ସିଡନୀ,୦୨/୦୧: ଶୁକ୍ରବାରଠୁ ସିଡନୀ  କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟ । ଉଭୟ ଦଳ ସିଡନୀରେ ପହଞ୍ଚି ସାରିଛନ୍ତି । ମେଲବର୍ଣ୍ଣ  (ବକ୍ସିଂ ଡେ’ ଟେଷ୍ଟ)ରେ ଉଭୟ ଦଳ କଡ଼ା  ସଂଘର୍ଷ କରିଥିଲେ । ତେଣୁ ପଞ୍ଚମ ଟେଷ୍ଟ  ପୂର୍ବରୁ ଅଭ୍ୟାସ ଅପେକ୍ଷା ବିଶ୍ରାମ ଉପରେ ଉଭୟ ଦଳ ଗୁରୁତ୍ୱ ଦେଇଛନ୍ତି । ଏପଟେ ପିଚ୍‌  କ୍ୟୁରେଟର ଆଡାମ ଲୁଇସ ସିଡନୀ ପିଚ୍‌କୁ  ଶେଷ ସ୍ପର୍ଶ ଦେଉଛନ୍ତି । 

କୁରେଟରଙ୍କ କହିବା ଅନୁଯାୟୀ, ବୁଧବାର ପିଚ୍‌ରୁ ପାଲ ହଟା ଯାଇଛି ଓ ପିଚ୍‌ ଉପରେ ୭ମିଲି ମିଟର ଉଚ୍ଚ ଘାସ  ଛଡ଼ା ଯାଇଛି । ପିଚ୍‌ରେ ପାଣି ଛିଞ୍ଚାଯିବା  ସହ ହାଲକା ରୋଲର ଚଳାଯାଇଥିଲା ।  କିନ୍ତୁ ବାକି ୨ ଦିନରେ ପିଚ୍‌ ଉପରେ ଭାରି ରୋଲର ଚଳାଯିବ । ପିଚ୍‌ ସ୍ପିନରଙ୍କୁ ବେଶ୍‌  ସହାୟତା କରିବ । ଓଜନଦାର ରୋଲର  ଚଳାଯିବା ଫଳରେ ଘାସର ରଙ୍ଗ ବଦଳି  ଯିବ । ବର୍ତ୍ତମାନ ପିଚ୍‌ରେ ଥିବା ସବୁଜ ରଙ୍ଗର  ଜୀବନ୍ତ ଘାସ ହେଭି ରୋଲିଂରେ ଶୁଖିଯିବ ।  ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ଆଶା  ଉଜ୍ଜ୍ୱଳ ରଖିବାକୁ ହେଲେ ଭାରତକୁ ସିଡନୀ  ଟେଷ୍ଟ ଜିତିବାକୁ ପଡ଼ିବ । ମାତ୍ର ଏଠାରେ  ଭାରତର ରେକର୍ଡ ସେଭଳି ଭଲ ନାହିଁ ।  

ସୂଚନାଯୋଗ୍ୟ, ୧୯୪୭ରୁ ୨୦୨୧ ମଧ୍ୟରେ  ଭାରତ ସିଡନୀରେ ମୋଟ୍‌ ୧୩ଟି ଟେଷ୍ଟ  ଖେଳିଛି । ଏଥିରୁ ଭାରତ ଗୋଟିଏ ମାତ୍ର ଟେଷ୍ଟ  ଜିତିଥିବାବେଳେ ୫ଟି ଟେଷ୍ଟରେ ପରାଜିତ  ହୋଇଛି ଏବଂ ବାକି ୭ଟି ଟେଷ୍ଟ ଡ୍ର’ ରଖିଛି ।