ନୂଆଦିଲ୍ଲୀ, ୨୬/୦୭: ଜୀବନ ମାନ କ୍ଷେତ୍ରରେ ଭାରତ ବହୁ ପଛରେ ରହିଛି । ଅନ୍ୟପକ୍ଷରେ, ସ୍ୱିଡେନ୍ରେ ଜୀବନ ମାନ ବିଶ୍ୱରେ ସର୍ବୋତ୍କୃଷ୍ଟ । ଦ ହ୍ୱାର୍ଟନ ସ୍କୁଲ୍ ପକ୍ଷରୁ ୨୦୨୬ର ସର୍ବୋତ୍ତମ ଦେଶ ସୂଚକାଙ୍କରୁ ଏହା ଜଣାପଡ଼ିଛି । ବିଶ୍ୱବ୍ୟାପୀ ଲୋକଙ୍କ ମତରେ, ସ୍ୱିଡେନ୍ରେ ଜୀବନ ମାନ ସବୁଠୁ ଭଲ । ପାଖାପାଖି ୩୩ଟି ଦେଶରୁ ୧୫,୦୦୦ରୁ ଅଧିକ ପ୍ରାପ୍ତ ବୟସ୍କଙ୍କ ମତାମତ ଆଧାରରେ ଏ ରିପୋର୍ଟ ପ୍ରସ୍ତୁତ ହୋଇଛି । ୮୫ ରାଷ୍ଟ୍ରକୁ ନେଇ ଲୋକଙ୍କ ମତ ଆଧାରରେ ସଂପୃକ୍ତ ଦେଶଗୁଡ଼ିକୁ ର୍ୟାଙ୍କ୍ ପ୍ରଦାନ କରାଯାଇଛି ।
ଅର୍ଥନୈତିକ ଏବଂ ଜନସଂଖ୍ୟା ସୂଚକ ଉପରେ ନିର୍ଭର କରିବା ପରିବର୍ତ୍ତେ ସୂଚକାଙ୍କ ପ୍ରସ୍ତୁତ କରିବା ସମୟରେ ସଂପୃକ୍ତ ଦେଶଗୁଡ଼ିକୁ ଅନ୍ୟାନ୍ୟ ମାପଦଣ୍ଡ ଆଧାରରେ ର୍ୟାଙ୍କ ପ୍ରଦାନ କରାଯାଇଛି । ତାହା ହେଲା ସୁଲଭତା, ନିଯୁକ୍ତି ଅବସର, ପାରିବାରିକ ବନ୍ଧୁତ୍ୱଭାବ, ରାଜନୈତିକ ସ୍ଥିରତା ଏବଂ ହାରାହାରି ସୁସ୍ଥତା ।
ଅଧିକ ପଢ଼ନ୍ତୁ :- Mohan Bhagwat: 'ଆଦେଶ ନୁହେଁ, ଆଲୋଚନା ଆବଶ୍ୟକ'; ନୂଆ ପିଢିଙ୍କୁ ନେଇ ମୋହନ ଭାଗବତ୍ଙ୍କ ବୟାନ
ସ୍ୱିଡେନ୍, ଡେନ୍ମାର୍କ ଏବଂ ସୁଇଜରଲାଣ୍ଡ ଭଳି ଉଚ୍ଚ ର୍ୟାଙ୍କଧାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କେତେକ ବିଶେଷତ୍ୱ ସମାନ ରହିଛି । ତାହା ହେଲା ସ୍ଥିର ପ୍ରତିଷ୍ଠାନ, ଉଚ୍ଚ ବିଶ୍ୱାସ ସ୍ତର ଏବଂ ମଜଭୁତ ସାର୍ବଜନିକ ସେବା । ଏସବୁ ମାଧ୍ୟମରେ ହିଁ ରାଷ୍ଟ୍ରଗୁଡ଼ିକ ‘ରହିବା ପାଇଁ ବିଶ୍ୱର ସର୍ବୋତ୍ତମ ସ୍ଥାନ’ର ମର୍ଯ୍ୟାଦା ହାସଲ କରିଛନ୍ତି ।
ଉତ୍ତର ୟୁରୋପୀୟ ଦେଶଗୁଡ଼ିକ ବର୍ଷ ବର୍ଷ ଧରି ‘ୱାର୍ଲଡ ହ୍ୟାପିନେସ୍ ରିପୋର୍ଟ’ରେ ମଧ୍ୟ ଶୀର୍ଷ ସ୍ଥାନରେ ରହି ଆସୁଛନ୍ତି । ସେମାନଙ୍କ ମଜଭୁତ ପ୍ରତିଷ୍ଠା ସେମାନଙ୍କୁ ବିଶ୍ୱବାସୀଙ୍କ ବିଶ୍ୱାସଭାଜନ କରିପାରିଛି । କାନାଡା ତୃତୀୟ ସ୍ଥାନରେ ରହିଛି । ଆମେରିକାରେ ଏହା ସର୍ବୋଚ୍ଚ ର୍ୟାଙ୍କଧାରୀ ଦେଶର ମାନ୍ୟତା ହାସଲ କରିଛି । ବିଶ୍ୱର ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟରେ ରହିବାରେ ଅଷ୍ଟ୍ରେଲିଆ ୟୁରୋପ ବାହାରେ ଏକମାତ୍ର ରାଷ୍ଟ୍ର ପାଲଟିଛି ।
ଜି-୭ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସବୁଠୁ ପଛରେ ରହିଛି ଆମେରିକା । ୪୮.୬ ସ୍କୋର ସହ ଏହା ୨୭ତମ ର୍ୟାଙ୍କରେ ରହିଛି । ୨୦୧୮ରୁ ଏହା ୧୦ଟି ସ୍ଥାନ ତଳକୁ ଖସିଆସିଛି । ଅର୍ଥନୈତିକ ପ୍ରଭୁତ୍ୱ ଏବଂ ଭୁ-ରାଜନୈତିକ ପତିଆରା ଥିବା ସତ୍ତେ୍ୱ ଲୋକେ ରହିବା ପାଇଁ ଆମେରିକାକୁ ସେତେ ଉତ୍କୃଷ୍ଟ ବୋଲି ବିବେଚନା କରୁନାହାନ୍ତି । ତେବେ ଭାରତର ର୍ୟାଙ୍କ ବହୁ ତଳେ ୪୬ତମ ସ୍ଥାନରେ ରହିଛି । ଏହାର ସ୍କୋର ହେଉଛି ମାତ୍ର ୨୦.୫ ।