ନୂଆଦିଲ୍ଲୀ,୦୭/୧୨: ସିରିଆରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ତୁରନ୍ତ ସିରିଆ ଛାଡିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ସିରିଆ ନଯିବାକୁ ନିର୍ଦ୍ଦେଶ ହୋଇଛି । ଏହା ସହିତ ସିରିଆରୁ ଯେଉଁମାନେ ଆସିପାରୁ ନାହାନ୍ତି ସେମାନେ ଭାରତୀୟ ଦୂତବାସ ସହ ସମ୍ପର୍କ କରନ୍ତୁ । ସିରିଆରେ ଲାଗି ଥିବା ଗୃହଯୁଦ୍ଧକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । 

ବାଂଲାଦେଶରେ ସତ୍ତା ବଦଳିବା ନିଆଁ ଥମିନାହିଁ ଏହାରି ଭିତରେ ସିରିଆରେ ସପ୍ତାହେ ହେବ ଗୃହଯୁଦ୍ଧ ଲାଗି ରହିଛି । ଅଶାନ୍ତ ହେଉଛି ସିରିଆ । ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ  ଆରମ୍ଭ କରିଛି । ଏଥିରେ ପଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସିରିଆ ଗୃହ ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ଭାରତୀୟ ନାଗରିକଙ୍କୁ ସିରିଆ ଛାଡିବାକୁ  କହିବା ସହ ପରବର୍ତ୍ତୀ ନିର୍ଦ୍ଦେଶନାମା ନମିଳିବା ଯାଏ ସିରିଆ ଗସ୍ତ ନ କରିବାକୁ କହିଛି । ଯେଉଁ ଭାରତୀୟ ସିରିଆ ଛାଡିପାରୁ ନାହାନ୍ତି ସେମାନେ ଭାରତୀୟ ଦୂତବାସ ସହ ଯୋଗା ଯୋଗ କରିବାକୁ କୁହାଯାଇଛି । ଏହା ସହିତ ଦୂତବାସର ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +963993385973 ଜାରି ହୋଇଛି ।ଏହା ସହିତ ଇମେଇ ଆଇଡି [email protected]କୁ ମେଲ କରିବାକୁ କୁହାଯାଇଛି ।

ଆଲେପ୍ପୋ ଓ ହମା ସହର ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ସିରିଆରେ ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ୍ ଶାମ ଏବେ ରାଜଧାନୀ ଦାମାସ୍କସ ଅଭିମୁଖେ ଅଗ୍ରସର ହେଉଛନ୍ତି । ଏଚଟିଏସର ଯୋଦ୍ଧାମାନେ ସିରିଆର ଅନ୍ୟତମ ସହର ହୋମ୍ସର କିଛି ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି । ଏବେ ଦାମାସ୍କସ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହୀଙ୍କୁ ରୋକିବା ଲାଗି ସିରିଆ ସେନା ହମା ଓ ହୋମ୍ସକୁ ଯୋଡୁଥିବା ପ୍ରମୁଖ ରାଜମାର୍ଗକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । ହୋମ୍ସ ସହରରେ ରହୁଥିବା ଶିଆ ମୁସଲିମ ବିଦ୍ରୋହୀଙ୍କ ଭୟରେ ଘରଦ୍ବାର ଛାଡି ପଳାଉଛନ୍ତି । ଏଚଟିଏସ ଯୋଦ୍ଧାଙ୍କୁ ରୋକିବା ଲାଗି ଋଷ ସେନା ଅଧିକ ମିଶାଇଲ ମାଡ କରିଛି । କିନ୍ତୁ ସେମାନଙ୍କୁ ରୋକିବା ସମ୍ଭବ ହୋଇପାରିନାହିଁ ।