ନୂଆଦିଲ୍ଲୀ, ୨୫/୧୧: ଲକ୍ଷ୍ନୌ ଆସନ୍ତା ମଙ୍ଗଳବାରଠୁ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ସୁପର ୩୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିରେ ଭାରତରୁ ୧୫୨ଜଣ ଖେଳାଳି ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ବତନ ଚାମ୍ପିଅନ୍ କେ. ଶ୍ରୀକାନ୍ତଙ୍କ ସମେତ ଏଚ୍ଏସ୍ ପ୍ରଣୟ, ମହିଳା ବର୍ଗର ଟପ୍ ସିଡ୍ ଉନ୍ନତି ହୁଡ଼ା, ତନ ଶର୍ମା ଏବଂ ମହିଳା ଡବଲ୍ସରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ପୁରୁଷ ବର୍ଗରେ ଶ୍ରୀକାନ୍ତ ନିଜ ଦେଶର ମୈରବା ଲୁୱାଙ୍ଗ ମୈସ୍ନାମଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ପ୍ରଣୟ ପ୍ରଥମ ରାଉଣ୍ଡରେ କେଭିନ୍ ଥାଙ୍ଗମଙ୍କୁ ଭେଟୁଥିବାବେଳେ ଥରୁନ ମାନ୍ନେପଲ୍ଲୀ ନିଜ ଦେଶର ସତୀଶ କୁମାର କରୁଣାକରନଙ୍କୁ ସାମ୍ନା କରିବେ । ମହିଳା ବର୍ଗରେ ଉନ୍ନତି ପ୍ରଥମ ରାଉଣ୍ଡରେ ଆକର୍ଷୀ କଶ୍ୟପଙ୍କୁ ଭେଟିବେ । ସେହିପରି ମହିଳା ଡବଲ୍ସରେ ଡିଫେଣ୍ଡିଂ ଚାମ୍ପିଅନ୍ ତ୍ରିଶା-ଗାୟତ୍ରୀ ଯୋଡ଼ି ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି । ସେହିପରି ଓଡ଼ିଶାର ଦୁଇ ଭଉଣୀ ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଯୋଡ଼ି ମଧ୍ୟ କୋର୍ଟକୁ ଓହ୍ଲାଇବେ।