ଭୁବନେଶ୍ୱର, ୨୬/୦୭: ଲଘୁଚାପ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଏହାସହ ଉପକୂଳ ଏବଂ ସଂଲଗ୍ନ କେତେକ ଜିଲ୍ଲାରେ ବି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗ ପୂର୍ବାନୁମାନରୁ ଜଣାପଡ଼ିଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାଶ୍ୱ ର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପରେ ଲଘୁଚାପ ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ବର୍ଷା ପରିମାଣ କ୍ରମଶଃ ବଢ଼ିବ । ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍ ଉତ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଏ ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
୨୭ ଓ ୨୮ରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ ବିଭିନ୍ନ ସ୍ଥାନରେ । ୨୯ରୁ ବର୍ଷା ପରିମାଣ କମିପାରେ । ତଥାପି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରହିପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଲଘୁଚାପ ଘନୀଭୂତ ହୋଇପାରେ । ଏହା ପ୍ରଭାବରେ ୨୭ ପର୍ଯ୍ୟନ୍ତ ବର୍ଷା ଅଧିକ ରହିବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରଭାବ ବେଶି ରହିବ । ଓଡ଼ିଶା ସହ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହେବ । ତେଣୁ ମହାନଦୀର ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ଅଧିକ ବର୍ଷା ସମ୍ଭାବନା ଥିବା ଡକ୍ଟର ସାହୁ ଆକଳନ କରିଛନ୍ତି