ଲୀ: ଦୂଷିତ ଜଳ ଭର୍ତ୍ତି ଏକ ବୋତଲ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବାସଭବନ ବାହାରେ ଢ଼ାଳିଛନ୍ତି ଆପ୍‌ ସାଂସଦ ସ୍ୱାତୀ ମାଲିୱାଲ୍।ଏହା ସହ ଆଗକୁ ଦୂଷିତ ଜଳ ଭର୍ତ୍ତି ଟ୍ୟାଙ୍କର ଆଣି ଘର ଆଗରେ ଢ଼ାଳିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଆମ୍ ଆଦାମୀ ପାର୍ଟି (ଆପ୍‌) ସାଂସଦ ସ୍ୱାତୀ ମାଲିୱାଲ୍ ଦିଲ୍ଲୀରେ ଦୂଷିତ ଜଳ ଯୋଗାଣକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଘର ବାହାରେ ଦୂଷିତ ପାଣି ନେଇ ଫୋପାଡ଼ିବା ସହ ଚେତାବନୀ ଦେଇଛନ୍ତି । ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ଏହି ଦୂଷିତ ଜଳ ଦିଲ୍ଲୀବାସୀଙ୍କୁ ସପ୍ଲାଇ କରାଯାଉଛି  । ଲୋକେ ଏହି ଖରାପ ପାଣିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ସ୍ୱାତୀ ମାଲିୱାଲ ଚେତାବାନୀ ଦେଇ କହିଛନ୍ତି ଯେ, ଆଗାମୀ ୧୫ ଦିନ ଭିତରେ ଜଳ ଯୋଗାଣ ଠିକ୍ ନହେଲେ ଏହି ଦୂଷିତ ପାଣିକୁ ଟ୍ୟାଙ୍କରରେ ଆଣି ମୁଖ୍ୟମନ୍ତ୍ରୀଙ୍କ ଘରେ ଛାଡ଼ିବେ । 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାତୀ କହିଛନ୍ତି, 'ସାଗରପୁର, ଦ୍ୱାରକାର ଲୋକେ ମୋତେ ଡାକିଥିଲେ । ସେଠାରେ ସ୍ଥିତି ଅତି ଖରାପ ରହିଛି । ମୁଁ ଜଣଙ୍କ ଘରକୁ ଯାଇ ଦେଖିଲା ବେଳେ ନଳରେ କଳା ପାଣି ଆସୁଛି । ମୁଁ ସେହି କଳା ପାଣିକୁ ଗୋଟିଏ ବୋତଲରେ ଭର୍ତ୍ତି କରି ମୁଖ୍ୟମନ୍ତ୍ରୀ ମାଡାମଙ୍କ ଆବାସକୁ ଧରି ଆସିଛି । ଆସନ୍ତା ବର୍ଷକୁ ସବୁ ଠିକ୍ ହୋଇଯିବ ବୋଲି ୨୦୧୫ରୁ ଆମେ ଶୁଣି ଆସୁଛୁ ।' ଏହା ପୂର୍ବରୁ ଶନିବାର ଅପରାହ୍ଣରେ ମାଲିୱାଲ ସହରର ଦ୍ୱାରକା ଅଞ୍ଚଳ ଯାଇ ସେଠାରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ଏହି ଦୂଷିତ ଜଳ ସଂଗ୍ରହ କରିଥିଲେ ।  ଟ୍ୟାପରୁ ବାହାରୁଥିବା ଦୂଷିତ ଏବଂ ଦୁର୍ଗନ୍ଧ ପାଣି ଦେଖି ସାଂସଦ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା କୋକାକୋଲା ନା ଅଶୋଧିତ ତୈଳ ବୋଲି ଏକ୍ସରେ ଭିଡିଓ ସେୟାର କରି ପଚାରିଛନ୍ତି ସ୍ୱାତୀ ମାଲିୱାଲ୍ । 




ଆପ୍ ସରକାରକୁ ଟାର୍ଗେଟ କରି ସେ କହିଥିଲେ, 'ସେମାନଙ୍କ ଘରେ ୧୫ କୋଟି ଟଙ୍କାର ୱାଟର ସାନିଟେସନ୍ ସପ୍ଲାଇ ଲାଗିବ । କିନ୍ତୁ ଜନତାଙ୍କୁ କଳା ପାଣି ଦିଆଯାଉଛି । ସେମାନଙ୍କୁ ଲଜ୍ଜା ଲାଗୁନି, ଲୋକଙ୍କୁ ନର୍କରେ ମରିବା ପାଇଁ ଛାଡ଼ି ଦିଆଯାଇଛି । ଆଜି ଗୋବର୍ଦ୍ଧନ ପୂଜା, ଦୀପାବଳି ଏବେ ସରିଛି । ସେମାନଙ୍କ ପାର୍ବଣ ଖୁସିରେ ହେବ, କିନ୍ତୁ ଲୋକଙ୍କ ଦୀପାବଳି କଷ୍ଟରେ ।' ରାଜ୍ୟସଭା ସାଂସଦ କହିଛନ୍ତି, 'ସେହି କଳା ପାଣିକୁ ଧରି ଏଠାକୁ (ମୁଖ୍ୟମନ୍ତ୍ରୀଙ୍କ ବାସଭବନ) ଆସିଛି । ଦିଲ୍ଲୀର ଜନତା କ'ଣ ଏଇ କଳା ପାଣି ପିଇବେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଉଛି, ଏହା କେବଳ ଏକ ଟ୍ରେଲର, ୧୫ ଦିନ ଭିତରେ ପୂରା ଦିଲ୍ଲୀରେ ପାଣି ଯୋଗାଣ ଠିକ୍ ନହେଲେ, ଟ୍ୟାଙ୍କରେ ଏହି କଳା ପାଣି ଭର୍ତ୍ତି କରି ଆଣି ଏଠାରେ ଛାଡ଼ିବି ।'

ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଆପ୍‌ ସାଂସଦ ସ୍ୱାତୀ ମାଲିୱାଲ୍ ଜନକପୁରୀ ଅଞ୍ଚଳରେ ଜମା ହୋଇଥିବା ଅଳିଆକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଥିଲେ । ରାସ୍ତା ଉପରେ ଜମିଥିବା ଅଳିଆ ପାହାଡ଼କୁ ଦେଖି ରାଗି ଯାଇଥିଲେ ସ୍ୱାତୀ । ଯିଏ ନିଜକୁ ଭଗବାନ ଶ୍ରୀକୃଷ୍ଣ ବୋଲି କହୁଛନ୍ତି ତାଙ୍କ ରାଜ୍ୟରେ ଗାଈ ପ୍ଲାଷ୍ଟିକ୍‌ ଖାଉଛନ୍ତି ବୋଲି ସେ କହିଥିଲେ । ଏହା ସହ ପ୍ରାୟ ଦେଢ଼ ମିନିଟର ଏକ ଭିଡିଓ ପୋଷ୍ଟ କରିଥିଲେ ।