ଭୁବନେଶ୍ୱର, ୨୬/୦୭:ଅଣ୍ଡା ପ୍ରେମୀଙ୍କୁ ଆଶ୍ୱସ୍ତି । ରବିବାର ୟୁନିଟ୍-୪ ବଜାରରେ ଅଣ୍ଡା ଦର ଦେଢ଼ଟଙ୍କା କମିଛି । ନୂଆ ଦର ଅନୁସାରେ ୭.୫୦ରେ ଅଣ୍ଡା ବିକ୍ରି ହେଉଥିଲା । କେହି କେହି ୮ଟଙ୍କାରେ ବିକ୍ରି କରୁଥିଲେ । ହେଲେ ରାଜଧାନୀର ଅନ୍ୟ ବଜାର, ଛକରେ ଦର ସେହି ୯ଟଙ୍କା ଥିଲା । ଯେତେବେଳେ ହାଟ ବିଷୟରେ ଖବର ମିଳିଲା, ବେପାରୀମାନେ ଧାଇଁଥିଲେ । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାଉଁଣ୍ଟରରେ ବେପାରୀଙ୍କ ଭିଜ ଜମିଥିବାର ଦେଖିବାକୁ ମିଳିଥିଲା । ଆଶା କରାଯାଉଛି, ଆଜିଠୁ ଦର କମିପାରେ ।
ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଆଜି କାର୍ଟୁନ ପିଛା ୨୦୦ ଟଙ୍କା କମିଛି । ନୂଆ ଦର ଅନୁସାରେ ୧୪୦୦ ଟଙ୍କା ପଡ଼ୁଛି । ହେଲେ ଏବେ ବି ବେପାରୀମାନେ ପୁରୁଣା ଦର ଦେଖାଇ ୧୪୬୦ରୁ ୧୪୮୦ ଟଙ୍କାରେ ବିକୁଛନ୍ତି । ଯାହା ଦ୍ୱାରା ଖୁଚୁରା ବଜାରରେ ଦର ଅଧିକ ରହିଛି ।
ଅଧିକ ପଢ଼ନ୍ତୁ :- ବେଲୁନ ପାଇଁ କୂଅକୁ ଡେଇଁ ପଡିଲା ଶିଶୁକନ୍ୟା, ଚାଲିଗଲା ଜୀବନ
ସେପଟେ ବଜାରରେ ମହଙ୍ଗା ହେବାକୁ ବସିଲାଣି ପାଉଁରୁଟି । ସାଧାରଣ ଲୋକଙ୍କ ଖାଦ୍ୟ ଭାବରେ ପରିଚିତ ପାଉଁରୁଟିର ଦର ଗତ ମାସକ ମଧ୍ୟରେ ଧୀରେଧୀରେ କରି ୫ଟଙ୍କା ବଢ଼ିସାରିଲାଣି । ୨୦ଟଙ୍କିଆ ପ୍ୟାକେଟ୍ ଏବେ ୨୫ ଟଙ୍କା ଓ ୪୦ ଟଙ୍କିଆ ବ୍ରାଉନ ବ୍ରେଡ୍ ୪୫ଟଙ୍କାରେ ବିକ୍ରି ହେଲାଣି । ଏହାର କାରଣ ଦେଶରେ ଗହମ ଉତ୍ପାଦନ ପ୍ରଭାବିତ । ଚିନି ଦର ବଢିବା ମଧ୍ୟ ଦାୟୀ । ଆଗକୁ ବି ପାଉଁରୁଟି ଦର ବଢ଼ିଚାଲିବ ବୋଲି ବେପାରମାନେ ଆଶଙ୍କା ପ୍ରକାଶ କରିଛନ୍ତି।